ବାଲେଶ୍ୱରରୁ ଲଢ଼ିବେ କି ଲେଖାଶ୍ରୀ ?

Lekhashree Samantasingharay

ବାଲେଶ୍ୱରରୁ ଲଢ଼ିବେ କି ଲେଖାଶ୍ରୀ ?

ଭୁବନେଶ୍ୱର : ଏକଦା ବିଜେପିର ଆଗଧାଡ଼ିର ନେତା ଥିଲେ ଭ୍ରୁଗୁ ବକ୍ସିପାତ୍ର  । ୨୦୧୯ରେ ସେ ବ୍ରହ୍ମପୁରରୁ ବିଜେପି ଟିକେଟରେ ଲଢ଼ିଥିଲେ  । ଏଥର ଦଳ ତାଙ୍କୁ ଟିକେଟ ଦେଲାନାହିଁ  । ତେଣୁ ସେ ବିଜେପିକୁ ବାଏବାଏ କରି ବିଜେଡ଼ିକୁ ଆସିଛନ୍ତି  । ସେହିପରି ଗତ କିଛିବର୍ଷ ଧରି ବିଜେପିର ତୁଣ୍ଡ ଥିଲେ ଲେଖାଶ୍ରୀ ସାମନ୍ତସିଂହରାୟ  । ସମସ୍ତଙ୍କୁ ଚକିତ କରି ସେ ମଧ୍ୟ ବିଜେପି ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି  । ହଠାତ ଭ୍ରୁଗୁ ଓ ଲେଖାଶ୍ରୀଙ୍କର ଦଳବଦଳ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋରଧରିଛି  । 
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅତ୍ୟନ୍ତ ଖାସ ଅନୁଗତ ଥିଲେ ଭ୍ରୁଗୁ ଓ ଲେଖାଶ୍ରୀ  । ବିଜେପିର ସବୁ ବଡ଼ ସମାବେଶରେ ଭ୍ରୁଗୁଙ୍କୁ ହିଁ ଦାୟିତ୍ୱ ମିଳୁଥିଲା  । ଧର୍ମେନ୍ଦ୍ରଙ୍କ ପାଖରେ ତାଙ୍କୁ ଦେଖିବାକୁ ମିଳେ  । ବିଜେପିର ବହୁ ବଡ଼ ପଦବୀରେ ମଧ୍ୟ ସେ କାର୍ଯ୍ୟ କରିଆସିଛନ୍ତି  । ତାଙ୍କ ଭଉଣୀ ଲୋପାମୁଦ୍ରା ବକ୍ସିପାତ୍ର ବହୁ ପୂର୍ବରୁ ବିଜେଡ଼ିରେ ଅଛନ୍ତି  । ବିଜେଡ଼ିର ପଦପଦବୀ ସହ ମହିଳା କମିଶନର ଅଧ୍ୟକ୍ଷା ମଧ୍ୟ ଥିଲେ  । ଦୁଇ ଭାଇ ଭଉଣୀ ଭିନ୍ନ ଭିନ୍ନ ଦଳରେ ଥିବାରୁ ଅତୀତରେ ତାହାକୁ ନେଇ ରୋଚକ ଚର୍ଚ୍ଚା ବି ହେଉଥିଲା  । ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭ୍ରୁଗୁ ବିଜେପି ଛାଡ଼ି ବିଜେଡ଼ିରେ ମିଶିଛନ୍ତି  । ମିଶିବାର କିଛି ସମୟ ପରେ ତାଙ୍କୁ ବ୍ରହ୍ମପୁରରୁ ସାଂସଦ ଟିକେଟ ମଧ୍ୟ ଦିଆଯାଇଛି  । କୋରାପୁଟର ଜୟପୁରରେ ବି ତାଙ୍କର ସଂଗଠନ ରହିଛି  । ସେଠାରୁ ବିଜେପି ଟିକେଟରେ  ଲଢ଼ିବାକୁ ମଧ୍ୟ ସେ ଯୋଜନା କରୁଥିଲେ । ଏବେ ସେ ବିଜେଡ଼ିକୁ ଆସିଥିବାରୁ ଜୟପୁରରେ ପୂର୍ବାପେକ୍ଷା ବିଜେଡ଼ି ମଜବୁତ ହେବବୋଲି କୁହାଯାଉଛି  ।
ସେହିପରି ବିଜେଡ଼ିର ତତ୍କାଳୀନ ତୁଣ୍ଡ ଦାମୋଦର ରାଉତ, କଂଗ୍ରେସର ସୁରେଶ ରାଉତରାୟଙ୍କ ଭଳି ବିଜେପିର ଲେଖାଶ୍ରୀ ସାମନ୍ତସିଂହରାୟ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ  । କେବେ ନବୀନ ପଟ୍ଟନାୟକଙ୍କୁ ତ କେବେ ବିଜେଡ଼ିର ଅନ୍ୟ ନେତାଙ୍କ ଉପରେ ସେ ବିବାଦୀୟ ଟିପ୍ପଣୀ ବି ଦେଉଥିଲେ  । ଯେଉଁଥିପାଇଁ ବିଜେପିରେ ତାଙ୍କର ଭଲ କ୍ରେଜ ରହିଥିଲା  । ଦଳୀୟ ନେତାଙ୍କ ପ୍ରଚାର ପାଇଁ ତାଙ୍କୁ ଡାକରା ଆସୁଥିଲା  । ଧର୍ମେନ୍ଦ୍ରଙ୍କ ନିକଟତର ଥିବାରୁ ପଦପଦବୀ ଓ ପତିଆରା କେଉଁଥିରେ ବି କମ୍‌ ନଥିଲା  । କିନ୍ତୁ ମନମୋହନ ସାମଲ ସଭାପତି ହେବା ପରେ ଭ୍ରୁଗୁ ଓ ଲେଖାଶ୍ରୀଙ୍କର ପତିଆରା କମିଥିଲା ବୋଲି ଚର୍ଚ୍ଚା ହେଉଥିଲା  । ୨୦୧୪ରେ ବି ଲେଖାଶ୍ରୀ ଟିକେଟ ଆଶାୟୀ ଥିଲେ  । ୨୦୧୯ରେ ବି ଟିକେଟ ପାଇବାକୁ ଚାହୁଁଥିଲେ  । ହେଲେ ତାଙ୍କୁ ଦଳ ଟିକେଟ ଦେଇଥିଲା  । ଶେଷରେ ଚବିଶ ପାଇଁ ଲେଖାଶ୍ରୀ ଅଙ୍କ କଷୁଥିଲେ  । କିନ୍ତୁ ଦଳୀୟ କାର୍ଯ୍ୟକ୍ରମ ହେଉକି ଟିକେଟ ବଂଟନ ସବୁଥିରେ ଲେଖାଶ୍ରୀଙ୍କୁ ଗୌଣ କରାଯାଉଥିବାରୁ ସେ ବିଜେପି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି  । ତେବେ ବିଜୁ ଜନତା ଦଳ ତାଙ୍କୁ କେଉଁ ଦାୟିତ୍ୱ ଦେଉଛି ତାହା ଦେଖିବାକୁ ବାକି ରହିଲା  ।