ଅକୁହା ଯନ୍ତ୍ରଣାର କଥା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ମଣିଷ ଜୀବନର ଅକୁହା ଯନ୍ତ୍ରଣାର କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ମଣିଷ ଜଣେ ଆରକ ଠାରୁ ଭିନ୍ନ । କେହି କାହା ସହିତ ସମାନ ନୁହେଁ । ଠିକ୍ ସେହିପରି ପ୍ରତ୍ୟେକକ ମଣିଷର ସମସ୍ୟା ମଧ୍ୟ ସ୍ୱତନ୍ତ୍ର । କାହାରି ସମସ୍ୟା କାହା ସହିତ ସମାନ ହୁଏ ନାହିଁ । ହେଲେ ଦାଣ୍ଡକୁ ବାହାରିବା ବେଳକୁ ବେଶ ପୋଷାକର ଚାକଚକ୍ୟ ହିଁ ଦେଖାଯାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ମନ ଭିତରେ ଥିବା ସମସ୍ୟାକୁ ନେଇ ଅହରହ ଘାଣ୍ଟି ହୁଅନ୍ତି । ଏସବୁ ସତ୍ତ୍ୱେ ଘରୁ ବାହାରକୁ ଆସିବା ବେଳକୁ ସୁନ୍ଦର ଏବଂ ମାର୍ଜିତ ପୋଷାକରେ ନିଜକୁ ଭଦ୍ରଲୋକ ବୋଲି ଦେଖେଇ ହେବା ପାଇଁ ଚେଷ୍ଟା କରେ । ଏହା ଜଣଙ୍କ କଥା ନୁହେଁ । ପୃଥିବୀରେ ସମସ୍ତେ ନିଜ ନିଜ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ବାହାରକୁ ଆସିଲେ ସୁନ୍ଦର ଏବଂ ଚିକ୍କଣ ପୋଷାକରେ ନିଜକୁ ସବୁଠାରୁ ଭଲ ବ୍ୟକ୍ତି ବୋଲି ଦେଖେଇ ହେବାକୁ ଚାହାନ୍ତି । କାହାରି ମନ ଭିତରେ ଥିବା ସମସ୍ୟା ବା କଥା ଅନ୍ୟ ଜଣେ ଜାଣିପାରେ ନାହିଁ । ହେଲେ ନିଜ ସମସ୍ୟାକୁ ନେଇ ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତ ଥିଲେ ମଧ୍ୟ ଏଥିରେ ଧୈର୍ଯ୍ୟହରା ହେବା ଆଦୌ ଉଚିତ୍ ନୁହେଁ । କାରଣ କୌଣସି ଭୂଖଣ୍ଡର ସର୍ବୋଚ୍ଚ କ୍ଷମତାଧାରୀ ପଦବୀଧାରୀ ବ୍ୟକ୍ତିର ମଧ୍ୟ ସମସ୍ୟା ରହିଛି । ନିଜ ସମସ୍ୟାକୁ ନିଜେ ସେ ସବୁ ସମୟରେ ଆୟତ୍ତ କରି ପାରିନଥାଏ । ମନ ଭିତରେ ଅନେକ ଆଶଙ୍କା, ଭୟ ଏବଂ ଅନ୍ୟ ପ୍ରତି ସନେ୍ଦହ ଭାବ ଭରି ହୋଇ ରହିଥାଏ । ଯିଏ ଯେତେ ଅଧିକ କ୍ଷମତାଶାଳୀ ତାହା ମନ ଭିତରେ ଅକୁହା କଥା ସେତେ ଅଧିକ । ସମସ୍ୟା କେବେ କାହା ପିଛା ଛାଡ଼େ ନାହିଁ । କେହି କହୁ କିମ୍ବା ନକହୁ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ଇଚ୍ଛା ପୂରଣ ହେଲେ ପୁଣି ଆଉ ଶହେଟି ଇଛା ସମସ୍ୟା ଭାବରେ ଦେଖାଦିଏ । ସେସବୁକୁ ପୂରଣ କରିବା ପୃଥିବୀର କୌଣସିବି ବ୍ୟକ୍ତି ପଛରେ ସମ୍ଭବ ନୁହେଁ । ଯେତେ ଧନୀ ହୁଅନ୍ତୁ ନା କାହିଁକି ଜନବଳ ଯାହାବି ଥାଉନା କାହିଁକି, ଖ୍ୟାତି ଯେତେ ହେଉନା କାହିଁକି, କ୍ଷମତା ଯେତେ ବି ହେଉ ସବୁଥିରେ ଗୋଟିଏ ଶେଷ ବିନ୍ଦୁ ଅଛି ଏବଂ ପ୍ରତ୍ୟେକ ମଣିଷ ସେହି ଶେଷ ବିନ୍ଦୁ ପରେ ଆଉ ଆଗକୁ ଯିବା ସମ୍ଭବ ନୁହେଁ କିମ୍ବା ସେହି ଇଚ୍ଛା ଗୁଡ଼ିକ ପୂରଣ କରିବା ସମ୍ଭବ ନୁହେଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।