ପାରଦ ୪ ଡିଗ୍ରୀ,ଥରୁଛି କନ୍ଧମାଳ
ଦାରିଙ୍ଗିବାଡି: ଖସୁଛି ପାରଦ,ରାତି ବଢ଼ିଲେ ବଢୁଛି ଜାଡ । ତା ସାଙ୍ଗକୁ ପ୍ରବଳ ମାତ୍ରାରେ କୁହୁଡି । ପ୍ରବଳ ଶୀତରେ ଥରୁଛି କନ୍ଧମାଳ । ରାଜ୍ୟର ସର୍ବାଧିକ ଶୀତଳ ସହର ଜି. ଉଦୟଗିରି ରହିଛି । ଏଠାରେ ବିଗତ ୨୪ ଘଣ୍ଟାରେ ତାପମାତ୍ରା ପ୍ରାୟ ୨ ଡ଼ିଗ୍ରୀ କମିବା ସହ ମଙ୍ଗଳବାର ୪.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଏବଂ ଦାରିଙ୍ଗିବାଡିରେ ୭.୫ ଡ଼ିଗ୍ରୀ ରହିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି ର ଆଭ୍ୟନ୍ତରୀଣ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ପର୍ଯ୍ୟଟକଙ୍କ ମନରେ ଏହା ଆଣିଦେଇଛି ଉନ୍ମାଦ ଓ ଖୁସିର ଲହରୀ । ଦାରିଙ୍ଗିବାଡିର ପ୍ଲିହେରି, ଡୁଲୁରି ସାହି ସମେତ ଦୁର୍ଗମ ଗ୍ରାମ ଗୁଡ଼ିକରେ ତୁଷାରପାତ ହୋଇଛି । ୪.୮ ଡିଗ୍ରୀ ତାପମାତ୍ରାରେ ଜି. ଉଦୟଗିରିରେ ତୁଷାରପାତ ନହୋଇ ଦାରିଙ୍ଗିବାଡିରେ ୭.୫ ଡ଼ିଗ୍ରୀ ରେ ତୁଷାରପାତ ହୋଇଥିବାରୁ ତାପ ମାପକ ଯନ୍ତ୍ର ରେ କିଛି ସମସ୍ୟା ଥାଇପାରେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ଏ ନେଇ ବି.ଡ଼ି.ଓ ପ୍ରିତି ରଞ୍ଜନ ରଥଙ୍କୁ ପଚାରିବାରୁ ତପାମପକ ଯନ୍ତ୍ର ଏବେ ବ୍ଲକ ଅଫିସ୍ ପରିସର ରେ ରହିଛି ।ଏହାକୁ ଅନ୍ୟତ୍ର ଲଗାଇବକୁ ଏ.ଡି.ଏମଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି । ଅସହ୍ୟ ଶୀତ ସଧାରଣ ଜନଜୀବନ କୁ ପ୍ରଭାବିତ କରିଛି । ସନ୍ଧ୍ୟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଯାତାୟାତରେ ବି ସମସ୍ୟା ଦେଖାଯାଉଛି । ସକାଳୁ ଉଠି କାମକୁ ଯିବା ମୁଷ୍କିଲ ହେଇଯାଉଛି । ଦିନ ତମାମ କୋହୋଲା ପବନ ହେଉଥିବାରୁ ଦେହରୁ ଶୀତ ବସ୍ତ୍ର ବହାରୁନି । ରାତି ୮ ଟା ପରେ ପ୍ରାୟତଃ ଦୋକାନ ବଜାର ବନ୍ଦ ହୋଇଯାଉଛି ଏବଂ ଏଥିସହିତ ରାସ୍ତା ଘାଟ ଶୁନଶାନ୍ ହୋଇଯାଉଛି । ନିହାତି ଆବଶ୍ୟକତା ନଥିଲେ ଲୋକୋମାନେ ଘରୁ ବାହାରକୁ ବାହାରୁନାହାନ୍ତି । ଜିଲ୍ଳା ପ୍ରଶାସନ ମଧ୍ୟ ସତର୍କତା ପଦକ୍ଷେପ ନେଉଛି । ଜିଲ୍ଲା ର ସମସ୍ତ ସହରାଞ୍ଚଳ ସମେତ ବ୍ଲକ୍ ମୁଖ୍ୟାଳୟରେ ରାତ୍ର ଆଶ୍ରୟ ସ୍ଥଳ ରହିଛି । ପଞ୍ଚାୟତ ମୁଖ୍ୟାଳୟରେ ଆବଶ୍ୟକସ୍ଥଳେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଆପାଦକାଳୀନ ଅଧିକାରୀ ରଞ୍ଜନ ମାର୍ଥା । ସେହିଭଳି ନିଆଁ ପୁଇଁବା ସମୟରେ ସତର୍କତା ଅବଲମ୍ବନ କରିବା ନେଇ ସଚେତନ କରାଯାଉଛି । ଗରିବ ଓ ଅଭାବୀ ଲୋକୋମାନଙ୍କୁ କମ୍ବଳ ଯୋଗାଇଦେବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ରେଡ୍ କ୍ରସ୍ ଅନୁକୁଲ୍ୟକୁ ୧ ହଜାର କମ୍ବଳ ମଗାଯାଇଥିବା ସୂଚନା ଦେଇଛନ୍ତି ଆପାଦକାଳୀନ ଅଧିକାରୀ । ସେପଟେ କମ୍ବଳରେ ଘୋଡି ହୋଇ ଜୀବନ ଜାପାନ କରୁଥାଉଁ ପଛେ ଶୀତ ଫେରିଥିବାରୁ ଅଞ୍ଚଳବାସୀଙ୍କ ଠାରୁ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ ଖୁସି ଅନୁଭବ କରୁଛନ୍ତି । ପାହାଡ଼ ପର୍ବତ ଏବଂ ସବୁଜ ବାନାନି ରେ ପରିବେଷ୍ଟିତ ଏହି କନ୍ଧମାଳ ଜିଲ୍ଲା ଯାହାକି ତାହାର ସୌନ୍ଦର୍ଯ୍ୟରେ ସାରା ଭାରତ ଏବଂ ବିଦେଶର କୋଣ ଅନୁକୋଣରୁ ଛୁଟି ଆସୁଥିବା ଭିନ୍ନ ଭିନ୍ନ ପର୍ଯ୍ୟଟକଙ୍କୁ ଖୁସିର ଖୋରାକ୍ ଯୋଗୋଉଛି ଏହି ଶୀତ ଦିନିଆ କନ୍ଧମାଳର ପ୍ରାକୃତିକ ସୌନ୍ଦର୍ଯ୍ୟ । ସାଧାରଣତଃ ଶୀତ ଦିନେ ଦାରିଙ୍ଗିବାଡିରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଥାଏ ।ଶୀତ ବଢ଼ିବା ସହ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଆସିବା ସଂଖ୍ୟା ବି ବଢ଼ିବାରେ ଲାଗିଛି । ଶୀତ ସହ ତୁଷାରପାତର ମଜା ନେଇଛନ୍ତି ପର୍ଯ୍ୟଟକ ।