ନିଆରା ବଜେଟ୍‌ ଅଧିବେଶନ

ନିଆରା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର :  ଚଳିତ ବଜେଟ୍‌ ଅଧିବେଶନ ଅନେକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱ ବହନ କରିଛି  । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ଅନେକ ନିଆରା ଘଟଣା ଦେଖିବାକୁ ମିଳିଛି  । କଂଗ୍ରେସ ବିଧାୟକମାନେ ଗୋଟିଏ ପ୍ରସଙ୍ଗରେ ଲଗାତର ହଟ୍ଟଗୋଳ କରି ଗୃହକୁ ଅଚଳ କରିଦେଇଥିଲେ । ଦୀର୍ଘଦିନ ଧରି ଗୋଟିଏ ପ୍ରସଙ୍ଗକୁ ବିରୋଧୀ ଜାବୁଡ଼ି ଧରିବା ନିକଟ ଅତୀତରେ ଦେଖିବାକୁ ମିଳିନଥିଲା  । ଯେଉଁଥିପାଇଁ ଗୃହର ୩୯ ଘଣ୍ଟା ସମୟ ନଷ୍ଟ ହୋଇଯାଇଥିଲା  । ଖାଲି ସେତିକିନୁହେଁ, କଂଗ୍ରେସର ସବୁ ବିଧାୟକଙ୍କୁ ନିଳମ୍ବନ ଘଟଣା ବି ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା । ନିଲମ୍ବିତ ବିଧାୟକଙ୍କୁ ବିଧାନସଭା ଫାଟକ ନିକଟରେ ଅଟକ ଘଟଣାକୁ ନେଇ ବି ହୋଇଥିଲା ହାଇଡ୍ରାମା  । ବିଜେଡ଼ି ଓ ବିଜେପି ବିଧାୟକମାନଙ୍କର ପୁଲିସ୍‌ ସହ ମୁହାଁମୁହିଁ ଘଟଣାକୁ ନେଇ ବେଶ୍‌ ତୁମ୍ବିତୋଫାନ୍‌ ହୋଇଥିଲା  । ଏପରିକି କଂଗ୍ରେସ ବିଧାୟକଙ୍କୁ ଗୃହ ଭିତରୁ ସୁରକ୍ଷା କର୍ମୀଙ୍କୁ ଲଗାଇ ଜବରଦସ୍ତ ବାହାର କରିବା ଘଟଣା ବି ଦେଖିବାକୁ ମିଳିଥିଲା  । ଏନେଇ ବାଚସ୍ପତି ସୁରମା ପାଢ଼ୀ ବିବୃତ୍ତି ରଖିଥିବାବେଳେ ବିଧାନସଭା ଭିତରେ ଅସାମାଜିକ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା କଥାବି ବେଶ୍‌ ଚର୍ଚ୍ଚିତ ପ୍ରସଙ୍ଗ ଥିଲା  । ଏସବୁ ଭିତରେ ଆଉ ଗୋଟିଏ କଥାବି ଯୋଡ଼ି ହୋଇଯାଇଛି  । ରାତି ୯ଟା ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି ପୂର୍ବରୁ ବିଧି ରହିଥିଲା । କିନ୍ତୁ ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଆଲୋଚନାରେ ସେହି ପରମ୍ପରାବି ହଟିଯାଇଛି  । ଏଥିପାଇଁ ସରକାର ମୋସନ ଆଗତ କରିବା ସହ ରାତି ୯ ପରେ ଦୀର୍ଘ ସମୟ ଧରି ବିଲ୍‌କୁ ନେଇ ଆଲୋଚନା ହୋଇଛି  । ଗାଏମୋଟ୍‌ କହିଲେ ଚଳିତ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ନିଆରା ଘଟଣା ଦେଖିବାକୁ ମିଳିଛି  । ଯାହାକି ବିଧାନସଭା ଇତିହାସରେ ସବୁବେଳେ ଚର୍ଚ୍ଚିତ ହୋଇରହିବ  ।