ମହାନଦୀ ଜଳ ବିଷ
ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ମହାନଦୀ ଉପତ୍ୟାକାରେ ଏବଂ ଏହାର ତଟବର୍ତ୍ତୀ ଅଞ୍ଚଳରେ ନୂଆ ସଭ୍ୟତା ଗଢ଼ି ଉଠିବା ସହିତ ରାଜ୍ୟକୁ ମଧ୍ୟ ସମୃଦ୍ଧ କରିଛି । ଏହାର ଉପତ୍ୟାକାର ଖଣି ଏହାର ତଟ୍ଟବର୍ତ୍ତୀ ଅଞ୍ଚଳରେ ଶିଳ୍ପ ସମୃଦ୍ଧ ଅଞ୍ଚଳ ସୃଷ୍ଟି କରିଛି । ତେବେ ମହାନଦୀ କୂଳରେ ସହର ସଭ୍ୟତା ଏବଂ ଶିଳ୍ପ ସଭ୍ୟତା ଗଢ଼ି ଉଠିବା ସହିତ ଏହାର ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ମହାନଦୀର ପାଣିରେ ମାତ୍ରାଧିକ ପରିମାଣରେ ସୀସା, କ୍ରୋମିୟମ୍, ତମ୍ବା, ଦସ୍ତା ଆଦି ଧାତବ ପଦାର୍ଥ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରର ନିକଟବର୍ତ୍ତୀ ଅଞ୍ଚଳରୁ ପାଣି ଓ ମାଟିକୁ ନେଇ ତାମିଲନାଡୁର କୋଏମ୍ବାଟୁର ସ୍ଥିତ ସଲିମ୍ ଅଲ୍ଲୀ ସେଣ୍ଟର ଫର୍ ଅର୍ନିଥୋଲଜି ଏଣ୍ଡ୍ ନ୍ୟାଚୁରାଲ୍ ହିଷ୍ଟ୍ରି ଓ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିିଟିର ରାସାୟନିକ ବିଭାଗ ସହିତ ମେଘାଳୟର ପରିବେଶ ବିଶ୍ୱବିଦ୍ୟାଳୟର ବାୟୋଲଜି ବିଭାଗ ମିଶି ପରୀକ୍ଷା କରିଥିଲେ । ସେମାନେ ୮ଟି ଅଲଗା ଅଲଗା ସ୍ଥାନରୁ ନମୂନା ସଂଗ୍ରହ କରିଥିଲେ । ୨୦୧୮ ମସିହାର ଏହି ପରୀକ୍ଷା ରିପୋର୍ଟ୍ ୨୦୨୩ ମସିହାରେ ଏକ ନିବନ୍ଧ ଆକାରରେ ପ୍ରକାଶ ପାଇଛି । ଜଳଭଣ୍ଡାରରେ ଥିବା ଜଳରେ ମାତ୍ରାଧିକ କ୍ରୋମିୟମ୍, ସୀସା ଆଦି ହୀରାକୁଦ ଜଳଭଣ୍ଡାର ଚାରିପାଖେ ରହିଥିବା ଥର୍ମାଲ୍ ପାୱାର୍ ପ୍ଲାଣ୍ଟ, ଆଲୁମିନିୟମ୍ କମ୍ପାନୀ ଭଳି କେତେକ କାରଖାନାର ଆବର୍ଜନା ମିଶିବାରୁ ହୀରାକୁଦ ଜଳଭଣ୍ଡାରର ଏଭଳି ଅବସ୍ଥା ହୋଇଛି । ବିଭିନ୍ନ କାରଖାନାର ଆବର୍ଜନାରେ ଆସୁଥିବା ଧାତବ ପଦାର୍ଥ ମାତ୍ରାଧିକ ଭାବରେ ଜଳଭଣ୍ଡାର ନିକଟସ୍ଥ କୃଷି ଜମି ଗୁଡ଼ିକରେ ମଧ୍ୟ ରହିଥିବା ଦେଖାଯାଇଛି । କୃଷିକ୍ଷେତ୍ରରେ ଭାଲୁ୍ୟ ଫର୍ ଏଗ୍ରିକଲ୍ଚାରଲ୍ ସଏଲ୍ର ନିରାପଦ ସ୍ଥଳ ଠାରୁ ଯଥେଷ୍ଟ ଉପରେ ବିଭିନ୍ନ ପ୍ରକାରର ବିପଜ୍ଜନକ ଧାତବ ପଦାର୍ଥ ରହିଥିବା ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରରୁ ଜଳ ମହାନଦୀ, କାଠଯୋଡ଼ି, ବିରୂପା ଭଳି ଶାଖାନଦୀ ଗୁଡ଼ିକରେ ପ୍ରବାହିତ ହୋଇ ସମୁଦ୍ରରେ ଏବଂ ଚିଲିକାରେ ମିଶିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଯେଉଁ ନିରାପଦ ସ୍ତର ନିର୍ଦ୍ଧାରଣ କରିଛି, ତାହା ଠାରୁ ଅଧିକ ଧାତବ ଦ୍ରବ୍ୟ ହୀରାକୁଦ ଜଳଭଣ୍ଡାରରେ ରହିଛି । ମହାନଦୀ କୂଳ ଅଞ୍ଚଳରେ ସହରର ବୃଦ୍ଧି, ଶିଳ୍ପାୟନ ଏବଂ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଏସବୁ ସ୍ଥାନର ବର୍ଜ୍ୟଜଳ ମହାନଦୀ ଜଳରେ କିମ୍ବା ଶାଖାନଦୀ ଜଳରେ ମିଶୁଛି । ଏହି ଧାତବ ପଦାର୍ଥ ମଧ୍ୟରୁ ଅନେକ କ୍ୟାନସର ସୃଷ୍ଟିକାରକ ବୋଲି ଜଣାପଡ଼ିଛି । ଏହି ଜଳର ଉପଯୋଗ କରି ଉତ୍ପନ୍ନ କରାଯାଉଥିବା କୃଷି ଦ୍ରବ୍ୟ ମାଧ୍ୟମରେ ମନୁଷ୍ୟ ଶରୀରକୁ ଏସବୁ ଯାଇ ବିଭିନ୍ନ ରୋଗର କାରଣ ପାଲଟୁଛି । ହୀରାକୁଦ ଜଳଭଣ୍ଡାରର ଜଳକୁ ନେଇ ବରଗଡ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳସେଚିତ ହୋଇଛି । ସେହିପରି ହୀରାକୁଦ ଜଳଭଣ୍ଡାରର ଜଳରେ କାର୍ସିନୋଜେନିକ୍ ଉପାଦାନ ଥିବାରୁ କୃଷିଜାତ ଦ୍ରବ୍ୟ ମାଧ୍ୟମରେ ଏହା ମନୁଷ୍ୟ ଶରୀରକୁ ଆସୁଛି ।
ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ଅଧିକ ସଂଖ୍ୟାରେ କ୍ୟାନସର ରୋଗୀ ଦେଖାଯାଉଛନ୍ତି । ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ୨୦୨୧ରୁ ୨୦୨୩ ମଧ୍ୟରେ ୨୨ ହଜାର କ୍ୟାନସର୍ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବାର ଏକ ତଥ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନ ଦେଇଛି । ବରଗଡ଼ ଜିଲ୍ଲାର କ୍ୟାନସର ରୋଗୀ ସଂଖ୍ୟା ବଢ଼ିବାର କାରଣ ପଛରେ କୃଷି କାର୍ଯ୍ୟରେ ଅତ୍ୟଧିକ କୀଟନାଶକ ବ୍ୟବହାର ବୋଲି ସରକାର ଦର୍ଶାଉଛନ୍ତି । ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀରୁ ଜଳସେଚନ ମାଧ୍ୟମରେ କୃଷକମାନେ ଚାଷ କରୁଥିବା ସ୍ଥଳେ ସେଠାରେ ଅତ୍ୟଧିକ କୀଟନାଶକ ଔଷଧ ବ୍ୟବହାର କରାଯାଉଛି । ହେଲେ ସେଠାରେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବହୁତ୍ କମ୍ । ତେଣୁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ କଳକାରଖାନାର ବର୍ଜ୍ୟଜଳକୁ ଯଦି ପ୍ର୍ରକ୍ରିୟା ନକରି ସିଧାସଳଖ ଛଡ଼ାଯିବ, ତାହା ହେଲେ ନିଶ୍ଚିତ ରୂପେ ଭବିଷ୍ୟତରେ ଏହା ଭୟଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିବ ।