ଶକ୍ତି ଉପାସନା ଓ ନାରୀ ସଶକ୍ତିକରଣ

ଗୋପାଳ ମହାପାତ୍ର : ପର୍ବପର୍ବାଣି ଆମ ସଂସ୍କୃତିର ପ୍ରତୀକ । ଏଥିରୁ ଆମକୁ ଜଣାପଡେ ଯେ ଆମ ପ୍ରାଚୀନ ସଂସ୍କୃତି କେତେ ବିଶାଳ, ସଂପନ୍ନ ଏବଂ ସମୃଦ୍ଧ । ନବରାତ୍ର ଭାରତୀୟ ସଂସ୍କୃତିର ମହାନତାକୁ ଦର୍ଶାଇଥାଏ । ବିଗତ କିଛି ଦଶନ୍ଧି ହେବ ଦେଶରେ ମହିଳା ସଶକ୍ତିକରଣ କଥା କୁହାଯାଉଛି ଓ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତ । କିଛି ଲୋକ ବିଦେଶର ଉଦାହରଣ ଦେଇ କହୁଛନ୍ତି ଯେ ସେଠାକାର ମହିଳାମାନେ ସଶକ୍ତ ଏବଂ ସେମାନଙ୍କୁ ମାତ୍ରାଧିକ ଅଧିକାର ପ୍ରାପ୍ତ ହୋଇଛି, ଏକଥା କହୁଥିବା ଲୋକେ କିନ୍ତୁ ଆମ (ନିଜ) ଦେଶର ଇତିହାସକୁ ନେଇ ଚିନ୍ତନ ଏବଂ ମନନ କରୁନାହାଁନ୍ତି । ବାସ୍ତବରେ ଭାରତ ହେଉଛି ବିଶ୍ୱର ଏକମାତ୍ର ଏମିତି ଦେଶ ଯେଉଁଠି ମହିଳାଙ୍କୁ ପୁରୁଷଙ୍କ ସହ ସମାନ ବୋଲି ଗ୍ରହଣ କରାଯାଇଛି । ଭାରତରେ ଦେବୀ ମାନଙ୍କର ପୂଜା- ଅର୍ଚ୍ଚନା କରାଯାଇଥାଏ ଓ ଏହା ପୁଣି ଦେବତାଙ୍କ ପୂଜା ଭଳି । ଦେବୀଙ୍କ ସ୍ଥାନ ଦେବତାଙ୍କ ପୁର୍ବରୁ କୁହାଯାଏ ଯଥା- ରାଧା କୃଷ୍ଣ, ସୀତାରାମ, ପାର୍ବତୀ ଶଙ୍କର ଆଦି । ଭଗବାନ ଶିବଙ୍କ ସହ ଦେବୀ ପାର୍ବତୀଙ୍କ ପୂଜା କରାଯାଏ । ସେଇଥିପାଇଁ “ ନମୋ ନମଃ ଶଙ୍କର ପାର୍ବତୀଭ୍ୟାଂ” ବୋଲି ଶିବଙ୍କ ସ୍ରୋତ୍ରରେ ଉଲ୍ଲେଖ ରହିଛି । ସେହିଭଳି ରାମ ସୀତାଙ୍କ କ୍ଷେତ୍ରରେ “ରଘୁନାଥାୟ ନାଥାୟ ସୀତାୟା ପତୟେ ନମଃ” ବୋଲି ଉଲ୍ଲେଖ ଅଛି । ରାମଙ୍କ ସହ ସୀତାଙ୍କୁ ପୂଜା କରାଯାଏ । ମାନ୍ୟତା ଅନୁସରାରେ ଶକ୍ତି ସ୍ୱରୂପିଣୀ ବା ଶକ୍ତିର ଦେବୀ ହେଉଛନ୍ତି ଦୁର୍ଗା । ଧନ ଏବଂ ସମୃଦ୍ଧିର ଦେବୀ ହେଉଛନ୍ତି ଲକ୍ଷ୍ମୀ ଏବଂ ଜ୍ଞାନର ଦେବୀ ହେଉଛନ୍ତି ସରସ୍ୱତୀ । ଏକଥା ଉଲ୍ଲେଖ କରିବାର ଅଭିପ୍ରାୟ ହେଉଛି ମନୁଷ୍ୟର ଜୀବନରେ ଯେଉଁ ସବୁ ବସ୍ତୁ ବା ଜିନିଷର ଆବଶ୍ୟକତା ରହିଛି ସେସବୁ ଏହି ଦେବୀ ମାନେହିଁ ପ୍ରଦାନ କରିଥାନ୍ତି । ମନୁଷ୍ୟର ଜୀବନକୁ ଅନୁଶାସନରେ ରଖିବା ଏବଂ ଆଦର୍ଶ ଜୀବନ ଯାପନ ପାଇଁ ଭଗବାନ ହେଉଛନ୍ତି ମନୁଷ୍ୟର ବିଶ୍ୱାସ ଏବଂ ଶ୍ରଦ୍ଧାର କେନ୍ଦ୍ର । ନବରାତ୍ର ଦେବୀ ଦୁର୍ଗାଙ୍କୁ ସମର୍ପିତ ଏକ ମହତ୍ୱପୁର୍ଣ୍ଣ ପର୍ବ । ଏହି ପର୍ବ ବର୍ଷରେ ୪ଥର ଯଥା, ଚୈତ୍ରମାସ, ଆଷାଢ଼ମାସ, ଆଶ୍ୱିନ ମାସ ଓ ମାଘ ମାସରେ ପାଳନ କରାଯାଇଥାଏ । ଏହି ୪ଟି ମଧ୍ୟରୁ ଚୈତ୍ରମାସ ଓ ଆଶ୍ୱିନ ମାସରେ ପଡୁଥିବା ନବରାତ୍ରର ମହତ୍ୱ ଅଧିକ ବୋଲି କୁହାଯାଏ । ମାଘମାସ ଓ ଆଷାଢ଼ ମାସରେ ପଡୁଥିବା ନବରାତ୍ରକୁ ଗୁପ୍ତ ନବରାତ୍ର ବୋଲି କୁହାଯାଏ କାରଣ ଏ ଦୁଇ ନବରାତ୍ର ପାଇଁ ସାର୍ବଜନିକ ଉସôବର ଆୟୋଜନ କରାଯାଇନଥାଏ ।
ଆଶ୍ୱିନ ମାସର ନବରାତ୍ରକୁ ଶାରଦୀୟ ନବରାତ୍ର କୁହାଯାଏ । ଆଶ୍ୱିନମାସର ଶୁକ୍ଳପକ୍ଷ ପ୍ରଥମ ପ୍ରତିପଦା ତିଥିଠାରୁ ଏହି ପର୍ବର ଆରମ୍ଭ ହୋଇଥାଏ । ପ୍ରଥମଦିନ ଶୁଭ ମୁହୂର୍ତ୍ତରେ କଳଶ ସ୍ଥାପନ କରାଯାଇଥାଏ । ନବରାତ୍ରରେ ୯ଦିନ ଦେବୀ ଦୁର୍ଗାଙ୍କର ୯ରୂପର ପୂଜା- ଅର୍ଚ୍ଚନା କରାଯାଇଥାଏ । ପ୍ରଥମ ଦିନ ଦେବୀ ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପରେ ପୂଜା କରାଯାଏ । ସେହିପରି ଦ୍ୱୀତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ, ଅଷ୍ଟମଦିନରେ ମହାଗୌରୀ ଓ ନବମ ଦିନରେ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଏ । ଦେବୀଙ୍କ ସାଧନା ପୂଜାର୍ଚ୍ଚନାରେ ମଣିଷର ସମସ୍ତ ପାପ ନାଶ ହୋଇଥାଏ ଓ ତାର ମୋକ୍ଷପ୍ରାପ୍ତି ହୋଇଥାଏ । ବାସ୍ତବରେ ନବରାତ୍ରର ପର୍ବ ନାରୀ ଶକ୍ତିର ଉସôବ ଅଟେ । ପ୍ରାଚୀନ କାଳରୁ ହିଁ ଏହି ପର୍ବ ଆମର ସଂସ୍କୃତିରେ ନାରୀ ଶକ୍ତିର ପ୍ରତୀକ ଭାବେ ରହି ଆସିଛି । କନ୍ୟା ପୂଜନରୁ ଗୋଟିଏ କଥା ସ୍ପଷ୍ଟ ଯେ ଆମ ସମାଜରେ କନ୍ୟା (ମହିଳା)ଙ୍କର ସ୍ଥାନ ସର୍ବାଗ୍ରେ ରହିଛି । ନବରାତ୍ର ଶକ୍ତିର ପ୍ରତୀକ ଅଟେ ଓ ଏଥିରେ ନାରୀ (ମହିଳା) ଶକ୍ତିର ଉପାସନା କରାଯାଏ ଓ ନିଜ ଭିତରେ ଶକ୍ତିକୁ ଜାଗ୍ରତ କରାଯାଏ । ଏହି ଉସôବ / ପୂଜାରେ କେବଳ ଦେବୀଙ୍କୁ ଭକ୍ତି କରାଯାଏ ବୋଲି ଯାହା କୁହାଯାଏ ତା ନୁହେଁ ବରଂ ଏହାଦ୍ୱାରା ଆମର ଅନ୍ତଃଚେତନାକୁ ଜାଗ୍ରତ କରାଯାଉଥାଏ । ନବରାତ୍ରରେ ଦୁର୍ଗା ସପ୍ତଶତି ପାଠ କରାଯାଏ ଯେଉଁଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଦେବୀ ଦୁର୍ଗା ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧରେ ଅଷ୍ଟଶକ୍ତିର ପ୍ରୟୋଗ କରି ଅସୁର ବିନାଶ କରିଥିଲେ । ଏହି ପର୍ବ ମନେ ପକାଇ ଦେଇଥାଏ ଯେ ସମାଜରେ ମହିଳାଙ୍କ ସ୍ଥାନ କେଉଁଠି?
