କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି । ରେଜଲ୍ଟ ବାହାରିବା କ୍ଷଣି ଆରମ୍ଭ ହୋଇଯାଇଛି ମୁଖ୍ୟମନ୍ତ୍ରୀ ରେସ୍ । ଏହି ରେସ୍ରେ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପିଲାମାନେ ରହିଛନ୍ତି । ତେବେ ବିଜେପି ପରିବାରବାଦକୁ ପ୍ରଶୟ ଦେଉଛି ନା ମୋଦି ଆଉ କାହାକୁ ମୁଖ୍ୟମନ୍ତ୍ରୀ କରି ଚକିତ କରିଦେଉଛନ୍ତି ତାହା ଉପରେ ନଜର ରହିଛି ।
ଏବେ ଆସନ୍ତୁ ଜାଣିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍ରେ କିଏ ଅଛନ୍ତି ?
ପରବେଶ ବର୍ମା : ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ସେ ପାଲଟିଛନ୍ତି ଜିଆଣ୍ଟ କିଲର । ତାଙ୍କ ବାପା ସାହେବ ସିଂହ ବର୍ମା ପୂର୍ବରୁୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୩ରେ ବିଧାୟକ ଓ ୨୦୧୪ ଏବଂ ୨୦୧୯ରେ ସେ ସାଂସଦ ହେବାର ସୌଭାଗ୍ୟ ପାଇଥିଲେ ।
ବିଜେନ୍ଦର ଗୁପ୍ତା : ଦିଲ୍ଲୀ ବିଧାନସଭାର ସେ ଥିଲେ ବିରୋଧୀ ଦଳ ନେତା । ରୋହିଣୀ ଆସନରୁ ସେ ଆପର ପ୍ରଦୀପ ମିତ୍ତଲଙ୍କୁ ପରାସ୍ତ କରିଛନ୍ତି । ୨୦୧୫ ଓ ୨୦୨୦ରେ ବି ସେ ବାଜିମାତ୍ କରିଥିଲେ । ଦିଲ୍ଲୀର ବିଜେପି ମୁଖିଆ ହେବାର ବି ସୌଭାଗ୍ୟ ପାଇଛନ୍ତି ।
ବୀରେନ୍ଦ୍ର ସଚ୍ଚଦେବା : ଦିଲ୍ଲୀ ବିଜେପିର ସଭାପତି ଅଛନ୍ତି ବୀରେନ୍ଦ୍ର । ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଥିଲା । ୨୭ ବର୍ଷ ପରେ ବିଜେପି କ୍ଷମତାକୁ ଫେରିଥିବାରୁ ତାଙ୍କୁ ବି ବିଜୟର ଶ୍ରେୟ ଦିଆଯାଉଛି । ଦିଲ୍ଲୀ ଅଲମ୍ପିକ୍ସର ଉପସଭାପତି ଓ ଆର୍ଚେରୀ ସଂଘର ସେ ଅଛନ୍ତି ମହାସଚିବ ।
ହରିଶ ଖୁରାନା : ମୋତିନଗରରୁ ବାଜିମାତ୍ କରିଛନ୍ତି ହରିଶ୍ । ତାଙ୍କ ବାପା ମଦନ ଲାଲ ଖୁରାନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ଦିଲ୍ଲୀ ବିଜେପିର ବହୁ ଗୁରୁ ଦାୟିତ୍ୱ ସେ ସମ୍ଭାଳିଛନ୍ତି ।
ବାଂଶୁରୀ ସ୍ୱରାଜ : ସୁଷମା ସ୍ୱରାଜଙ୍କର କନ୍ୟା ହେଉଛନ୍ତି ବାଂଶୁରୀ । ତାଙ୍କ ମା’ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ନୂଆଦିଲ୍ଲୀ ଆସନରୁ ସେ ଲୋକସଭା ସାଂସଦ ଅଛନ୍ତି ।
ଏମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେ ବି ମୋଦି ଓ ଶାହା ଚକମା ଦେବାରେ ମାହିର । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସନ୍ତାନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇ ଦଳ ପରିବାରବାଦର ବୋଝ ମୁଣ୍ଡାଇବାକୁ ଚାହିଁବ ନାହିଁ ବୋଲି କୁହାଯାଉଛି । ତେଣୁ ନୂଆ ନେତାଙ୍କୁ ବି ଏହି ପଦବୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।