ଆଣବିକ ଅସ୍ତ୍ରରୂପୀ ସର୍ବନାଶୀ ଦାନବ


ଡ. ଅମୂଲ୍ୟ କୁମାର ପଣ୍ଡା  : ବର୍ତ୍ତମାନ ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତିର ସବୁଠାରୁ ମଜବୁତ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶରେ ଆଣବିକ ଅସ୍ତ୍ର ରହିଛି । ଗତ ବର୍ଷ ୨୦୨୨ ସୁଦ୍ଧା ଭାରତରେ ୧୬୦ ପରମାଣୁ ଅସ୍ତ୍ର ଥିଲା । ଭାରତ ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଆହୁରି ବୃଦ୍ଧି କରୁଛି । ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଝଓଚଜଓ) ଦାବି କରିଛି ଯେ, ଭାରତ ଆଣବିକ ଅସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି  । ରିପୋର୍ଟ ଅନୁଯାୟୀ, ଭାରତରେ ଲମ୍ବା ରେଞ୍ଜର କ୍ଷେପଣାସ୍ତ୍ର ଅଛି, ଯାହା ପଡୋଶୀ ଦେଶ ପାକିସ୍ତାନ ଏବଂ ଚୀନ୍କୁ ମଧ୍ୟ ନଷ୍ଟ କରିପାରେ । ଆସନ୍ତୁ ଜାଣିବା ଭାରତ କିପରି ଏହାର ଭଣ୍ଡାର ବୃଦ୍ଧି କରୁଛି ଏବଂ ଯଦି ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିବାର ଆବଶ୍ୟକତା ଥାଏ, ତେବେ ଏହା କେତେ ଧ୍ୱଂସ ଘଟାଇବ ଏବଂ ପାକିସ୍ତାନ ଓ ଚୀନ୍ ଏଥିପାଇଁ କ’ଣ ପ୍ରସ୍ତୁତି କରୁଛନ୍ତି  । 
ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ୧୫୬ ପରମାଣୁ ଅସ୍ତ୍ର ଥିଲା, ଯାହାର ସଂଖ୍ୟା ୨୦୨୨ ରେ ୧୬୦ କୁ ବୃଦ୍ଧି ପାଇଛି । ଏଥି ସହିତ ପାକିସ୍ତାନରେ ୧୬୫ ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଯଦି ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଆବଶ୍ୟକ ପଡେ, ତେବେ ପାକିସ୍ତାନ ଅପେକ୍ଷା ଭାରତ ଭଲ ବୋଲି ପ୍ରମାଣ କରିବ । କାରଣ ଭାରତରେ ଲଞ୍ଚ ପ୍ୟାଡ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ଅଧିକ ରହିଛି । ପରମାଣୁ ଅସ୍ତ୍ରଗୁଡିକରେ ନଜର ରଖୁଥିବା ବିଶେଷଜ୍ଞଙ୍କ ମୁତାବକ ପାକିସ୍ତାନ ପାଖରେ ବର୍ତ୍ତମାନ ୧୪୦ ରୁ ୧୫୦ ପରମାଣୁ ଅସ୍ତ୍ର ରହିଛି । ଯଦି ପରମାଣୁ ଅସ୍ତ୍ର ନିର୍ମାଣର ଏହି ଗତି ଜାରି ରହେ, ତେବେ ୨୦୨୫ ପର୍ଯ୍ୟନ୍ତ ଏହାର ସଂଖ୍ୟା ୨୨୦ ରୁ ୨୫୦ ପର୍ଯ୍ୟନ୍ତ ହୋଇଯିବ । ଆମେରିକା ଗୁପ୍ତଚର ସଂସ୍ଥା ସି.ଆଇ.ଏ ର ପୂର୍ବତନ ଗୁଇନ୍ଦା ଅଧିକାରୀ କେବିନ ହଲବର୍ଟ କହିଛନ୍ତି ଯେ ପାକିସ୍ତାନ ଦୁନିଆର ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ପାକିସ୍ତାନ ଅଧିକ ଭୟଙ୍କର ରୂପ ନେଇଛି, କାରଣ ଏହା ତିନିଟି ମୁଖ୍ୟ ସମସ୍ୟା ସହିତ ରହୁଛି । ଆତଙ୍କବାଦ, ଅର୍ଥବ୍ୟବସ୍ଥାର ଅଧୋଗତି ଆଉ ପରମାଣୁ ଅସ୍ତ୍ରର ଅଧିକ ସଂଗ୍ରହ । ଆର୍ଥିକ ସଙ୍କଟ ଦିଗରେ ଏହାଠାରୁ ଖରାପ ଅବସ୍ଥା ଉତ୍ତର କୋରିଆରେ ରହିଛି । ଏହି ଦୁଇ ଦେଶ ଭାରତ ଆଉ ଆମେରିକା ଉପରେ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି ।
