ଅକଳରେ ଦୀପାଳି ଓ ବିଶାଳ

ଅକଳରେ ପଡ଼ିଯାଇଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଭାଇ ବିଶାଳ ଦାସ  । ଆଜି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡା ବାସଭବନ ସମେତ ୧୯ ସ୍ଥାନରେ ଆୟକର ବିଭାଗ ବଡ଼ ଧରଣର ଚଢ଼ାଉ କରିଛି  । ଝାରସୁଗୁଡା, ସମ୍ବଲପୁର,ସୁନ୍ଦରଗଡ଼, ରେଙ୍ଗାଲି, ଭୁବନେଶ୍ୱର ଏବଂ ଦିଲ୍ଲୀ ସ୍ଥିତ ବାସଭବନରେ ଆୟକର ବିଭାଗ ରେଡ୍ କରୁଛି । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଥିବା ଜାଣିବାକୁ ମିଳିଛି  ।  ଝାରସୁଗୁଡା ସ୍ଥିତ ବାସଭବନରେ ସକାଳ ପ୍ରାୟ ୬ଟା ସମୟରେ ୪ଟି ଗାଡ଼ିରେ ଆୟକର ବିଭାଗର ୧୦ ଜଣିଆ ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି  । ସେହି ସମୟରେ ଦୀପାଳି ଦାସ ପୁରୀରେ ଥିବାବେଳେ ବିଶାଳ ଦିଲ୍ଲୀରେ ଥିଲେ  ।
ସ୍ୱର୍ଗତ ନବ ଦାସ ପୂର୍ବରୁ କୋଇଲା ବ୍ୟବସାୟରେ ସକ୍ରିୟ ଥିଲେ  । କୋଇଲା ବ୍ୟବସାୟ କ୍ଷେତ୍ରରେ ତାଙ୍କ ବେଶ ଦବଦବା ରହିଥିଲା  । କୋଇଲା ବ୍ୟବସାୟରେ ସାମିଲ ଥିବା ତାଙ୍କ ସହଯୋଗୀମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିଛି  । ଏପରିକି ଝାରସୁଗୁଡା ବଡ଼ମାଲ ସ୍ଥିତ ମା’ ତାରିଣୀ ଟ୍ରାନ୍ସପୋର୍ଟରେ ମଧ୍ୟ ଚଢ଼ାଉ କରି ଆୟକର ବିଭାଗ ପକ୍ଷରୁ କାଗଜ ପତ୍ର ଯାଞ୍ଚ କରାଯାଇଛି  । ଝାରସୁଗୁଡାରେ ଏ ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ କଣ କଣ ଜବତ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ  । ଏନେଇ ସ୍ୱର୍ଗତ ନବ ଦାସଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି  ।  ଏହି ଚଢ଼ାଉରେ ଶହେରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି  । ସେହିପରି ୧୨୦ ଆଇଟି ଅଫିସର, ୪୦ ସିଆରପିଏଫ ଯବାନ, ୬୦ଟି ଗାଡ଼ି ଏବଂ ସାଇଣ୍ଟିଫିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି ବୋଲି ସୂତ୍ରରୁ ଜଣାପଡିଛି  । ସୂଚନାଥାଉକି, ଗତ ଜାନୁଆରୀ ମାସରେ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଆୟକର ବିଭାଗର ଚଢ଼ାଉ ହୋଇଥିଲା  । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ କରିଥିଲେ  । ଏଥିସହିତ ତାଙ୍କ ସମ୍ପର୍କରେ ଥିବା ୬ ଠିକାଦାରଙ୍କ ଘରେ ଆୟକର ଟିମ୍ ପଶି ତନାଘନା କରିଥିଲା  ।  ଆମ ସମ୍ବଲପୁର ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ସମ୍ବଲପୁରର ୪ ସ୍ଥାନରେ ରେଡ ହୋଇଥିଲା  । ବୀର ସୁରେନ୍ଦ୍ର ସାଏ ମାର୍ଗରେ ଥିବା ଏକ ହୋଟେଲ, ମୁଦିପଡାରେ ଥିବା ଏକ ବିଶାଲ ଭିଲା ବାସ ଭବନ, ଅଇଁଠାପାଲି ଛକରେ ଏକ ମଲ୍ ଏବଂ ଝାରସୁଗୁଡା ରୋଡ଼ରେ ଥିବା ଡି-ବାରରେ ଆଇଟି ରେଡ ହୋଇଥିଲା  । ଆୟକର ଫାଙ୍କିବା ଅଭିଯୋଗରେ ଏହି ତନାଘନା କରାଯାଉଛି  ।