ଜବତ୍ ବାଣର ପରିଚାଳନା


ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉତ୍ସବ ତଥା ଆନନ୍ଦ ପାଇଁ ଲୋକମାନେ ବାଣ ଫୁଟାଇବା ଏକ ସ୍ୱାଭାବିକ କାର୍ଯ୍ୟ । ତେବେ ଗତ କିଛିମାସ ଭିତରେ ବାଣଫୁଟାକୁ ନେଇ ଅନେକ ଦୁର୍ଘଟଣା ଘଟୁଥିବାରୁ ପୁଲିସ୍ ତତ୍ପର ହୋଇଉଠିଛି । ବେଆଇନ୍ ଭାବରେ ବିକ୍ରି କରାଯାଉଥିବା ବାଣ, ବେଆଇନ୍ ଗଚ୍ଛିତ ବାଣ, ବେଆଇନ୍ ଭାବରେ ତିଆରି ହେଉଥିବା ବାଣ ଆଦିକୁ ପୁଲିସ୍ ପକ୍ଷରୁ ଜବତ୍ କରାଯାଇ ସେସବୁକୁ ଥାନାର ମାଲ୍ଖାନାରେ ରଖାଯାଉଛି ।
ଗଲା ପହିଲି ରଜ ଦିନ କାଠଯୋଡ଼ି ନଦୀ ପଠାର ଏକ ସ୍ଥାନରେ ଜବତ୍ ବାଣ ଗୁଡ଼ିକୁ ନଷ୍ଟ କରାଯାଉଥିବା ସମୟରେ ବାଣ ଭିତରେ ରହିଥିବା ଏକ ସୁତୁଲି ବମ୍ ଯୋଗୁଁ ଜଣେ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି ଗୋଟିଏ ଘଟଣାରୁ ଆମକୁ ଅନେକ ପ୍ରକାରର ଶିକ୍ଷା ମିଳୁଛି । ଜବତ୍ ହେଉଥିବା ବାଣ ସବୁ କେବଳ ବାଣ ନୁହେଁ । ଏହା ଭିତରେ ଦେଶୀ ହାତ ତିଆରି ବମ୍ ମଧ୍ୟ ରହୁଛି । ବିଭିନ୍ନ ସମୟରେ ଅପରାଧୀମାନଙ୍କୁ ଏହି ବମ୍ ଯୋଗାଇ ଦେବା ଉଦେ୍ଦଶ୍ୟରେ ସେସବୁ ତିଆରି କରାଯାଉଛି । ଏଗୁଡ଼ିକ ଉପରକୁ ବାଣ ଭଳି ଦେଖାଯିବା ଏବଂ ବାଣ ତିଆରି ହେଉଥିବା ସ୍ଥାନରେ ବମ୍ ଭିଡ଼ା ଯାଇଥିବା ଭଳି କାର୍ଯ୍ୟ ହେଉଥିଲେ ମଧ୍ୟ ସବୁତକ ଘଟଣା ପୁଲିସ୍ର ନଜରକୁ ଆସୁ ନାହିଁ । ବାଣ ନିଷ୍କ୍ରିୟ କରାଯିବା ସମୟରେ ସୁତୁଲି ବୋମା ଭଳି ପଦାର୍ଥ ବିସ୍ଫୋରଣ ହେବା ଘଟଣା ସୂଚାଇ ଦେଉଛି ଯେ ବାଣ ନାଁରେ ଏସବୁକୁ ଜବତ୍ କରି ମାଲଖାନାରେ ରଖାଯିବା ମଧ୍ୟ ନିରାପଦ ନୁହେଁ । କୌଣସି କାରଣରୁ ଯଦି ମାଲଖାନାରେ ନିଆଁ ଲାଗେ, ତାହା ହେଲେ ବିସ୍ଫୋରଣରେ ସମୁଦାୟ ଥାନା ଉଡ଼ିଯିବା ଅସମ୍ଭବ ନୁହେଁ । ବର୍ତ୍ତମାନ ସୁତୁଲି ବୋମା ଫୁଟି ସାରିଛି । ଏହାର ପ୍ରତ୍ୟକ୍ଷ ସାକ୍ଷୀ ମୃତୁ୍ୟବରଣ କରି ସାରିଛନ୍ତି । ତେଣୁ ଏହି ବୋମା କେତେ ତାରିଖରେ କାହା ଠାରୁ ଜବତ୍ ହୋଇଥିଲା, ସେ ବିଷୟରେ ତଥ୍ୟ ମିଳିବା କଷ୍ଟ । ପୁଲିସ୍ ପକ୍ଷରୁ ବାଣ ନିଷ୍କ୍ରିୟ କରାଯିବା ନେଇ ବାଣ କେଉଁଠାରେ ତିଆରି ହୋଇଥିବା ତାହା ଖୋଜିବା କାମ ଆରମ୍ଭ ହେବ । ଯେତେଦୂର ସମ୍ଭବ ପ୍ରକୃତ ବୋମା ପ୍ରସ୍ତୁତକାରୀ ନିକଟରେ ପହଞ୍ଚିବା ସହଜ ହେବ ନାହିଁ କିମ୍ବା ସମ୍ଭବ ବି ହୋଇନପାରେ । ତେଣୁ ଏହି ବୋମା ଯେଉଁଠାରୁ ଆସିଥିଲା ଏବଂ ଯିଏ ପ୍ରସ୍ତୁତ କରିଥିଲା ସେମାନଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ସେହି ଅପରାଧୀ ତଥା ଦୋଷୀମାନଙ୍କୁ କୋର୍ଟ୍ରେ ପ୍ରମାଣ ସହିତ ଉପସ୍ଥାପନ କରିବା ମଧ୍ୟ ଆହୁରି କଷ୍ଟ । ତେବେ ଏତିକିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ଜବତ୍ ହେଉଥିବା ବାଣ ଗୁଡ଼ିକ ନିଷ୍କ୍ରିୟ କରିବା କ୍ଷେତ୍ରରେ ଷ୍ଟାଣ୍ଡାଡର୍୍ ଅପରେସନ୍ ପ୍ରୋସିଜିଓର୍ ପାଳନ କରାଯାଇନଥିବାରୁ ଜଣେ ପୁଲିସ୍ କର୍ମଚାରୀଙ୍କ ଅମୂଲ୍ୟ ଜୀବନ ନଷ୍ଟ ହେଲା । ବାଣ ଭିତରେ କଣ ରହିଛି ତାହା ଜାଣିବା କଷ୍ଟକର । ତେଣୁ ସବୁ ବାଣକୁ କେବଳ ବାଣ ଦୃଷ୍ଟିରୁ ବିବେଚନା ନକରି ଯେ କୌଣସି ପ୍ରକାରର ମାରାତ୍ମକ ବିସ୍ଫୋରକ ଭାବରେ ତଥା ପ୍ରାଣଘାତୀ ବିସ୍ଫୋରକ ଭାବରେ ସେସବୁର ଜବତ୍ ଏବଂ ମାଲଖାନାରେ ରଖାଯିବା ବ୍ୟବସ୍ଥା କରାଯିବା ଉଚିତ୍ । 
ଭଉଁରୀ ଯାତ୍ରାର ଶେଷ ଦିନ ପୁରୀର ନରେନ୍ଦ୍ର ପୋଖରୀ ଠାରେ ଉତ୍ସବ ପାଳନ ନିମିତ୍ତ ରଖାଯାଇଥିବା ବାଣରେ ହଠାତ୍ ନିଆଁ ଲାଗି ଅନେକ ଲୋକ ମୃତାହତ ହେଲେ । ସେହିସବୁ ବାଣ ଗୁଡ଼ିକ ମଧ୍ୟରେ ବାଣର ସଂଜ୍ଞା ବହନ କରୁଥିବା ବିସ୍ଫୋରକ ଥିଲା କିମ୍ବା ବମ୍ର ସଂଜ୍ଞା ବହନ କରୁଥିବା ବିସ୍ଫୋରକ ଥିଲା ତାହା କହିବା କଷ୍ଟକର । ଏମତିବି ପୁରୀର ଦୁଇଟି ନିର୍ଦ୍ଦିଷ୍ଟ ବ୍ଲକ୍ରେ ପ୍ରତିବର୍ଷ ଏକାଧିକବାର ସୁତୁଲି ବୋମାର ପ୍ରୟୋଗ ହେଉଥିବା ଦେଖାଯାଉଛି । ତେଣୁ ବାଣ ନିଷ୍କ୍ରିୟ ଘଟଣାରୁ ଏତିକି ଶିକ୍ଷା ମିଳିଲା ଯେ ସବୁ ବାଣ, ବାଣ ନୁହେଁ ଏବଂ ତାହା ଭିତରେ ବମ୍ ରହିଥିବାର ସମ୍ଭାବନା ଅଛି ।