ଋଣ ଭାରରେ ପାକିସ୍ତାନ୍


ଭାରତ-ପାକିସ୍ତାନ୍ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା କିଛି ନୂଆ କଥା ନୁହେଁ । ୧୯୪୭ ଅଗଷ୍ଟ  ୧୫ ଠାରୁ ଦେଶ ବିଭାଜନ ଦିନ ଠାରୁ ଭାରତ ଓ ପାକିସ୍ତାନ୍ ମଧ୍ୟରେ ଶତ୍ରୁତା ଲାଗି ରହିଛି । ବିଭିନ୍ନ ସମୟରେ ପାକିସ୍ତାନ୍ ପ୍ରତ୍ୟକ୍ଷ ଭାବରେ କିମ୍ବା ଆତଙ୍କବାଦୀଙ୍କ ମାଧ୍ୟମରେ ପରୋକ୍ଷ ଭାବରେ କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ଭଳି ଭାରତ ସହିତ ବିବାଦ, ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ ଆଦି କ୍ରମାଗତ ଭାବରେ କରିଚାଲିଛି । ପହଲଗାମ୍ ଠାରେ ନୀରସ୍ତ୍ର ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣା ପରେ ପାକିସ୍ତାନ୍ର ଜଣେ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ୍ ଗତ ୩୦ ବର୍ଷ ହେଲା ଭାରତ ବିରୁଦ୍ଧରେ ପରୋକ୍ଷ ଯୁଦ୍ଧ ପାଇଁ ଆତଙ୍କବାଦୀମାନଙ୍କୁ ତାଲିମ୍ ଦେଉଛି । ସବୁଠାରୁ ବଡ଼ କଥା ହେଲା ପାକିସ୍ତାନ୍ର ନିଜସ୍ୱ ଅର୍ଥନୀତି ସେଭଳି ଦୃଢ଼ ନଥିବା ବେଳେ ବିଭିନ୍ନ ରାଷ୍ଟ୍ରରୁ ପାକିସ୍ତାନ୍ ବିପୁଳ ପରିମାଣର ଋଣ କରିଛି । ଋଣ ଭାରରେ ଏକ ପ୍ରକାରର ବୁଡ଼ିଯାଇଛି କହିଲେ ଭୁଲ୍ ହେବ ନାହିଁ । ଆର୍ଥôକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ୍ର ସ୍ଥିିତ ଦିନକୁ ଦିନ ଅଧିକରୁ ଅଧିକ ଜଟିଳ ହୋଇ ଆସୁଥିଲା । ଏଭଳି ଏକ ପରିସ୍ଥିତିରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିବା ପରେ ଏଭଳି ଏକ ବ୍ୟୟବହୁଳ ଲଢ଼େଇକୁ ବହନ କରିବାର କ୍ଷମତା ବାସ୍ତବରେ ପାକିସ୍ତାନ୍ର ନାହିଁ । ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ଏକ ଦେଶ ନିଜର ସ୍ଥିତିକୁ ସୁଦୃଢ଼ କରିବା ବଦଳରେ ପଡ଼ୋଶୀର କ୍ଷତି କରିବା ପାଇଁ ଯେଉଁ ପ୍ରକାରର ମାନସିକତା ରଖିଲା ସେଥିରେ ପାକିସ୍ତାନ୍ର ମୁଦ୍ରଭଣ୍ଡାର ଖାଲି ହୋଇଗଲା । ଭାରତ ଗୋଟିଏ ପରେ ଗୋଟିଏ କଡା ପଦକ୍ଷେପ ନେବାରୁ ପାକିସ୍ତାନ୍ ନିଜର ଆର୍ଥôକ ସ୍ଥିତିକୁ ସୁଦୃଢ଼ କରିପାରିଲା ନାହିଁ । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥôକ ନୀତି ଫଳରେ ପାକିସ୍ତାନ୍ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେଲା । 
