ପାକିସ୍ତାନୀ ପରେ ବାଂଲାଦେଶୀ ଚିନ୍ତା

ଓଡ଼ିଶାର ଭୌଗୋଳିକ ସୀମା ଭିତରେ ଅବୈଧ ଭାବରେ ପାକିସ୍ତାନ ନାଗରିକମାନେ ଯେଭଳି ପ୍ରବେଶ କରିଛନ୍ତି ବାଂଲାଦେଶୀ ନାଗରିକମାନେ ମଧ୍ୟ ସେହିପରି ପ୍ରବେଶ କରିଛନ୍ତି । ଓଡ଼ିଶାର ଜଳସୀମା ଏବଂ ବାଂଲାଦେଶର ଜଳସୀମା ମଧ୍ୟରେ ଦୂରତା ବହୁତ କମ୍ ଥିବାରୁ ବାଂଲାଦେଶୀମାନେ ହୁଲି ଡ଼ଙ୍ଗାରେ ମାଛ ମାରିବା ବାହାନାରେ ଓଡ଼ିଶାର ଜଳସୀମା ଭିତରେ ପ୍ରବେଶ କରି ଓଡ଼ିଶାରେ ଅବୈଧ ଭାବରେ ବସବାସ କରୁଛନ୍ତି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ଆସିବାରୁ ପାକିସ୍ତାନୀ ନାଗରିକ ମାନେ ଯେଭଳି ବୋଝ ହୋଇ ପଡ଼ିଛନ୍ତି ଅବୈଧ ବାଂଲାଦେଶୀ ନାଗରିକମାନେ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ । ବାଂଲାଦେଶୀ ନାଗରିକମାନେ ଆମ ରାଜ୍ୟର ୩୦ଟି ଜିଲ୍ଲାରେ ନିଜ କାୟା ମେଲାଇ ରହିଥିବା ବେଳେ ରାଜ୍ୟ ସରକାର ଗୁରୁତ୍ୱ ଦେଉନଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ବାଂଲାଦେଶର ୟୁନୁସ୍ ସରକାର ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ସାରିଛନ୍ତି । ଏହାର କାରଣ ହେଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଯାହାଙ୍କୁ କି ଅପରାଧୀ ଭାବରେ ଘୋଷଣା କରିଛନ୍ତି । ସେହି ଶେଖ୍ ହାସିନା ବର୍ତ୍ତମାନ ଭାରତର ଶରଣାପନ୍ନ ହୋଇଛନ୍ତି । ତେଣୁ ଭାରତ କୌଣସି ବି ପରିସ୍ଥିତିରେ ଜଣେ ଶରଣାପନ୍ନକୁ ଅନ୍ୟ କୌଣସି ରାଷ୍ଟ୍ରକୁ ପଠେଇ ପାରିବ ନାହିଁ । ସେ ଦୃଷ୍ଟିରୁ ୟୁନୁସ୍ ସରକାର ଭାରତକୁ ଶତ୍ରୁ ଭାବରେ ବିବେଚନା କରୁଛି । ଅନ୍ୟପକ୍ଷରେ ବାଂଲାଦେଶୀରେ ରୋହିଙ୍ଗ୍ୟା ମୁସଲମାନ୍ ଉପରେ ଅତ୍ୟାଚାର ହେଉଥିବାରୁ ବହୁ ସଂଖ୍ୟାରେ ରୋହିଙ୍ଗ୍ୟା ଭାରତରେ ବର୍ତ୍ତମାନ ଶରଣାର୍ଥୀ । 
ଏଣେ ପାକିସ୍ତାନ୍ର ଷଡ଼ଯନ୍ତ୍ର ଭାବରେ ପହଲଗାମ୍ ଘଟଣା ପରେ ପାକିସ୍ତାନୀଙ୍କୁ ଖୋଜି ଭାରତରୁ ବିତାଡ଼ିତ କରାଯାଉଥିବା ବେଳେ ବାଂଲାଦେଶୀଙ୍କୁ ମଧ୍ୟ ଖୋଜି ଖୋଜି ବିତାଡ଼ିତ କରିବାର ଉଦ୍ୟମ ଆରମ୍ଭ ହୋଇଯାଇଛି । ବାଂଲାଦେଶୀଙ୍କୁ ଯଦି ବାଂଲାଦେଶକୁ ତଡ଼ି ଦିଆଯାଏ ତେବେ ବାଂଲାଦେଶରେ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହେବ । 
