ପନିପରିବାରେ ମିଶୁଛି କେମିକାଲ୍, ଚିନ୍ତାରେ ଖାଉଟି
କାକଟପୁରରୁ ଆଦିତ୍ୟ ରାଉତ : କାକଟପୁର ବ୍ଲକର ବିଭିନ୍ନ ପନିପରିବା ଓ ଫଳ ଦୋକାନ ଏବଂ ଏହାର ଆଖପାଖ ହାଟରେ ଖାଦ୍ୟ ଅନୁପଯୁକ୍ତ ପନିପରିବା ଓ ଫଳମୂଳ ବିକ୍ରି ହେଉଛି । ଫଳରେ ଅଞ୍ଚଳର ଅଧିବାସୀମାନେ ଦୁରାରୋଗ୍ୟର ଶିକାର ହେଉଛନ୍ତି । ସରକାର ଉଦ୍ୟାନ କୃଷି ମାଧ୍ୟମରେ ମୋ ଉପକାରୀ ବଗିଚା ଯୋଜନାରେ ପ୍ରୋତ୍ସାହନ ରାଶି ଦେଇ ଏହି ବ୍ଲକ ଦ୍ୱୟରେ ପନିପରିବା ଚାଷକୁ ପ୍ରୋତ୍ସାହିତ କରୁଥିଲେ ମଧ୍ୟ ତାହା କାଗଜପତ୍ରରେ ସୀମିତ ରହି ଦଲାଲମାନେ ପୋଷା ହେଉଛନ୍ତି ସିନା ବାସ୍ତବରେ ସମସ୍ୟାର ସମାଧାନ ହେଉନାହିଁ । ଦିନ ଥିଲା କାକଟପୁର ବ୍ଲକର ନଦୀ ପଠା ଗୁଡ଼ିକରେ ବଢିପାଣିରେ ଆନିତ ପଟୁମାଟିର ଉର୍ବରତାରେ ପାଳୁଅ, ବାଇଗଣ, ଲଙ୍କା ମରିଚ, ସାରୁ, ଆଳୁ ପୋଈ ଇତ୍ୟାଦି ପନିପରିବା ସାପ୍ତାହିକ ହାଟ ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବେପାର ପାଇଁ ପଠାଯାଉଥିଲା । ଏବେ ସେ ସମୟ ଓ ପରିବେଶ ବଦଳି ଯିବା ଫଳରେ ଏ ଅଞ୍ଚଳର ପନିପରିବା ଚାଷୀମାନେ ପୈତୃକ ଚାଷ ଛାଡ଼ି ଚାକିରି ନତୁବା ଦାଦନ ଖଟିବାକୁ ଶ୍ରେୟ ମଣିଲେଣି । କାରଣ ମାଟି ପାଣି ଭରା ଜୀବନ ଅପେକ୍ଷା ଆଧୁନିକ ଚାକଚକ୍ୟର ସହରି ସଭ୍ୟତା ଯୁବକମାନଙ୍କୁ କୌଳିକ ବୃତ୍ତି ଠାରୁ ଫେରାଇ ନେଲାଣି । ହଳ ଲଙ୍ଗଳ ଛାଡି ବ୍ୟୟବହୁଳ କଳଲଙ୍ଗଳ, ରାସାୟନିକ ସାର ଔଷଧ ପ୍ରୟୋଗ ଫଳରେ ମାଟିର ଉର୍ବରତା ହ୍ରାସ, ଜଙ୍ଗଲ ଅବକ୍ଷୟ ଫଳରେ ବନ୍ୟଜନ୍ତୁଙ୍କ ଫସଲ ନଷ୍ଟ ଗ୍ଲୋବାଲ ୱାରମିଙ୍ଗ୍ ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଏ ଅଞ୍ଚଳର ପନିପରିବା ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟିର ଅନ୍ୟ କାରଣ ପାଲଟିଛି । ମାଙ୍କଡଙ୍କ ପ୍ରାଦୁର୍ଭାବ ଫଳରେ ବାଡି ବଗିଚାରେ ଅମୃତଭଣ୍ଡା ଗଛଟିଏ ମଧ୍ୟ ରହିପାରୁନାହିଁ । ଯଦ୍ୱାରା ବାହାର ପନିପରିବା ଉପରେ ସମସ୍ତେ ନିର୍ଭରଶୀଳ । ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ବାହାରୁ ପନିପରିବା ଆଣି ନଷ୍ଟ ହୋଇ ଯାଉଥିବା ପରିବା ଗୁଡ଼ିକୁ କେମିକାଲ ମିଶା ପାଣିରେ ଦ୍ରବଣ କରି ସବୁଜରଙ୍ଗ କରି ଉପଭୋକ୍ତାଙ୍କୁ ଚଢା କାମରେ ବିକ୍ରି କରୁଛନ୍ତି । ବାରମ୍ବାର ଖାଦ୍ୟର ମାନ, ଓଜନ ଠକେଇ, ଖାଦ୍ୟ ଅପମିଶ୍ରଣ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଯାଞ୍ଚ କରାଯାଇ ଲୋକ ଦେଖାଣିଆ ଭାବେ ବାସ୍ତବତା ଠାରୁ କମ୍ ପରିମାଣର ଜୋରିମାନାର ରସିଦ କାଟି ବ୍ୟବସାୟୀଙ୍କୁ ପରୋକ୍ଷରେ ଅସାଧୁ ଉପାୟ ଆପଣେଇବା ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । ତେଣୁ ଏ ଅଂଚଳର ଖାଉଟିମାନେ ସଚେତନ ହେବା ସହିତ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।