ଆଜିକା ଦିନରେ ପାକିସ୍ତାନରେ ଜନ୍ମ ନେଉଥିବା ଶିଶୁ ଉପରେ ୮୬.୫ ହଜାର ଟଙ୍କାର ଋଣ ଭାର ପଡୁଛି । ଦେଶ ଭିତରେ ଗ୍ୟାସ୍, ତୈଳ, କର୍ମଚାରୀଙ୍କ ଦରମା ଆଦି ସବୁକିଛି ପାଇଁ ପାକିସ୍ତାନ୍କୁ ଋଣ କରିବାକୁ ପଡଛି । ପାକିସ୍ତାନ୍ର ଶୁଖିଲା ଫଳର ସବୁଠାରୁ ବଡ଼ବଜାର ହେଉଛି ଭାରତ । ୱାଘା, ଅଟ୍ଟାରୀ ସୀମା ବନ୍ଦ ହୋଇଯିବା ପରେ ଏହି ଗେଟ୍ ଦେଇ ଆସୁଥିବା ଶୁଖିଲା ଫଳ ରପ୍ତାନୀ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଫଳରେ ପାକିସ୍ତାନ୍ର ଅର୍ଥବ୍ୟବସ୍ଥା ଆହୁରି ବିଗିଡ଼ିଯାଇଛି । ଆଇଏମ୍ଏଫ୍ରୁ ପାକିସ୍ତାନ୍କୁ ମିଳିବାକୁ ଥିବା ଋଣ ଏବେ ବି ଅନିଶ୍ଚିତତା ଭିତରେ ରହିଛି । ୨୦୨୪ ଜୁନ୍ ମାସ ସୁଦ୍ଧା ପାକିସ୍ତାନ୍ ମୁଣ୍ଡ ଉପରେ ୨୫.୬ ବିଲିୟନ୍ ଡ଼ଲାର୍ ଋଣ ରହିଥିଲା । ଭାରତୀୟ ମୁଦ୍ରାରେ ଏହା ୨୧.୬ ଲକ୍ଷ  କୋଟି ଟଙ୍କା । ଏହା ପାକିସ୍ତାନ୍ର ମୋଟ୍ ଜିଡ଼ିପିର ୬୭ ପ୍ରତିଶତ । ପାକିସ୍ତାନ୍ର ବିଦେଶୀ ଋଣ ୭.୩ ଲକ୍ଷ କୋଟି ଟଙ୍କା ଏବଂ ଘରୋଇ ଋଣ ୧୪.୩ ଲକ୍ଷ କୋଟି ଟଙ୍କା । ଆର୍ନ୍ତଜାତିକ ଋଣ ସବୁ ଡ଼ଲାର ଆକାରରେ ଆସେ ଏବଂ ଡ଼ଲାରରେ ହିଁ ପରିଶୋଧ କରାଯାଏ । 
ପାକିସ୍ତାନ୍ ପାଖରେ ବର୍ତ୍ତମାନ ଆବଶ୍ୟକୀୟ ବିଦେଶୀ ମୁଦ୍ରା ନାହିଁ । ଖୁବ୍ ବେଶୀରେ ପାକିସ୍ତାନ୍ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ମାସ ଚାଲିପାରିବ । ତା'ପରେ ଅବସ୍ଥା କଣ ହେବା ତାହା କଳ୍ପନା କରି ହେଉନାହିଁ । ୧୯୫୮ରୁ ୨୦୨୪ ମଧ୍ୟରେ ପାକିସ୍ଥାନ୍କୁ ଆଇଏମ୍ଏଫ୍ ୨୫ ଥର ଋଣ ଦେଇଛି । ଏବେ ପୁଣି ୮ ହଜାର ୫୦୦ କୋଟି ଟଙ୍କା ଦେଇଛି । ଏତକ ସରିଗଲେ ପୁଣି ହାତ ପତେଇବ । ଏଭଳି ଏକ ପରିସ୍ଥିତିରେ ଅସ୍ତ୍ରବିରତି ପରେ ମଧ୍ୟ ଭାରତ ସହିତ ପାକିସ୍ତାନ୍ ଯୁଦ୍ଧ କରିବା ପାଇଁ ବାହାସ୍ଫୋଟ ମାରୁଛି । ନିଜ ଘରର ଅର୍ଥନୀତି ନସଜାଡ଼ି ପରର କ୍ଷତି କରିବା ପାଇଁ ଚାହିଁଲେ ପାକିସ୍ତାନ୍ର ପରିଣତି କଣ ଯେ ହେବ ତାହା କଳନା କରି ହେଉନାହିଁ ।