ଓଡ଼ିଶାରେ ହଜାର ହଜାର ବାଂଲାଦେଶୀ ନାଗରିକ ଅବୈଧ ଭାବରେ ରହୁଛନ୍ତି । କେବଳ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଏବଂ ରାଜନଗର ଅଞ୍ଚଳରେ ୩୦ ହଜାର ବାଂଲାଦେଶୀ ରହୁଥିବାର ଆକଳନ କରାଯାଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ନବରଙ୍ଗପୁର, ମାଲକାନଗିରିରେ ଏମାନେ ବହୁ ବର୍ଷ ହେଲା ଆସ୍ଥାନ ଜମାଇ ଅଛନ୍ତି । ଏମାନେ କିଭଳି ଭାବରେ ଦୀର୍ଘ ବର୍ଷ ଧରି ଓଡ଼ିଶାରେ ରହିଲେ ଏବଂ ଭାରତର ଆଧାର କାର୍ଡ୍ ହାତେଇ ନେଇ ସରକାରଙ୍କ ଯୋଜନାର ଲାଭ ପାଇଲେ ତାହା ଏକ ବଡ଼ ପ୍ରଶ୍ନବାଚୀ । କେଉଁ ପରିସ୍ଥିତିରେ ସେମାନେ ଭାରତର ଆଧାର କାର୍ଡ୍ ପାଇଲେ, ଆଧାର କାର୍ଡ୍କୁ ନେଇ କିଭଳି ଭାବରେ ଭୋଟର ହେଲେ ଏବଂ ବ୍ୟାଙ୍କ ଖାତା ଖୋଲିଲେ ସେସବୁ ପ୍ରଶ୍ନ ଅସମାହିତ । ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳ ଜଗିବା ପାଇଁ ତଟରକ୍ଷୀ ବାହିନୀ ଠାରୁ ଆରମ୍ଭ କରି ଉପକୂଳ ଅଞ୍ଚଳର ପୁଲିସ୍ ବାହିନୀ ଜଗି ରହିଥିଲେ ମଧ୍ୟ ଲକ୍ଷାଧିକ ବାଂଲାଦେଶୀ ଓଡ଼ିଶା ଭିତରକୁ ପଶି ଆସି ଲୁଙ୍ଗି, ଚାଦର, ଗାମୁଛା ବିକିବା, ଚା' ବିକିବା, ନିର୍ମାଣ ଶ୍ରମିକ ଭାବେ କାମ କରିବା, ଅପମିଶ୍ରିତ ଘିଅ, ଛେନା ଆଦି ବିକ୍ରି କରିବାରେ ସମ୍ପୃକ୍ତ ଅଛନ୍ତି । ପ୍ରଥମରୁ ସେମାନଙ୍କୁ ବିଦେଶୀ ନାଗରିକ ଭାବରେ ଗ୍ରହଣ କରି ସେମାନଙ୍କ ଦେଶକୁ ତଡ଼ି ଦେବାର ଆବଶ୍ୟକତା ଥିଲା । ବର୍ତ୍ତମାନ ସେମାନଙ୍କୁ ଚିହ୍ନଟ କରି ତଡ଼ିବାର ଉଦ୍ୟମ ସଫଳ ହେବା କ୍ଷେତ୍ରରେ ଅନେକ ଜଟିଳତା ଦେଖା ଦେବ । କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ କି ପ୍ରକାରର ସୁବିଧା ଦେବା ପାଇଁ ଦେଶ ସହିତ ବିଶ୍ୱାସଘାତକ କରିଛନ୍ତି । ଏହି ବିଶ୍ୱାସଘାତକଙ୍କୁ ଚିହ୍ନଟ କରିବା ଆବଶ୍ୟକ । ଜଳସୀମାକୁ କୋଷ୍ଟଗାର୍ଡ୍, ନୌବାହିନୀ ଓ ଉପକୂଳ ଥାନା ଜଗିଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ଏମାନେ କିଭଳି ଭାବରେ ଓଡ଼ିଶା  ଭିତରକୁ ଆସିଲେ ତାର ଏକ ପୂର୍ଣ୍ଣ ତଦନ୍ତ ଆବଶ୍ୟକ । ଏସବୁ ଘଟଣା ଗୁଡ଼ିକର ମୂଳ ସମସ୍ୟାକୁ ନଧରି କେବଳ ଗଛ ଉଠି ଫଳ ଫଳିଲା ବେଳେ ଫଳତ କ ଛିଣ୍ଡେଇ ଦେଲେ କିଛି ଲାଭ ହେବ ନାହିଁ । 
ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାରୁ ତୁରନ୍ତ ତଡ଼ାନଗଲେ ହୁଏତ ଏମାନଙ୍କ ପକ୍ଷରୁ ଅନ୍ୟ କିଛି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।