ବର୍ତ୍ତମାନ ବିଶ୍ୱରେ ୯ଗୋଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଅଛନ୍ତି: ଆମେରିକା, ରୁଷ, ଫ୍ରାନ୍ସ, ଚୀନ, ବ୍ରିଟେନ, ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତର କୋରିଆ । ଏମାନଙ୍କ ମଧ୍ୟରୁ ଆମେରିକା, ରୁଷ, ଫ୍ରାନ୍ସ, ଚୀନ ଆଉ ବ୍ରିଟେନ ପାଖରେ ପରମାଣୁ ବୋମାର ବିଶାଳ ଭଣ୍ଡାର ରହିଛି । ତେବେ ପାଞ୍ଚ ଗୋଟି ଦେଶ ପରମାଣୁ ଅପ୍ରସାର ଚୁକ୍ତିରେ ସାମିଲ ଅଛନ୍ତି । ଏହି ଚୁକ୍ତିର ମୁଖ୍ୟ ଉଦେ୍ଦଶ୍ୟ ପରମାଣୁ ଅସ୍ତ୍ରର ନିର୍ମାଣ ଓ ବିକାଶକୁ ସ୍ଥଗିତ ରଖିବା । ତେବେ ଏସବୁ ଦେଶ ଏହି ଉଦେ୍ଦଶ୍ୟକୁ ପୂରଣ କରିବାକୁ ଚେଷ୍ଟା କରୁନାହାନ୍ତି । ପାକିସ୍ତାନ ଚୋରି ମାଧ୍ୟମରେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ରର ନିର୍ମାଣ କୌଶଳ ହସ୍ତାନ୍ତରିତ କରିଥିଲା; ତେଣୁ ଆଜି ସେ ମଧ୍ୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୂପେ ଗଢିଉଠିଛି । ପରମାଣୁ ଅସ୍ତ୍ର ଯଦି ଅପରିଣାମଦର୍ଶୀ ଶାସକ ବା ବ୍ୟକ୍ତିଙ୍କ ହାତରେ ପଡ଼େ, ତେବେ ତାହା ପୃଥିବୀ ଧ୍ୱଂସର କାରଣ ହେବା ବିଚିତ୍ର ନୁହେଁ । ବିଶ୍ୱର ୯ ଟି ଦେଶ – ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲର ଆଣବିକ ଅସ୍ତ୍ର ରହିଛି । ଜାନୁୟାରୀ ୨୦୨୩ ସୁଦ୍ଧା, ବିଶ୍ୱରେ ୧୨,୫୧୨ ପରମାଣୁ ଅସ୍ତ୍ର ଅଛି, ସେଥିମଧ୍ୟରୁ ୯,୫୭୬ ଟି ଅସ୍ତ୍ରଶସ୍ତ୍ର ସେନାବାହିନୀ ନିକଟରେ ଅଛି । ସେଥିମଧ୍ୟରୁ ୩,୮୪୪ ଟି କ୍ଷେପଣାସ୍ତ୍ର ଏବଂ ବିମାନ ସହିତ ନିୟୋଜିତ କରାଯାଇଛି । ବିଶେଷ ଭାବରେ ରୁଷ ଏବଂ ଆମେରିକା ପ୍ରାୟ ୯୦% ସମସ୍ତ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ଅଟନ୍ତି । ଆଣବିକ ଅସ୍ତ୍ରଶସ୍ତ୍ରକୁ ଦୀର୍ଘଦିନଧରି ବିିରୋଧ କରିବା ଏବଂ ଆଣବିକ ନିରସ୍ତ୍ରୀକରଣ ଉପରେ ଆବଶ୍ୟକ ପ୍ରକ୍ରିୟାର ଅଭାବ ସମ୍ପର୍କରେ ଆମ ଉଭୟଙ୍କ ଯେଉଁ ବିଚାର ରହିଛି ତା’ର ଏବେ ପ୍ରାସଙ୍ଗିକତା ରହିଛି । ତେବେ ୧୯୯୦ ଦଶକର ପ୍ରାରମ୍ଭରେ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ପ୍ରକ୍ରିୟାରେ ତୀବ୍ର ହ୍ରାସ ଘଟିବା ଦ୍ୱାରା କିଛି ଭୟ କମିଥିଲା । କିନ୍ତୁ ଯେଉଁ ଧାରାରେ ଗଛିତ ପ୍ରକ୍ରିୟାରେ ହ୍ରାସ ହେଉଥିଲା ତାହା ବନ୍ଦ ହୋଇଗଲା । ଏହା ମଧ୍ୟରେ ତିନି ଦଶନ୍ଧି ବିତିଗଲାଣି । ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ନିକଟରେ ପ୍ରାୟ ୧୩,୦୦୦ ଆଣବିକ ବୋମା ରହିଛି । ଏହି ଦେଶଗୁଡ଼ିକ ପର୍ଯ୍ୟାୟକ୍ରମେ ଏହାକୁ ହ୍ରାସ କରିବା ବଦଳରେ ଆଣବିକ ଅସ୍ତ୍ରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ କରିବାରେ ଲିପ୍ତ ରହୁଛନ୍ତି । ଫଳରେ ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି ହେଉଛି । ଏପରି କି ଆଣବିକ ଅସ୍ତ୍ରଶସ୍ତ୍ରସବୁ ବ୍ୟବହାର କଲେ ଏହାର ପ୍ରଳୟଙ୍କରୀ ପରିଣାମଗୁଡ଼ିକ କ’ଣ ହେବ ସେ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଥାଇ ମଧ୍ୟ ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ  । ଜାତୀୟ ନିରାପତ୍ତା ଦୃଷ୍ଟିରୁ ନିଆଯାଉଥିବା ଏକ ପଦକ୍ଷେପ, ଯାହା ସେହି ଦେଶ ଓ ଅନ୍ୟ ଦେଶର ଲୋକମାନଙ୍କ ଉପରେ ଏବଂ ଏବେ ମାନବତା ଉପରେ ଯେଉଁ ବିପଦ ସୃଷ୍ଟି କରୁଛି , ତାହାର ସ୍ଥାୟିତ୍ୱ ସମ୍ପର୍କରେ ସେମାନେ ବିଚାର କରିବା ଦରକାର । ତେବେ ଅସ୍ତ୍ରଶସ୍ତ୍ର ଆମକୁ ସୁରକ୍ଷା ଦେବ ବୋଲି ଯେଉଁ ବିଶ୍ୱାସ ଅଛି ତାହା ଏକ ମୌଳିକ ତ୍ରୁଟି ବୋଲି ଆମର ହୃଦ୍ବୋଧ ହୋଇଛି । ବାସ୍ତବରେ, ସେସବୁ ଆମ ସମସ୍ତଙ୍କ ତଥା ଆଗାମୀ ପିଢ଼ି ଉପରେ ବଡ଼ ବିପଦ ସୃଷ୍ଟି କରୁଛି ।
ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରରେ ସ୍ୱଳ୍ପ ଦୂରଗାମୀ ନସ୍ତ୍ରା, ହତଫ, ଗଜନଭି ଏବଂ ଅବଦାଲି କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ, ଯାହା ୬୦ ରୁ ୩୨୦ କିଲୋମିଟର ଦୂରତାରେ ଆକ୍ରମଣ କରିପାରିବ । ଯେଉଁଠାରେ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ଗୌରୀ ଏବଂ ଶାହିନ୍ । ସେଗୁଡିକର ଷ୍ଟ୍ରାଇକ୍ ପରିସର ୯୦୦ ରୁ ୨୭୦୦ କିଲୋମିଟର ଅଟେ । ଯଦି ଏହି ଦୁଇ ଅସ୍ତ୍ର ମଧ୍ୟରେ ଆକ୍ରମଣ କରାଯାଏ, ତେବେ ଦିଲ୍ଲୀ, ଜୟପୁର, ଅହମ୍ମଦାବାଦ, ମୁମ୍ବାଇ, ପୁଣେ, ଭୋପାଳ, ନାଗପୁର ଏବଂ ଲକ୍ଷ୍ନୌ ପ୍ରଭାବିତ ହୋଇପାରେ । ଯଦି ଆମେ ଭାରତର ଶକ୍ତି ବିଷୟରେ କହିବା, ତେବେ ଏଥିରେ ବହୁ ଦୂରଗାମୀ କ୍ଷେପଣାସ୍ତ୍ର ଅଛି । ସର୍ଟ ରେଞ୍ଜ୍ କ୍ଷେପଣାସ୍ତ୍ରଗୁଡ଼ିକ ହେଉଛି ପୃଥ୍ୱୀ ଏବଂ ଅଗ୍ନି -୧, ଯାହାର ପରିସର ୩୫୦ ରୁ ୭୦୦ କିଲୋମିଟର ପର୍ଯ୍ୟନ୍ତ । ଯେଉଁଠାରେ, ଅଗ୍ନିର ପ୍ରକାରଗୁଡ଼ିକ ହେଉଛି ଅଗ୍ନି-୨ ଏବଂ ଅଗ୍ନି -୩, ଯାହାର ପରିସର ୨ ହଜାରରୁ ୩ ହଜାର କିଲୋମିଟର ପର୍ଯ୍ୟନ୍ତ । ଏହା ବ୍ୟତୀତ ଅଗ୍ନି-ଭି କ୍ଷେପଣାସ୍ତ୍ରର ଷ୍ଟ୍ରାଇକ୍ ରେଞ୍ଜ ହେଉଛି ୫ ହଜାର କିଲୋମିଟର । ଏହି କ୍ଷେପଣାସ୍ତ୍ରଗୁଡିକ ସାହାଯ୍ୟରେ ଭାରତ ପାକିସ୍ତାନର ଯେକୌଣସି କୋଣକୁ ପରମାଣୁ ଅସ୍ତ୍ର ଛାଡିପାରେ । ଅର୍ଥାତ୍ ଯଦି ଭାରତ ଅଳ୍ପ ଦୂରରୁ ଆଫଗାନିସ୍ତାନ ସୀମା ପର୍ଯ୍ୟନ୍ତ ଆଣବିକ ଅସ୍ତ୍ର ଛାଡିଦିଏ, ତେବେ ରାୱଲପିଣ୍ଡି, ଲାହୋର, ଇସଲାମାବାଦ ଏବଂ କରାଚିର ନାମ ଏବଂ ଚିହ୍ନ ଲିଭିଯିବ । ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ର ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଚୀନ୍ରେ ୪୦୦ ପରମାଣୁ ଅସ୍ତ୍ର ଥିଲା, ଯାହାର ସଂଖ୍ୟା ୨୦୨୩ ମସିହାରେ ୫୦୦ରୁ ଅଧିକ ହୋଇଯାଇଥିଲା । ପେଣ୍ଟାଗନ୍ ଅନୁଯାୟୀ ଚୀନ୍ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟ କରୁଛି, ଯେଉଁ କାରଣରୁ ୨୦୩୦ ସୁଦ୍ଧା ସେଗୁଡିକର ସଂଖ୍ୟା ୧୦୦୦ ଏବଂ ୨୦୨୫ ସୁଦ୍ଧା ୧,୫୦୦ ରେ ପହଞ୍ଚିପାରେ ।
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ  । ଯଦି ପାକିସ୍ତାନର ସ୍ଥିତି ପ୍ରତି ବିପଦ ଆସେ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ ଲାଗି ପଛଘୁଞ୍ଚା ଦିଆଯିବ ନାହିଁ ବୋଲି କହିସାରିଛନ୍ତି ପାକ୍ ମନ୍ତ୍ରୀ ହନିଫ ଆବାସି, ଆମେରିକା ଲାଗି ନିଯୁକ୍ତ ରାଷ୍ଟ୍ରଦୂତ ରିଜୱାନ ଶେଖ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ  । ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ପ୍ରଶମିତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିକଟରେ ଅନୁରୋଧ କରିଥିଲେ ରାଷ୍ଟ୍ରଦୂତ ଶେଖ୍  । ଏବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ ଆଣବିକ ଉତ୍ତେଜନାରେ ଆମେରିକାର ଭୂମିକା କଣ ରହିବ  । ଅତୀତରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷା ଲାଗି ଆମେରିକା ପଦକ୍ଷେପ ନେଇଥିଲା  । ତେଣେ ବେଲାରୁଷ ଓ ଚୀନ ସହାୟତାରେ ପାକିସ୍ତାନ ଲଙ୍ଗରେଞ୍ଜ ମିସାଇଲ ଓ ପେଲୋଡ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଜାରି ରଖିଛି  । ଏହି ଯୋଜନା ବଳରେ କିଛି ବର୍ଷ ମଧ୍ୟରେ ପାକିସ୍ତାନ ୩ ହଜାର କିଲୋମିଟର ଦୂରକୁ ହିଟ୍ କରିପାରୁଥିବା କ୍ଷେପଣାସ୍ତ୍ରର ଅଧିକାରୀ ହେବ  । ପାକିସ୍ତାନକୁ ଆଣବିକ ଯନ୍ତ୍ରାଂଶ ସହଯୋଗ କରୁଥିବାରୁ ଚୀନ ଓ ବେଲାରୁଷର କେତେକ ଫାର୍ମ ସମେତ ପାକିସ୍ତାନର କେତେକ ସରକାରୀ ସଂସ୍ଥା ବିରୋଧରେ ଆମେରିକା କଟକଣା ଜାରି କରିସାରିଛି  । ୨୦୧୫ରେ ପ୍ରଥମେ ପାକିସ୍ତାନ ପରୀକ୍ଷା କରିଥିବା ସାହିନ-୩ ମିସାଇଲର କ୍ଷମତା ୨ ହଜାର ୭୫୦ କିଲୋମିଟର ଥିଲା  । ଏହାର ଅର୍ଥ ଭାରତର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ପାକିସ୍ତାନ ନିକଟରେ ରହିଛି  ।
ଜାପାନର ଆଣବିକ ବିଧ୍ୱଂସରେ ବିଚଳିତ ହୋଇ ୯ ଜୁଲାଇ ୧୯୫୫ରେ ଆଲବର୍ଟ ଆଇନଷ୍ଟାଇନ ଓ ପ୍ରସିଦ୍ଧ ବ୍ରିଟିଶ ଦାର୍ଶନିକ ବର୍ଟ୍ରାଣ୍ଡ୍ ରସେଲ ସଂଯୁକ୍ତ ବିଜ୍ଞପ୍ତି ଜାରିକରି ଶାନ୍ତିର ଉପାୟ ଅବଲମ୍ବନ କରିବାକୁ ନିବେଦନ କରି କହିଥିଲେ, ‘‘ଏହା ନିଶ୍ଚିତ ଯେ ତୃତୀୟ ବିଶ୍ୱଯୁଦ୍ଧରେ ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ । ଏଥିଯୋଗୁଁ ମଣିଷଜାତିର ଅସ୍ତିତ୍ୱ ସଙ୍କଟ ଦେଖାଯିବ; କିନ୍ତୁ ଚତୁର୍ଥ ବିଶ୍ୱଯୁଦ୍ଧ ଲାଠି ଆଉ ପଥର ମାଧ୍ୟମରେ ହେବ ।’’ ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ନରସଂହାର କଲାଭଳି ସମସ୍ତ ଅସ୍ତ୍ରକୁ ନଷ୍ଟ କରିଦିଆଯିବା ଆବଶ୍ୟକ । ଆମର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ଭୟାବହତାକୁ ଅନୁଭବ କରିପାରିଥିଲେ । ସେଥିପାଇଁ ସେ ସଂଯୁକ୍ତ ରାଷ୍ଟ୍ରରେ ଆଣବିକ ଅସ୍ତ୍ରର ସମୂଳ ନଷ୍ଟ ପାଇଁ ପ୍ରସ୍ତାବ ରଖିଥିଲେ; କିନ୍ତୁ ପରମାଣୁ ମହାଶକ୍ତିଗୁଡ଼ିକ ଏହି ପ୍ରସ୍ତାବ ଉପରେ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ, କାରଣ ପରମାଣୁ ପ୍ରଭୁତ୍ୱରେ ହିଁ ସେମାନଙ୍କ ଶକ୍ତି ଅନ୍ତର୍ନିହିତ ରହିଛି । ବର୍ତ୍ତମାନ ପରମାଣୁ ଶକ୍ତି ସଂପନ୍ନ ଦେଶଗୁଡ଼ିକର ୟୁରାନିୟମର ବେପାର କରୁଛନ୍ତି । ସେମାନେ ପରମାଣୁ ଅସ୍ତ୍ରର ବିପଦକୁ ସାଉଁଟିବାରେ ବ୍ୟସ୍ତ ଅଛନ୍ତି । ଏପରି ରହିଲେ ସମ୍ଭାବ୍ୟ ବିଶ୍ୱ ଧ୍ୱଂସର ବିପଦ ଖଣ୍ଡା ଭଳି ସମଗ୍ର ବିଶ୍ୱର ଅସ୍ତିତ୍ୱ ଉପରେ ଝୁଲି ରହିଥିବ, ଯାହା ଯେ କୌଣସି ଆଳରେ, ଯେ କୌଣସି ମୁହୂର୍ତ୍ତରେ, ଯେ କୌଣସି ପାଗଳ ମୁଣ୍ଡର ନାରକୀୟ ଖିଆଲରେ ସ୍ଥାନଚୁ୍ୟତ ହୋଇ ସମଗ୍ର ମାନବଜାତିର ସାମୂହିକ ସର୍ବନାଶ ଘଟାଇପାରେ । 
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