ଶାରଦୀୟ ନବରାତ୍ର ପାଳନର ଇତିହାସ ମଧ୍ୟ ରହିଛି । ବିଭିନ୍ନ ପୁରାଣ-ଯଥା –ଦେବୀ ଭାଗବତରେ ୧୦୮ଟି ଦେବୀ (ଶକ୍ତି)ଙ୍କ ପୀଠ କଥା ଉଲ୍ଲେଖ ଥିବା ବେଳେ କାଳିକା ପୁରାଣରେ ୨୬, ଶିବଚରିତରେ ୫୧, ଦୁର୍ଗ ଶପ୍ତସତୀ ଏବଂ ତନ୍ତ୍ରଚୂଡାମଣିରେ ଶକ୍ତିପୀଠର ସଂଖ୍ୟା ୫୨ ବୋଲି କୁହାଯାଇଛି । ଏସବୁ ଶକ୍ତିପୀଠର ସ୍ଥାପନାର ସମୟ ଏବଂ କିଏ ସ୍ଥାପନ କରିଥିଲେ ସେ ବାବଦରେ କୌଣସି ସଠିକ୍ ନିର୍ଣ୍ଣୟ ନାହିଁ କାରଣ ଏସବୁ ମାତା ସତୀ(ପାର୍ବତୀ) ଏବଂ ଶିବଙ୍କ କଥା ସହ ଜଡିତ । ତଥାପି ପୁରାଣ ଉପରେ ଜ୍ଞାନଥିବା ବ୍ୟକ୍ତିଙ୍କ ମତ ହେଉଛି ଶକ୍ତିପୀଠ ସବୁ ରାମାୟଣ କାଳର ପୂର୍ବ ସମୟର । ବାଲକ୍କି ରାମାୟଣ ଅନୁସାରେ କିସ୍କିନ୍ଦ୍ୟା ନିକଟରେ ଋଷ୍ୟମୁକ ପର୍ବତରେ ପ୍ରଭୁ ଶ୍ରୀରାମ ଲଙ୍କାରେ ରାବଣ ସହ ଯୁଦ୍ଧ କରିବା ପୁର୍ବରୁ ମାତା ଦୁର୍ଗା (ଶକ୍ତି)ଙ୍କର ଉପାସନା କରିଥିଲେ, ବ୍ରହ୍ମା ଭଗବାନ ଶ୍ରୀରାମଙ୍କୁ ଦେବୀ ଦୁର୍ଗାଙ୍କୁ ଚଣ୍ଡୀ ରୂପରେ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ବ୍ରହ୍ମାଙ୍କ ପରାମର୍ଶକ୍ରମେ ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ ନବମୀ ପର୍ଯ୍ୟନ୍ତ ଚଣ୍ଡିଙ୍କର ପୂଜା କରିଥଲେ ଓ ଦେବୀଙ୍କୁ ଉପାସନା କରି ସେ ଲଙ୍କା ବିଜୟ କରିଥିଲେ । କୁହାଯାଏ ଯେ ଏହି ତିଥିକୁ ମାନିନେଇ ୯ଦିନ ପର୍ଯ୍ୟନ୍ତ ନବରାତ୍ର ପାଳନ କରାଯାଉଛି ।ପ୍ରଭୁ ଶ୍ରୀରାମଙ୍କ ପୁର୍ବରୁ କିନ୍ତୁ ବିଜୟାଦଶମୀର ପର୍ବ ପାଳନ କରାଯାଉଛି । ମାତାଦୁର୍ଗା ମହିଷାସୁର ସହ ୯ଦିନ ପର୍ଯ୍ୟନ୍ତ ଯୁଦ୍ଧ କରି ୧୦ମ ଦିନରେ ତାର ବଧ କରିଥିଲେ । ବିଜୟା ଦଶମୀ ପର୍ବ ମାତା କାତ୍ୟାୟନୀ ଦୁର୍ଗା ମହିଷାସୁରର ବଧ କରିବା କାରଣରୁ ପାଳିତ ହେଉଛି ଯାହା ଶ୍ରୀରାମଙ୍କ କାଳର ପୂର୍ବରୁ ହିଁ ପ୍ରଚଳିତ ହୋଇଆସୁଛି । ଇତିହାସର ତଥ୍ୟ ଅନୁସାରେ ସିନ୍ଧୁ ସଭ୍ୟତାର ଲୋକେ ଯେଉଁ ଦେବତାଙ୍କୁ ପୂଜା କରୁଥିଲେ ସେମାନଙ୍କୁ ବୈଦିକ ସଭ୍ୟତାର ଲୋକେ ପଶୁପତି ଏବଂ ରୁଦ୍ରଭାବେ ପୂଜା କରିବା ଆରମ୍ଭ କରିଥିଲେ ଏବଂ ଯେଉଁ ମାତୃକା (ଦେବୀ)ଙ୍କ ପୂଜା କରୁଥିଲେ ବୈଦିକ ସଭ୍ୟତାରେ ତାହା ଦେବୀଙ୍କ ପ୍ରାରମ୍ଭିକ ରୂପ ହୋଇଯାଇଥଲା । ସିନ୍ଦୁ ସଭ୍ୟତା ହିଁ ବୈଦିକ ଆର୍ଯ୍ୟ ସଭ୍ୟତା । ଏଥିରେ ସର୍ବଶକ୍ତିମାନ ଦେବୀ ଆଦିତିଙ୍କୁ ସମସ୍ତ ପ୍ରାଣୀଙ୍କର ଜନନୀ ବୋଲି ଗ୍ରହଣ କରାଯାଇଛି । ଏହାପରେ ଏହି ସମୟରେ ଅମ୍ବିକା, କାତ୍ୟାୟନୀ ଆଦି ନାମରେ ଦେବୀ ମାନଙ୍କୁ ନାମିତ କରାଯାଇଛି ।
ପୁରାଣ ବା ଇତିହାସରେ ଯାହାବି ଉଲ୍ଲେଖ ଥାଉନା କାହିଁକି ଏବେ ଶାରଦୀୟ ନବରାତ୍ର ଭାରତ ସମେତ ଅନେକ ଦେଶରେ ପାଳିତ ହେଉଛି । ଯେଉଁ ସମୟରେ ବିଶ୍ୱର ଅଧିକାଂଶ ଦେଶ ଅଶିକ୍ଷିତ ଏବଂ ଅସଭ୍ୟ ଥିଲେ ସେ ସମୟରେ ଭାରତ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଥିଲା । କେବଳ ପୁରୁଷ ନୁହଁନ୍ତି ଭାରତର ମହିଳାମାନେ ଶିକ୍ଷିତା ଥିଲେ । ସେମାନେ ଶାସ୍ତ୍ର ବାବଦରେ ଜ୍ଞାତା ଏପରିକି ଅର୍ଥ ଶାସ୍ତ୍ରରେ ବିଶାରଦ ଥିଲେ । ଦେବୀମାନେ ରାକ୍ଷସଙ୍କୁ ବଧ କରିବା କଥା ପୁରାଣରେ ଉଲ୍ଲେଖ ରହିଛି ଓ ଏଥିରୁ ସ୍ପଷ୍ଟ ଯେ ନାରୀ (ମହିଳା) ହିଁ ସୃଷ୍ଟିରେ ଶ୍ରେଷ୍ଠ । ନାରୀ ହେଉଛି ସଂସ୍କାରର ଜନନୀ ଓ ତା ଭିତରେ ମମତା, ସ୍ନେହ, ଉଦାରତା, ଆତ୍ମୀୟତା, ପ୍ରେମ ଆଦି ଗୁଣ ଭରି ରହିଛି ଯାହା ଜୀବନର ଅଂଶ ବିଶେଷ । ନାରୀ ଅବଳା ଦୁର୍ବଳା ନୁହେଁ ବରଂ ସର୍ବଶକ୍ତିମାନ, ଶକ୍ତି ସ୍ୱରୂପିଣୀ । ନବରାତ୍ର ନାରୀ ସଶକ୍ତି କରଣର ସନେ୍ଦଶ ବାହକ ।
ରାମଚନ୍ଦ୍ରପୁର, ରଣପୁର
ମୋ :୯୪୩୮୪୮୫୦୯୪