ଢାଲି ଓ ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ

Odisha Politics

ଢାଲି ଓ ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ

ଦଳବଦଳ ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି
ଭୁବନେଶ୍ୱର : ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଛି  । ଦଳବଦଳ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ଏହି ଦୁଇ ବିଧାୟକ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି  । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ।
ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  । ସମ୍ବିଧାନର ଦଶମ ପରିଚ୍ଛେଦରେ ଥିବା ଦଳବଦଳ ନିରୋଧୀ ନିୟମ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବାରୁ ତାଙ୍କର ସ୍ଥାନ ଖାଲି ପଡ଼ିଲା ବୋଲି ବାଚସ୍ପତି ଘୋଷଣା କରିଛନ୍ତି  ।
ସୂଚନାଯୋଗ୍ୟଯେ, ଏହି ଦୁଇ ବିଧାୟକଙ୍କ ବ୍ୟତୀତ ଅନ୍ୟ କେତେକ ବିଧାୟକ ମଧ୍ୟ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି  । ଖରିଆର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡ଼ିରେ ଯୋଗ ଦେଇଛନ୍ତି  । ସେହିପରି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ବିଜେଡ଼ିରେ ସାମିଲ ହୋଇଥିବାବେଳେ ଆଠମଲ୍ଲିକର ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ସାଏ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି  । ଦଳର ମୁଖ୍ୟ ସଚେତକମାନେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ସେମାନଙ୍କର ମଧ୍ୟ ବିଧାୟକ ପଦ ରଦ୍ଦ ହୋଇପାରିବ  । ତେବେ ବିଜେଡ଼ି ପକ୍ଷରୁ ହିଁ ଦୁଇ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତିଙ୍କୁ ନିବେଦନ କରାଯାଇଥିଲା  । 
ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି  । ତେବେ ସେମାନଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଥିବାରୁ ସେମାନଙ୍କ ଉପରେ ଉପରୋକ୍ତ ନିୟମ ଲାଗୁ ହୋଇପାରିବ ନାହିଁ  ।