ଡବଲ ଇଞ୍ଜିନ ସରକାର ଗରିବଙ୍କୁ ଲୁଟୁଛି , ଧନୀଙ୍କ ପାଇଁ: ଖାର୍ଗେ
ଭୁବନେଶ୍ୱର : କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଖାର୍ଗେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ହେଉଛି ଦେଶର ସମ୍ବିଧାନକୁ ସମାପ୍ତ କରିବା।”ଓଡ଼ିଶାରେ କଂଗ୍ରେସର ଅବଦାନକୁ ଉଜାଗର କରି ଖାର୍ଗେ କହିଛନ୍ତି, “ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି, ତାହା କଂଗ୍ରେସ କରିଛି। ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସର ଦେଣ। ଭାଜପାର ଅବଦାନ ଜିରୋ। ଏମାନେ ଏଠାରେ କିଛି କାମ କରିନାହାନ୍ତି, କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି।”ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଭାଜପା କିଛି କାମ ନକରି କେବଳ ଦେଶର ସମ୍ପଦ ବିକ୍ରି କରିବାରେ ଲାଗିଛି। “ଭାଜପା କେବଳ ବିକ୍ରି କରିବାରେ ବ୍ୟସ୍ତ। ଡବଲ ଇଞ୍ଜିନ ସରକାର ଗରିବଙ୍କୁ ଲୁଟୁଛି ଓ ଧନୀଙ୍କୁ ସୁବିଧା ଦେଉଛି,” ବୋଲି ଖଡ୍ଗେ କହିଛନ୍ତି। ଏହି ସମାବେଶରେ ଖାର୍ଗେଙ୍କ ବକ୍ତବ୍ୟ ଭାଜପା ସରକାରଙ୍କ ବିରୁଦ୍ଧରେ ଜନଅସନ୍ତୋଷକୁ ଆହୁରି ଜୋରଦାର କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।