ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ବିବେକ ଦା’ ନିପାତ
ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ପ୍ରୟାଗ ମାଁଝୀ ଓରଫ୍ ବିବେକ ଦା ଯବାନଙ୍କ ଗୁଳିରେ ମୃତୁ୍ୟବରଣ କରିଛନ୍ତି । ଝାରଖଣ୍ଡ ଜଙ୍ଗଲରେ ବିବେକ ଦା’ର ରାଜ୍ ଚାଲି ଆସୁଥିଲା । ୩୭ଟି ଘଟଣାରେ ସେ ମୋଷ୍ଟ ୱାଣ୍ଟେଡ଼ ଥିବାବେଳେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ସିପିଆଇ (ମାଓବାଦୀ)ର ପଲଟିବୁ୍ୟରୋ ମେମ୍ବର ପ୍ରଶାନ୍ତ ବୋଷ ଓରଫ କିସାନ ଦା’ଙ୍କ ଗିରଫ ପରେ ବିବେକ ହିଁ ଝାରଖଣ୍ଡରେ ନକ୍ସଲଙ୍କଦ୍ଭ ମଙ୍ଗ ଧରିଥିଲା । ତା' ମୁଣ୍ଡ ଉପରେ ୧ କୋଟିର ଇନାମୀ ରହିଥିଲା । କୋବ୍ରା ବାହିନୀ ଓ ଝାରଖଣ୍ଡ ଜାଗୁଆର ସହ ଆଜି ବିବେକ ଓ ତା’ ଟିମର ଗୁଳି ବିନିମୟ ହୋଇଥିଲା । କିନ୍ତୁ ଯବାନଙ୍କ ଲଢ଼ୁଆ ଆକ୍ରମଣରେ ବିବେକ, ୨ ଟପ୍ ମାଓବାଦୀ ଲିଡ଼ର ଓ ଅନ୍ୟ ୫ ଜଣଙ୍କର ମୃତୁ୍ୟ ହୋଇଥିଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ସୀନ୍ତ କିଲମ ଏବଂ ବରଗୁମ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ଦୁଇ ଇନାମୀ ମାଓବାଦୀ ମୃତୁ୍ୟବରଣ କରିଥିବା ଜଣାପଡିଛି । ଦୁଇ ମୃତ ମାଓବାଦୀଙ୍କ ନାମରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ତୋୟାନାର ଓ ଫେରସଗଡ ଜଙ୍ଗଲରେ ଜବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ସିଆରପିଏଫ ଯବାନ ପ୍ରେସର ବୋମା ସଂସ୍ପର୍ଶରେ ଆସି ସହିଦ୍ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ପୋଲିସ ଚାରିଜଣ ସକ୍ରିୟ ମାଓବାଦୀଙ୍କୁ ଗିରଫ କରିଛନ୍ତି । ଏମାନେ ଆଇଡି ଲଗାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗିରଫ କରିଛି । ସର୍ଚ୍ଚ ଅପରେସନ ସମୟରେ ଏମାନେ ଯବାନମାନଙ୍କୁ ଦେଖି ଫେରାର ହେବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଯବାନମାନେ ତାଙ୍କୁ ଘେରାବନ୍ଦି କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଡିଟୋନେଟର, ବିଦୁ୍ୟତ୍ ତାର, ଜିଲଟିନ ରଡ୍ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ।