ବେଧଡ଼କ ଚାଲିଛି ଲଘୁ ଖଣିଜ ଲୁଟ୍‌ 

ଭୁବନେଶ୍ୱର : ରାଜ୍ୟରେ ବେଧଡ଼କ ଲଘୁ ଖଣିଜ ଲୁଟ୍‌ ଚାଲିଛି  । କୋଟିକୋଟି ଟଙ୍କାର ରାଜସ୍ୱ ରାଜକୋଷକୁ ନଆସି ନେତା, ଲିଜ୍‌ଧାରୀ ଓ ଅଧିକାରୀଙ୍କ ପକେଟକୁ ଯାଉଛି  । ଲିଜ୍‌ରେ ବି ବ୍ୟାପକ ଅନିୟମିତତା ହେଉଛି  । ଏଭଳି ଗଦାଗଦା ଅଭିଯୋଗ ଲୋକେ କରୁଥିବାବେଳେ ଏବେ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ମଧ୍ୟ ଲଘୁ ଖଣିଜ ଲୁଟର ହିସାବ ସରକାରଙ୍କୁ ଧରାଇଛନ୍ତି  । 
ବିଧାନସଭାରେ ଉପସ୍ଥାପିତ କାଗ୍‌ ରିପୋର୍ଟରେ ଲଘୁ ଖଣିଜ ଲୁଟର ଗୁମର ଖୋଲିଛି  । ସମ୍ପର୍କୀୟମାନେ ମିଳିମିଶି ବିଡ୍‌ ଦାଖଲ କରୁଛନ୍ତି  । ଯଦି ଜଣଙ୍କର ଅଧିକ ଓ ଆଉ ଜଣଙ୍କର କମ୍‌ ଥାଏ ତେବେ ଜାଣିଶୁଣି ଅଧିକ ଦାମରେ ଡାକିଥିବା ବିଡ଼ର ଓହରି ଯାଉଛନ୍ତି  । ଫଳରେ ଅନ୍ୟ ଜଣେ କମ୍‌ ମୂଲ୍ୟରେ ପାଇପାରୁଛି  । ଚୟନ ପରେ ଲିଜରୁ ଓହରିବାରୁ ଦଣ୍ଡବିଧାନ ହେଉନି  । ଯେଉଁଥିପାଇଁ ଏମିତି ବ୍ୟତିକ୍ରମ ଦେଖିବାକୁ ମିଳୁଛି ବୋଲି କାଗ୍‌ ଉଲ୍ଳେଖ କରିଛନ୍ତି  । ସେହିପରି ଅଯୋଗ୍ୟ ଲିଜ୍‌ଧାରୀଙ୍କୁ ଚୟନ କରାଯାଉଥିବାବେଳେ ଖଣି ଯୋଜନା ଓ ବିନା ପରିବେଶ ମଞ୍ଜୁରୀରେ କ୍ୱାରୀ ଲିଜ୍‌ ମଞ୍ଜୁରୀ କରାଯାଉଛି  । ଲିଜ୍‌ଧାରୀମାନେ ଧାର୍ଯ୍ୟ ସମୟରେ ଆବଶ୍ୟକୀୟ ରାଜସ୍ୱ ପ୍ରଦାନରେ ବି ହେଳା କରୁଛନ୍ତି  । ଲିଜ୍‌ ନହୋଇବି ବାଲି ଭଳି ଲଘୁ ଖଣିଜ୍‌ ଲୁଟ୍‌ ହେବାର ପ୍ରମାଣ କାଗ୍‌ ପାଇଛନ୍ତି  ।
ବିନା ଟ୍ରାଞ୍ଜିଟ୍‌ ପାଶରେ ଲଘୁ ଖଣିଜ ଚାଲାଣ କରାଯାଇପାରିବ ନାହିଁ  । ଏନେଇ  ସ୍ୱତନ୍ତ୍ର ନିୟମ ବି ରହିଛି  । କିନ୍ତୁ ବିନା ଟ୍ରାନଜିଟ୍‌ ପାଶରେ ଖଣିଜ ଚାଲାଣ ହେଉଥିବାରୁ ଅନେକ ସମୟରେ ଧାର୍ଯ୍ୟ ଖଣିଜ ଠାରୁ ଅଧିକ ଉତ୍ତୋଳନ କରାଯାଉଛି  ।  ପୂର୍ବରୁ ଲଘୁ ଖଣିଜ ପଦାର୍ଥର ଦେଖାରଖା ରାଜସ୍ୱ ବିଭାଗ ପାଖରେ ରହିଥିଲା । ଏକ୍ଷେତ୍ରରେ ତହସିଲଦାରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା କଥା  । କିନ୍ତୁ କାଗ୍‌ ତାଙ୍କ ରିପୋର୍ଟରେ ଅନେକ ସ୍ଥାନରେ ତହସିଲଦାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି  । ତହସିଲଦାରମାନେ ନୀତି ନିୟମ ଠିକ୍‌ ଭାବେ ଅନୁପାଳନ କରୁନଥିବାରୁ ସରକାର କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି  । ୨୦୧୬-୨୨ରେ ରାଜ୍ୟରେ ୪୬୨୪.୫୮ କୋଟି ଟଙ୍କାର ରୟାଲଟି ସହ ଅତିରିକ୍ତ ଦେୟ ବାବଦରେ ୮୮୫.୭୦ କୋଟି ମିଳିବାର ଥିଲା  । କିନ୍ତୁ ୧୪ ଜିଲ୍ଲାରେ ୪ ଶହ କୋଟି ବଦଳରେ ୨୧ କୋଟି ଟଙ୍କା ଆଦାୟ ହୋଇଛି  । ଠିକାଦାରଙ୍କ ବିଲରୁ କଟାଯାଇଥିବା ରୟାଲଟି ଉପରେ ୪୮୫ କୋଟି ୭୯ ଲକ୍ଷ ଟଙ୍କାର ଡିଏମଏଫ ଓ ଇଏମଏଫ ଆଦାୟ କରାଯିବାର ଥିଲା । ଫଳରେ ରାଜ୍ୟରେ ୮୬୪ କୋଟି ୪୫ କୋଟିର ଖଣିଜ ରାଜସ୍ୱ କମ୍‌ ସଂଗ୍ରହ ହୋଇଥିଲା  । ସରକାରଙ୍କ ଜ୍ଞାତସାରରେ ୫୪୨୪ କୋଟି ୫୮ ଲକ୍ଷ ଟଙ୍କାର ଲଘୁ ଖଣିଜ ପଦାର୍ଥ ବେଆଇନ୍‌ ଭାବେ ଉତ୍ତୋଳନ କରାଯାଇ ସରକାରୀ ପ୍ରକଳ୍ପରେ ବ୍ୟବହୃତ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି  ।