କାହିଁକି ହାରିଲା ଆପ୍ ?

୨୦୧୩ରୁ କ୍ଷମତାରେ ଥିବା ଆପ୍ ଏଥର ହାରିଯାଇଛି । କାହିଁକି କେଜ୍ରିୱାଲ ଓ ତାଙ୍କ ଦଳ ଆପ୍ ହାରିଗଲା ତାହାକୁ ନେଇ ରାଜନୀତିକ ସମୀକ୍ଷକମାନେ ଅନୁଶୀଳନ କରିଛନ୍ତି । ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ଅଭାବ, ଭୁଅାଁ ବୁଲାଇବା ଭଳି ଉଡ଼ା ପ୍ରତିଶ୍ରୁତି ଓ କେଜ୍ରିୱାଲଙ୍କ ଅହଙ୍କାର ପାଇଁ ଆପ୍ ଦିଲ୍ଲୀରେ ହାରିଗଲା । ‘ଚର୍ଚ୍ଚିତ ଆପ୍ ନେତା ଜେଲ୍ଦଣ୍ଡ ଭୋଗିବା’, ‘ମାଗଣା ଯୋଜନା ଘୋଷଣା’, ‘କେଜ୍ରିୱାଲ ଗଢ଼ୁଥିବା ବିଳାସପୂର୍ଣ୍ଣ ‘ଶୀଶ ମହଲ’ ଘର, ‘ଯମୁନା ଆବର୍ଜନା’, ‘ବିଜେପିର ଆପ୍ଦା ସ୍ଲୋଗାନ’ ଏବଂ ‘ଆପ୍-କଂଗ୍ରେସ ମଧ୍ୟରେ କୁତ୍ସାରଟନା’ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ଦିଲ୍ଲୀର ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ହିଁ ତାଙ୍କ ପାଇଁ କାଳ ହୋଇଛି । କେଜ୍ରିଙ୍କ ସ୍ୱଚ୍ଛ ଚେହେରାରେ ତାହା କଳଙ୍କ ଲଗାଇ ଦେଇଥିଲା । ଖାଲି କେଜ୍ରିୱାଲ ନୁହଁନ୍ତି ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ଦୁର୍ନୀତି ଜାଲରେ ଛନ୍ଦି ହୋଇଯାଇଥିଲେ । ତିନି ପ୍ରମୁଖ ନେତା ଦୀର୍ଘଦିନ ଧରି ଜେଲରେ ରହିବା ଘଟଣା ଆପ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଥିଲା । ଏହାଦ୍ୱାରା ଆପ୍ର ଲୋକପ୍ରିୟତା ବି ହ୍ରାସ ପାଇଥିଲା ।
ଆପ୍ ଭଳି ବିଜେପି ମଧ୍ୟ ମାଗଣା ବିଜୁଳି, ଜଳ ଯୋଗାଣ, ଯମୁନା ସଫେଇ, ମହିଳା ଓ ଅଟୋ ଚାଳକଙ୍କୁ ଅର୍ଥ ଓ ଅନ୍ୟ ସୁବିଧା ପ୍ରଦାନ ଭଳି ଲୋଭନୀୟ ଘୋଷଣା କରିଥିଲା । ଯାହାକି ମହିଳା, ଯୁବଗୋଷ୍ଠୀ ଏବଂ ଅଟୋ ଚାଳକଙ୍କୁ ସୁହାଇଥିଲା । କେଜ୍ରିୱାଲଙ୍କୁ ସମସ୍ତେ ସରଳ ବୋଲି ଜାଣିଥିବାବେଳେ ବିଳାସପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ବାସଭବନ ନିର୍ମାଣ ତାଙ୍କ ପାଇଁ କାଳ ହୋଇଛି । ଯାହାକୁ କି ବିଜେପି ବଡ଼ ପ୍ରସଙ୍ଗ କରିଥିଲା ।
୧୦ ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଥିଲେବି କେଜ୍ରିୱାଲ ସରକାର ଯମୁନା ସଫା କରିପାରିନଥିଲେ । ଏହାଛଡ଼ା ଦିଲ୍ଲୀର ବିପର୍ଯ୍ୟସ୍ତ ରାସ୍ତା, ବର୍ଷାରେ ବନ୍ୟା ପରିସ୍ଥିତି ଓ ବାୟୁ ପ୍ରଦୂଷଣ ଜନିତ କୁହୁଡ଼ି ବି ଆପ୍ ସରକାରକୁ ଅକଳରେ ପକାଇ ଦେଇଥିଲା ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ବିଜେପି ବିରୋଧରେ ଇଣ୍ଡିଆ ମେଣ୍ଟ ବିଷ ଓଗାଳୁଥିଲା । ଆପ୍ ଓ କଂଗ୍ରେସ ଉଭୟ ଇଣ୍ଡି ମେଣ୍ଟରେ ରହି ବିଜେପିକୁ ଟାର୍ଗେଟ୍ କରୁଥିଲେ । ତେବେ ନିର୍ବାଚନ ବେଳେ ଆପ୍ ଓ କଂଗ୍ରେସ ପରସ୍ପରକୁ ଟାର୍ଗେଟ୍ କରିଥିଲେ । ବିରୋଧୀ ଭୋଟ ବିଭାଜନ ବି ଦଳ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ନିର୍ବାଚନ ଫଳାଫଳ ପରେ ହେଉଥିବା ଆକଳନ ଅନୁଯାୟୀ, ନୂଆଦିଲ୍ଲୀ, ଜଙ୍ଗପୁରା, ଗ୍ରେଟର କୈଳାସ, ମାଲବ୍ୟ ନଗର, ବଦଲି, ତିମରପୁର, ନାଙ୍ଗୋଲୋଇ ଜାଟ୍, ରାଜିନ୍ଦର ନଗର, ଛତରପୁର, ସଂଗମ ବିହାର ଓ ତ୍ରିଲୋକପୁରୀ ଆସନରେ କମ୍ ଭୋଟରେ ଆପ୍ ହାରି ଯାଇଛି । ସେଠାରେ କଂଗ୍ରେସ ପ୍ରାର୍ଥୀ ଭଲ ଭୋଟ ପାଇଥିବାରୁ ଆପ୍ ହାରିଲା ବୋଲି କୁହାଯାଉଛି ।