‘ସିନ୍ଦୂର ଯାତ୍ରା’ରେ ମୁଖ୍ୟମନ୍ତ୍ରୀ

‘ଅପରେସନ୍ ସିନ୍ଦୂର’ ସାହସ ଓ ସମ୍ମାନର ସମାହାର : ମୋହନ
ଭୁବନେଶ୍ୱର : ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର । ଆମର ବୀର ଯବାନମାନଙ୍କୁ ଏହି ପଦଯାତ୍ରା ଦ୍ୱାରା ଆମେ ସ୍ମରଣ କରୁଛୁ ବୋଲି କହିଥିଲେ । ସୂଚନାଯୋଗ୍ୟଯେ, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତି ବିଭାଗ ଦ୍ୱାରା ମୁଖ୍ୟତଃ ମହିଳାମାନଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ରୋଡ଼ ଠାରୁ ଆରମ୍ଭ ହୋଇ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ, ଭାରତୀୟ ନୌସେନାର ସର୍ଜେଣ୍ଟ୍ ଲେଫ୍ଟେନାଣ୍ଟ୍ କମାଣ୍ଡର, ଅନନ୍ୟା ଦଳବେହେରା ଓ ପେହେଲଗାଓଁ ଠାରେ ସହିଦ୍ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଉପସ୍ଥିତ ରହି ଏହି ଅପରେସନ ସିନ୍ଦୁର ସଫଳତାର ପଦଯାତ୍ରାରେ ଭାଗ ନେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଭାରତୀୟ ନାରୀଟିଏ ମଥାରେ ସିନ୍ଦୁର ପିନ୍ଧିଲା ସମୟରେ ଏହା ସଂକଳ୍ପ ନେଇଥାଏଯେ, ସେ ନିଜ ସ୍ୱାମୀ ଓ ପରିବାର ପାଇଁ ସମସ୍ତ ବାଧାବିଘ୍ନକୁ ସହି ଏକ ସୁଦୃଢ଼ କବଚ ଭାବେ ସୁରକ୍ଷା ଦେବ । ସିନ୍ଦୁରର ରଙ୍ଗ ନାଲି । ଏହି ନାଲି ରଙ୍ଗ ବିଜୟର ପ୍ରତୀକ ଏବଂ ବିପଦର ମଧ୍ୟ ପ୍ରତୀକ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଏହି ସିନ୍ଦୁରର ନାଲି ରଙ୍ଗକୁ ଶତ୍ରୁମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ ଦେଇ, ଏହି ମିଶନର ନାଁ ଅପରେସନ୍ ସିନ୍ଦୁର ରଖିଛନ୍ତି । ସେ ପୁଣି କହିଥିଲେଯେ, ଆପଣମାନେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହଙ୍କୁ ଟେଲିଭିଜନରେ ଦେଖିଥିବେ । ଉଭୟ ଆଜି ବନି ଯାଇଛନ୍ତି ଭାରତୀୟ ନାରୀ ଶକ୍ତିର ପ୍ରତୀକ । ଉକ୍ତ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ନର୍ଲା ବିଧାୟିକା ମନୋରମା ମହାନ୍ତି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ସମାଜସେବୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।