ବାହୁଡ଼ାଯାତ୍ରା
ଡ.ଅରୁନ୍ଧତୀ ଦେବୀ : ଗୁଣ୍ଡିଚା ଘର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନଅ ଦିନ ରହଣୀ ପରେ ଦଶମୀ ଦିନ ହୋଇଥାଏ ବାହୁଡ଼ା ଯାତ୍ରା । ବାହୁଡ଼ା ଯାତ୍ରାଟି ମହାପ୍ରଭୁଙ୍କ ନବଦିନ ବ୍ୟାପୀ ରଥଯାତ୍ରାର ଏକ ମୁଖ୍ୟ ଓ ପ୍ରଧାନ ଅଂଶ । ସାଧାରଣରେ ବାହୁଡ଼ା ଅର୍ଥ ଫେରିବା ବା ପ୍ରତ୍ୟାବର୍ତ୍ତନ କରିବା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ତିନି ଠାକୁରଙ୍କ ଏହି ଫେରନ୍ତା ଯାତ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପୁଷା୍ୟ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ପୁଣ୍ୟ ତିଥିରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ରଥରେ ବସି ଗୁଣ୍ଡିଚା ମନ୍ଦିର ଯାତ୍ରା କରନ୍ତି । ଏହି ଯାତ୍ରା ନବଦିନର ହୋଇଥିଲେ ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନକୁ ବାଦଦେଳେ ଅବଶିଷ୍ଟ ସାତ ଦିନ ପାଇଁ ପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି । ଏହାର ବିଧି ବିଧାନ ମଧ୍ୟ ସ୍ୱତନ୍ତ୍ର । ପ୍ରତୁ୍ୟଷରୁ ଶ୍ରୀଜୀଉଙ୍କ ପାଖରେ ପରମ୍ପରାରେ ତିଆରି ହେଉଥିବା ଖେଚୁଡ଼ି ଭୋଗ ହୋଇଥାଏ ପରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । ଏହାର ପୂର୍ବରୁ ରଥ ଗୁଡ଼ିକ ଦକ୍ଷିଣ ମୁହାଁ ହୋଇ ରହିଥାଏ । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗଜପତି ମହାରାଜ ଛେରା ପହଁରା କରିଥାନ୍ତି । ତେବେ ମହାରାଜଙ୍କ ଅନୁପସ୍ଥିତିରେ ମୁଦିରଥ ତାଙ୍କ ପ୍ରତିନିଧିତ୍ୱ କରି ସେବା ସମ୍ପାଦନ କରିବାର ପରମ୍ପରା ମଧ୍ୟ ରହିଛି । ଏହା ପରେ ରଥରୁ ଚାରମାନ ଖୋଲାଯାଏ । ଘୋଡ଼ା ଯୋଚା ଯାଇ ଡାହୁକ ବସେ । ଶେଷକୁ ରଥଟଣା ଆରମ୍ଭ ହୁଏ ।
ବାହୁଡ଼ା ଯାତ୍ରାର ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଭଗବାନ ବଳଭଦ୍ରଙ୍କ ରଥ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଆଗମନ କରିଥାଏ ଏବଂ ଶେଷରେ ହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ହୋଇଥାଏ । ବଡ଼ଠାକୁର ଓ ସୁଭଦ୍ରାଙ୍କ ରଥ ସିଂହଦ୍ୱାରରୁ ଅଳ୍ପଦୂରରେ ରହିଥିବା ସମୟରେ ବାଟରେ ମାଉସୀ ମା'ଅର୍ଦ୍ଧାଶନୀ ଦେବୀଙ୍କ ମନ୍ଦିର ଆଗରେ ଜଗନ୍ନାଥଙ୍କ ରଥ ଅଟକି ରହେ । ସେଠାରେ ମନ୍ଦିରରେ ତିଆରି ଛେନା ପୋଡ଼ପିଠା ଭୋଗ ଜଗନ୍ନାଥଙ୍କୁ ଦିଆଯାଏ । ଏହି ସ୍ଥାନ ମାଉସୀ ବେଦୀ ନାମରେ କଥିତ । ମାଉସୀ ମା’ ମନ୍ଦିରରୁ ପୋଡ଼ିପଠା ଭୋଗ ଖାଇସାରି ଜଗନ୍ନାଥମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ବଡ଼ଦେଉଳ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳକୁ ଜଗନ୍ନାଥଙ୍କ ରଥ ଗଜପତି ନଅର ସମ୍ମୁଖରେ ରଖାଯାଇଥାଏ । ଏହାପରେ ଲକ୍ଷ୍ମୀ ବିମାନରେ ବସି ପଣ୍ଡା ଓ ଦଇତାପତିମାନଙ୍କ କୁଳବଧୂଙ୍କ ଗହଣରେ ଜଗନ୍ନାଥଙ୍କ ରଥ ପାଖକୁ ଆସନ୍ତି । ସେଠାରେ ପୂଜା, ଆଳତି ଓ ବନ୍ଦାପନା କରାଯାଏ । ଏହି ବନ୍ଦାପନା କାର୍ଯ୍ୟରେ ଗଜପତି ମହାରାଜା ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଠାକୁରଙ୍କ ପାଖରେ ଦହିପଟ ଭୋଗ ହୁଏ । ଏହି ଭୋଗ ସମୟକୁ ରାଜା ବିଜେ ହୁଅନ୍ତି । ଲକ୍ଷ୍ମୀ ବିମାନରେ ବସି ଜଗନ୍ନାଥଙ୍କ ରଥ ଚାରିପଟେ ପରିକ୍ରମା କରନ୍ତି । ଏହାପରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କୁ ବନ୍ଦପନା କରାଯାଏ । ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଏହି ସାକ୍ଷାତକୁ ଲକ୍ଷ୍ମୀ ନାରାୟଣ ଭେଟ କୁହାଯାଏ । ଜଗନ୍ନାଥଙ୍କ ଅଧରମାଳ ଲକ୍ଷ୍ମୀଙ୍କୁ ଓ ଲକ୍ଷ୍ମୀଙ୍କ ଅଧରକୁ ଜଗନ୍ନାଥଙ୍କୁ ଅର୍ପିତ ହୁଏ । ଜଗନ୍ନାଥଙ୍କ ଅଙ୍ଗରୁ ଦଇତାପତିମାନେ ଆଜ୍ଞାମାଳ ନେବା ପରେ ଲକ୍ଷ୍ମୀ ବାହୁଡ଼ି ଯାଆନ୍ତି ଶ୍ରୀମନ୍ଦିରକୁ । ଜଗନ୍ନାଥଙ୍କ ରଥ କିଛି ସମୟ ପରେ ସିଂହଦ୍ୱାରଠାରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ପାଖରେ ପହଞ୍ଚେ । ବାହୁଡ଼ା ଦିନ ଠାକୁରମାନେ ରଥରେ ରହନ୍ତି । ମଧ୍ୟାହ୍ନ ଧୂପଠାରୁ ଶୁଖିଲା ଭୋଗ ହୁଏ । ବାହୁଡ଼ା ପରଦିନ ଏକାଦଶୀ ତିଥିର ମଧ୍ୟ ତିନିଠାକୁର ରଥ ଉପରେ ବିରାଜମାନ ଥା’ନ୍ତି । ସେଠାରେ ସେମାନଙ୍କର ଏକାଦଶୀ ନୀତି, ଅଧରପଣା ଭୋଗ, ରାଜାବେଶ ହୁଏ । ଏହି ବେଶ ସଂପୂର୍ଣ୍ଣ ସୁନାରେ ହୋଇଥିବାରୁ ଏହାକୁ ଠାକୁରଙ୍କର ସୁନାବେଶ ବୋଲି ମଧ୍ୟ କୁହାଯାଏ । ଦ୍ୱାଦଶୀ ଦିନ ଠାକୁରମାନଙ୍କୁ ରଥରୁ ଓହ୍ଲାଇ ରତ୍ନବେଦୀକୁ ନିଆଯାଏ । ଏହା ନୀଳାଦ୍ରୀ ବିଜେ ନାମରେ ଖ୍ୟାତ । ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ ।
ଗୁଣ୍ଡିଚା ଯାତ୍ରାର ସମସ୍ତ ବିଧି ଅନୁସାରେ ଏହି ପହଣ୍ଡି କରାଯାଏ । ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ସିଂହାସନରେ ବିଜେ କରିବା ପରେ ଜଗନ୍ନାଥଙ୍କ ପହଣ୍ଡି ହୁଏ । ଜୟବିଜୟ ଦ୍ୱାର ବନ୍ଦ କରି ଲକ୍ଷ୍ମୀ ଅଭିମାନରେ ଜଗନ୍ନାଥଙ୍କୁ ଅଟକାଇ ରଖନ୍ତି । ଶ୍ରୀ ମନ୍ଦିର ଭିତର ପଟେ ଲକ୍ଷ୍ମୀ ପକ୍ଷରୁ ସେବକ ଦଇତାପତିମାନଙ୍କ ପତ୍ନୀ ବା ଦେବଦାସମାନେ ଏବଂ ବାହରାପଟେ ଜଗନ୍ନାଥଙ୍କ ପକ୍ଷରୁ ଦଇତାପତିମାନେ ରହି ପରସ୍ପର ମଧ୍ୟରେ ନାନା ବଚନିକା ଓ ପଦ୍ୟାବୃତ୍ତି କରନ୍ତି । ଏହାକୁ ଲକ୍ଷ୍ମୀ- ନାରାୟଣ କଳି କୁହାଯାଏ । ଜଗନ୍ନାଥ ବହୁତ ବୁଝାଇବା ପରେ ଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗେ ଏବଂ କଳି ତୁଟେ । ଏହାପରେ ଶ୍ରୀଜଗନ୍ନାଥ ସିଂହାସନରେ ବିଜେ କରନ୍ତି । ତାଙ୍କ ସମ୍ମୁଖରେ ଲକ୍ଷ୍ମୀଙ୍କୁ ସ୍ଥାପନ କରାଯାଏ । ଏଥିସହିତ ରଥଯାତ୍ରାର ପରିସମାପ୍ତି ଘଟେ ।
ନିଦେ୍ର୍ଦଶିକା-ସମ୍ପାଦିକା, ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନେ୍ଦାଳନ, କଟକ, ମୋ : ୯୯୩୭୧୭୨୮୧୦