ଭସାଣି ଉତ୍ସବକୁ ନେଇ କମିଟି ପକ୍ଷରୁ ଅସନ୍ତୋଷ

ପ୍ରସ୍ତୁତି ବୈଠକରେ କୋଉ କମିଟି କେତେ ସମୟରେ ବାହାରି ଗୋପବନ୍ଧୁ ଛକରେ ପହଁଚିବେ ତାହା ଲିଖିତ ଭାବେ ପ୍ରଶାସନ ପକ୍ଷରୁ ଜଣାଇ ଦିିଆଯାାଇଥିଲା । ଏପରିକି ବୈଠକରେ ମଧ୍ୟ କମିଟି କାର୍ଯ୍ୟକର୍ତ୍ତା ନିର୍ଦ୍ଧାରିତ ସମୟରେ ପହଁଚିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦେଇଥିବା ପ୍ରତିଶ୍ରୁତି ମତେ କମିଟି ନିଜ ମଣ୍ଡପରୁ ମେଢ ବାହାର କରି ପହଁଚିଥିଲେ ମଧ୍ୟ ପ୍ରଶାସନ ମେଢକୁ ଆଗକୁ କାଢି ନେବାକୁ ସମର୍ଥ ହୋଇନଥିଲା । ଗୋପବନ୍ଧୁ ଛକରେ ବସି ପ୍ରଶାସନୀକ ଅଧିକାରୀ ମାନେ କେବଳ ଦେଖଣାହାରି ସାଜି ବାଇପାସ ଛକକୁ ଚାଲିଯାଇଥିଲେ । ଫଳରେ ଗୋପବନ୍ଧୁ ଛକରେ ଆଗପଛ କରି ଏକାଧିକ ମେଢ ଭିଡ଼ ଜମାଇଥିଲେ । ପ୍ରଥମରୁ ଶୋଭାଯାତ୍ରାରେ ବାହାରି ଥିବା ମେଢ ମେଲଣ ପଡ଼ିଆରେ ଯେଉଁ ସମୟରେ ପହଁଚିବା କଥା ବହୁ ବିଳମ୍ବରେ ପହଁଚିଥିଲା । ଗୋଟିଏ ଗୋଟିଏ ମେଢ ଗୋଟିଏ ସ୍ଥାନରେ ୩-୪ଘଣ୍ଟା ଧରି ଠିଆ ହୋଇ ରହିଥିଲେ । ଫଳରେ ଲକ୍ଷାଧିକ ଟଙ୍କା ନେଇ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଟିମ୍ ସେମାନଙ୍କ ପ୍ରଦର୍ଶନ କରିବା ବଦଳରେ ଫେରିଯିବାକୁ ଧମକ ଦେଇଥିଲେ । ପ୍ରତ୍ୟେକ ମେଢ ପାଖରେ ହାତଗଣତି ପୁଲିସ ଏବଂ କନେଷ୍ଟବଳ ଦେଖିବାକୁ ମିଳିଥିଲେ ହେଁ ଫୋର୍ସ ଦେଖିବାକୁ ମିଳିନଥିଲା । ଏହି କାରଣରୁ ମେଢକୁ ନେବାକୁ କମିଟି ବିଳମ୍ବ କରିବାକୁ ପଛାଇ ନଥିଲେ । ପୂର୍ବବର୍ଷ ମାନଙ୍କରେ ମେଢକୁ ଆଗକୁ ବଢାଇବାରେ ଶାନ୍ତି କମିଟି ଏବଂ ମେଲଣ କମିଟିର ଭୂମିକା ଗୁୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏଥର କିନ୍ତୁ ଦେଖିବାକୁ ମିଳିଲାନି । ଏହି କାରଣରୁ ମେଲଣ ମଞ୍ଚରେ ଷ୍ଟିଲ ସିଟି କ୍ଲବ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କମିଟି ପକ୍ଷରୁ ମଞ୍ଚ ଉପରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି ଯଦି ଏହି ପରି ଆୟୋଜନ ହୁଏ, ଆମେ ଆସନ୍ତାବର୍ଷରୁ ଏଠାକୁ ଆସିବାକୁ ଉଚିତ ମନେ କରିବୁନି । ଲୋକଙ୍କ ଉପଭୋଗ ପାଇଁ ବହୁଲକ୍ଷ ଟଙ୍କା ଖର୍ଚ୍ଚ କରି ସାଂସ୍କୃତିକ ଦଳ ଆଣୁଥିଲେ ହେଁ ବହୁ ବିଳମ୍ବ କାରଣରୁ ତାହାକୁ ଲୋକେ ଦେଖିପାରୁ ନାହାନ୍ତି । ଷ୍ଟିଲ କମିଟି ସହ ଅନ୍ୟକମିଟି ମଧ୍ୟ ଆୟୋଜନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।