କାର୍ଟୁନ୍ ପ୍ରଦର୍ଶନୀ ଉଦ୍ଘାଟିତ
ଭୁବେନେଶ୍ୱର: ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଜୟଦେବ ଭବନର ପ୍ରଦର୍ଶନୀ କକ୍ଷରେ ୩ୟ ବାର୍ଷିକ କାର୍ଟୁନ୍ ପ୍ରଦର୍ଶନୀ ଓ ପ୍ରତିଯୋଗିତା ସହ ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରପତ୍ରିକାରେ କାର୍ଟୁନ୍ କଳାର ସ୍ଥାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ କେଶୁ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଏହାପରେ କାର୍ଟୁନ୍ ଏକାଡେମୀର ସଭାପତି ତଥା ବିଖ୍ୟାତ କାର୍ଟୁନ୍ ଶିଳ୍ପୀ କମଳାକାନ୍ତ ରଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ‘ପ୍ରମେୟ’ର ସମ୍ପାଦକ ଗୋପାଳ ମହାପାତ୍ର ନିଜର ବକ୍ତବ୍ୟରେ କହିଲେ ଯେ, କାର୍ଟୁନ୍ ହେଉଛି ଏମିତି ଏକ ଅସ୍ତ୍ର ଯାହା ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଲେ ବି ତା’କୁ ଧରାଶାୟୀ କରିଦିଏ । ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ କହିଲେ ଯେ, ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚିବା ପାଇଁ କାର୍ଟୁନ୍ ଏକ ସବଳ ମାଧ୍ୟମ । ସେ ମଧ୍ୟ କହିଲେ କାର୍ଟୁନ୍ ଏଭଳି ହେବା ଉଚିତ ଯାହାକୁ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇପାରିବ ।
ଆଜିକାଲି କ୍ଷମତାରେ ଥିବା ବ୍ୟକ୍ତିବିଶେଷଙ୍କୁ ଦେବତା ବୋଲି ମଣାଯାଉଛି, ଯାହା କାର୍ଟୁନ୍ ଭାବଧାରାର ବିପରୀତ । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ କହିଲେ ଯେ, ଏହି ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଏଭଳି ଏକ ସମୟରେ ହେଉଛି ଯେତେବେଳେ ଦେଶରେ କେତେଜଣ କାର୍ଟୁନିଷ୍ଟଙ୍କ ଉପରେ ହିଂସାତ୍ମକ ଆକ୍ରମଣର ଘଟଣା ଘଟିଛି । ଏହାର ମୂଳ କାରଣ ହେଉଛି ଅସହିଷ୍ଣୁତା । ସ୍ୱନାମଧନ୍ୟ କାର୍ଟୁନିଷ୍ଟ ପରେଶ ନାଥ ନିଜର ଅଭିଭାଷଣରେ ନିଜ କାର୍ଟୁନିଷ୍ଟ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ସେ ମଧ୍ୟ କହିଲେ ଯେ ପୂର୍ବ ଅପେକ୍ଷା ବର୍ତ୍ତମାନ କାର୍ଟୁନ୍ ପ୍ରତି ସହନଶୀଳତା କମିଯାଇଛି । ଏହି ସଭାରେ କାର୍ଟୁନ୍ କଳାକୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ପରେଶ ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେମୀର ସମ୍ପାଦକ ଦେବାଶିଷ ସିଂହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନନେ୍ଦଶୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶାର ୧୮ଜଣ ବିଶିଷ୍ଟ କାର୍ଟୁନ୍ ଶିଳ୍ପୀ ଅଭିଷେକ ନାୟକ, ଅଶ୍ୱିନୀ ଅବନୀ, ବିମଲ ଦାସ, ଚୁଡ଼ାମଣି ଦାସ, ଦେବାଶିଷ ସିଂହ, କମଳାକାନ୍ତ ରଥ, କେଶୁ ଦାସ , ନନେ୍ଦଶୁ, ପରେଶ ନାଥ, ପ୍ରଦୁ୍ୟମ୍ନ ନାଟୁଆ, ପ୍ରଶାନ୍ତ ମହାକୁଡ଼, ପ୍ରଶାନ୍ତ ମାଝି, ରବି ଶର୍ମା, ଶେଖର ବାବୁ, ଶିବ ନାରାୟଣ, ସୁଦାମ ଶେଖର ରେଡି, ସୁନାରାମ ସିଂ ଓ ଉକôଳ ଗୌରବଙ୍କ ଦ୍ୱାରା ଅଙ୍କିତ ଉଚ୍ଚକୋଟୀର ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା । ଦୁଇଦିନିଆ କାର୍ଯ୍ୟକ୍ରମରେ ଏସ୍ଏମ୍ଏନ୍ ଆର୍ଟ ଆଣ୍ଡ କଲଚର ଏକାଡେମୀ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟଙ୍ଗ ଚିତ୍ର ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି ।