ଭାଷା ବିଜ୍ଞାନ ଶିକ୍ଷା
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଭାଷାର ବୈଶିଷ୍ଟ୍ୟର ବିଶ୍ଳେଷଣ, ଅନୁଶୀଳନ, ବ୍ୟାଖ୍ୟା ଓ ବିବରଣୀ ହିଁ ଭାଷାବିଜ୍ଞାନ । ଭାଷାବିଜ୍ଞାନରେ ଭାଷାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ, ସଂରଚନାର ସ୍ୱାତନ୍ତ୍ର୍ୟ, ସୈଦ୍ଧାନ୍ତିକ ବିବେଚନ ଓ ବୈଜ୍ଞାନିକ ବିଶ୍ଳେଷଣ ହୋଇଥାଏ । ଭାଷାବିଜ୍ଞାନ ମୁଖ୍ୟତଃ ବିଭାବ ଓ ବିଭାଗ ଦୁଇଭାଗରେ ବିଭକ୍ତ । ଧ୍ୱନିବିଜ୍ଞାନ, ଲିପିବିଜ୍ଞାନ, ଶବ୍ଦବିଜ୍ଞାନ, ପଦବିଜ୍ଞାନ, ବାକ୍ୟବିଜ୍ଞାନ ଓ ଶୈଳୀବିଜ୍ଞାନ ପ୍ରଭୃତି ବିଭାବର ଅନ୍ତର୍ଭୁକ୍ତ । ଭୋ÷ଗୋଳିକ ଭାଷାବିଜ୍ଞାନ, ଐତିହାସିକ ଭାଷାବିଜ୍ଞାନ, ସଂରଚନାତ୍ମକ ଭାଷାବିଜ୍ଞାନ, ବର୍ଣ୍ଣନାତ୍ମକ ଭାଷାବିଜ୍ଞାନ,ତୁଳନାତ୍ମକ ଭାଷାବିଜ୍ଞାନ, ମନୋଭାଷାବିଜ୍ଞାନ ଓ ସମାଜ ଭାଷାବିଜ୍ଞାନ ପ୍ରଭୃତି ହେଉଛି ଭାଷାବିଜ୍ଞାନର ବିଭିନ୍ନ ବିଭାଗ । ମୁଁ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଥିବାବେଳେ ଭାଷାବିଜ୍ଞାନ ବିଷୟରେ ଜାଣିବାକୁ ପାଇଲି ଏବଂ ଅଧିକ ଜାଣିବାକୁ ଇଛା ହେଲା । ପ୍ରଫେସର ଗୋଲୋକ ବିହାରୀ ଧଳ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧ୍ୱନିବିଜ୍ଞାନୀ । ତାଙ୍କ ଗାଁ ହେଉଛି ଆମ ଢେଙ୍କାନାଳ ଜିଲାର ଭାପୁର ନିକଟସ୍ଥ ଗଞ୍ଜେଇଡିହା । ତାଙ୍କ ବଡଭାଇ ବ୍ରଜକିଶୋର ଧଳ ଜଣେ ସ୍ୱାଧୀନତା ସଂଗ୍ରାମୀ । ବାପାଙ୍କର ବ୍ରଜମଉସାଙ୍କ ସହିତ ଅନାବିଳ ସଂପର୍କ । ତେଣୁ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କୁ ମୁଁ କକା ଡାକେ । ସେ ରେଭେନ୍ସା କଲେଜରେ ଓଡ଼ିଆ ବିଭାଗରେ ଅଧ୍ୟାପକ ଥିଲେ । ଅଧ୍ୟାପକ ଶ୍ରୀନିବାସ ମିଶ୍ର ଓ ଅଧ୍ୟାପକ ବେଣୁଧର ରାଉତ ମଧ୍ୟ ରେଭେନ୍ସାରେ ଥିଲେ । ଏହି ତିନିଜଣ ମୋତେ ପୁତ୍ରବତ୍ ସ୍ନେହ କରନ୍ତି । ସେହି ସମୟରେ ମୋ ଲେଖା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ଓ ମାସିକ ପତ୍ରିକା ସହକାରରେ ନିୟମିତ ବାହାରୁଥାଏ । ଲେଖା ପଠାଇବା ପୂର୍ବରୁ ଏହି ଅଧ୍ୟାପକମାନଙ୍କ ନିକଟରେ ସଂଶୋାଧନ କରି ମୁଁ ପଠାଇଥାଏ । ଏହି ପତ୍ରିକା ଓ ଅନ୍ୟାନ୍ୟ ସାମୟିକ ପତ୍ର ପତ୍ରିକାରେ ମୋ ଲେଖା ବାହାରୁଥିବାରୁ ସେମାନଙ୍କର ମୁଁ ସ୍ନେହାସ୍ପଦ ହୋଇଥାଏ ।
ପ୍ରଫେସର ଗୋଲୋକ ବିହାରୀ ଧଳ ଏକାଧାରରେ ଜଣେ ଧ୍ୱନିବିଜ୍ଞାନୀ, ଭାଷାବିଜ୍ଞାନୀ, ଶିକ୍ଷାବିତ୍, ସାହିତି୍ୟକ, ଅନୁବାଦକ, ପ୍ରାବନ୍ଧିକ, ଶିଶୁ ସାହିତି୍ୟକ, ଭ୍ରମଣ କାହାଣୀ ଲେଖକ ଓ ବାଗ୍ମୀ ଥିଲେ । ସେ ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଉପାଧିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଧ୍ୱନିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ବିଦେଶରେ ଜ୍ଞାନାର୍ଜନ କରି ଫେରି ଆସିବା ପରେ ନୂତନ ଶିକ୍ଷାର ବିନିଯୋଗ ପାଇଁ ଓଡ଼ିଶାରେ କୋ÷ଣସି ସୁବିଧା ସୁଯୋଗ ସେ ପାଇନଥିଲେ । ତେଣୁ ବାଧ୍ୟ ହୋଇ ସେ ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନିକଟରେ ମୁଁ ଧ୍ୱନିବିଜ୍ଞାନ ଓ ଭାଷାବିଜ୍ଞାନ ଅଧ୍ୟୟନ କଲି । ଅଧ୍ୟାପକ ଧଳ ମୋତେ ପ୍ରଥମେ ଧ୍ୱନିବିଜ୍ଞାନ ସଂପର୍କରେ ଶିକ୍ଷା ପ୍ରଦାନ କରି କହିଥିଲେ, ‘ଭାଷାର ମୋ÷ଳିକ ଉପାଦାନ ହେଉଛି ଧ୍ୱନି । ଏହାକୁ ଭାଷାର ଆତ୍ମା କହିଲେ ଅତୁ୍ୟକ୍ତି ହେବନାହିଁ । ପ୍ରତ୍ୟେକ ଭାଷାର ନିର୍ଦ୍ଦିଷ୍ଟ ଧ୍ୱନି ଶୃଙ୍ଖଳା ରହିଛି । ଓଡ଼ିଆ ଭାଷାର ମଧ୍ୟ ନିର୍ଦ୍ଦିଷ୍ଟ ଧ୍ୱନି ଶୃଙ୍ଖଳା ରହିଛି । ଓଡ଼ିଆ ଧ୍ୱନିତତ୍ତ୍ୱ ଦୁଇଭାଗରେ ବିଭକ୍ତ, ଯଥା :- ଧ୍ୱନିପଦ୍ଧତି ଓ ଧ୍ୱନିବିଜ୍ଞାନ । ଖାଇବା, ପିଇବା, ଚାଲିବା, ଶୋଇବା, କଥା କହିବା, ରକ୍ତ ସଞ୍ଚାଳନ ଓ ନିଃଶ୍ୱାସ କ୍ରିୟା ପ୍ରଭୃତିରେ ପ୍ରଯୁକ୍ତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସାହାଯ୍ୟରେ ଧ୍ୱନି ସୃଷ୍ଟି ହୋଇଥାଏ । ଏହି ଧ୍ୱନି ଯଥେଷ୍ଟ ଭାବରେ ସୃଷ୍ଟି ହୁଏ ନାହିଁ ବା ବ୍ୟବହାର ହୁଏ ନାହିଁ । ଭାଷାରେ ଅର୍ଥ ଓ ଧ୍ୱନି ପ୍ରତ୍ୟେକର ସ୍ୱତନ୍ତ୍ର ସଂରଚନା ରହିଛି । ଭାଷାବିଜ୍ଞାନୀବୃନ୍ଦ ଧ୍ୱନି, ରୂପ ଓ ଅର୍ଥ ମଧ୍ୟରେ ଅନ୍ତର୍ନିହିତ ଥିବା ଛାଞ୍ଚକୁ ଧରି ସଂରଚନାର ବିଶ୍ଳେଷଣ ପୂର୍ବକ ଭାଷା ବ୍ୟବସ୍ଥାକୁ ଆବିଷ୍କାର କରିଥାଆନ୍ତି । ଓଡିଆର ଉଚ୍ଚାରଣକୁ ଭିତ୍ତିକରି ଧ୍ୱନି ସମୂହର ଶ୍ରେଣୀ ବିଭାଗ କରାଯାଇଛି । ଏହାପରେ ସେ ମୋତେ ଓଡ଼ିଆ ଧ୍ୱନିର ଶ୍ରେଣୀବିଭାଗ, ବର୍ଗୀକରଣ, ବିଶ୍ଳେଷଣ ତଥା ଧ୍ୱନି ଓ ଧ୍ୱନି ଗ୍ରାମ ମଧ୍ୟରେ ପାର୍ଥକ୍ୟ ବୁଝାଇଥିଲେ । ମୁଁ ଯାହା ବୁଝିପାରୁନଥିଲି ସେ ପୁନଃ ପୁନଃ ବୁଝାଇ ମୋର ସନେ୍ଦହ ମୋଚନ କରାଇଥିଲେ । ତାପରେ ଓଡ଼ିଆ ଶବ୍ଦ ବିଜ୍ଞାନ, ବାକ୍ୟବିଜ୍ଞାନ ଓ ରୂପବିଜ୍ଞାନ ସଂର୍ପକରେ ଶିକ୍ଷା ଦେବାକୁ ଯାଇ ସେ କହିଥିଲେ, ଅର୍ଥବୋଧକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ । ଶବ୍ଦ ହେଉଛି ଭାଷାର ଶରୀର । ଏହା ବାକ୍ୟରେ ବ୍ୟବହାର ହେଲେ ପଦରେ ପରିଣତ ହୁଏ । ତେଣୁ ଶବ୍ଦକୁ ପଦ ବା ରୂପର ଭିତ୍ତି କୁହାଯାଏ । ଭାଷା ଉଚ୍ଚାରଣର ମୋ÷ଳିକ ଉପାଦାନ ଧ୍ୱନି ହେଲେ ହେଁ ଭାଷା ସଂରଚନାର ମୋ÷ଳିକ ଉପାଦାନ ହିଁ ଶବ୍ଦ । ଶବ୍ଦ ହେଉଛି ଭାଷାର ଶକ୍ତି ଓ ସଂପତ୍ତି । ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ବିଶାଳ । ଏହାପରେ ଓଡ଼ିଆ ଭାଷାର ଶବ୍ଦ ସମ୍ଭାରର ଶ୍ରେଣୀ ବିଭାଗ, ଶବ୍ଦ ସମୂହର ଅନୁସନ୍ଧାନ ମୂଳକ ପରିଶୀଳନ ବା ପ୍ରକ୍ରିୟା ଅର୍ଥାତ୍ ଓଡ଼ିଆ ଶବ୍ଦ ତତ୍ତ୍ୱ ବିଚାର, ଶବ୍ଦ ସୃଜନ ପ୍ରକ୍ରିୟା ଓ ଏହାର ତି୍ରବିଧ ଭେଦ, ଧ୍ୱନି ଗ୍ରାମ, ରୂପ ଗ୍ରାମ, ରୂପର ମୁକ୍ତ ଓ ବଦ୍ଧରୂପ, ପ୍ରକୃତି, ପ୍ରତ୍ୟୟ ପ୍ରଭୃତି ସରଳ ଭାବରେ ବୁଝାଇଥିଲେ । ସେ ମଧ୍ୟ ଶବ୍ଦ ଓ ପଦ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ, ପ୍ରକୃତି ଓ ପ୍ରତ୍ୟୟର ମିଳନରେ ପଦ ସୃଷ୍ଟି ଓ ଓଡ଼ିଆରେ ପାଞ୍ଚ ପ୍ରକାର ପଦର ସୂଚନା ଦେଇଥିଲେ । ତାଙ୍କ ଲିଙ୍ଗ, ବଚନ, କାରକ ଓ ବିଭକ୍ତିର ବ୍ୟାଖ୍ୟା ଚମକ୍ରାର ଥିଲା । ସେ କହିଥିଲେ ଯେ ପଦର ପ୍ରତିଶବ୍ଦ ରୂପ । ଓଡ଼ିଆ ଶବ୍ଦରେ କୃଦନ୍ତ ପ୍ରତ୍ୟୟ, ତଦ୍ଧିତ ପ୍ରତ୍ୟୟ ଓ ବିଭକ୍ତି ପ୍ରତ୍ୟୟ ଆଦି ଯୋଗ କରାଯାଇ ପଦ ବା ରୂପ ଗଠନ କରାଯାଏ । ଓଡ଼ିଆରେ ବ୍ୟାକରଣିକ ଲିଙ୍ଗ ଭେଦ ନାହିଁ । ଓଡ଼ିଆ କାରକ ଗୁଡିକର ନିଷ୍ପତ୍ତି ଅର୍ଥ ଭିତ୍ତିକ ନୁହେଁ, ପ୍ରତ୍ୟୟ ଭିତ୍ତିକ । ବାକ୍ୟ ବିନ୍ୟାସ ପରମ୍ପରାରେ ବିଭିନ୍ନ ଶୈଳୀରେ ଓଡ଼ିଆ ଶବ୍ଦ କ୍ରମର ପରିବର୍ତ୍ତନ ଘଟିଥାଏ । ଶବ୍ଦ ବ୍ୟବହାର ଭେଦରେ ଭିନ୍ନ ଭିନ୍ନ ସ୍ଥଳରେ ଭିନ୍ନ ଭିନ୍ନ ପଦ ହୋଇପାରେ । ଏହାର ଅନେକ ଉଦାହରଣ ସେ ମଧ୍ୟ ପ୍ରଦାନ କରିଥିଲେ । ବାକ୍ୟରେ ବ୍ୟବହୃତ ପଦର ପରିଚୟ ସହିତ ସେହି ପଦ ସହିତ ଅନ୍ୟ ପଦର ସମ୍ବନ୍ଧ ପ୍ରଦର୍ଶନ ବା ପଦାନ୍ୱୟ ସଂପର୍କରେ ସେ ବ୍ୟାଖ୍ୟା କରିଥିଲେ । ସନ୍ଧି ଓ ସମାସ ସଂପର୍କରେ ସେ ସୂଚନା ଦେଇଥିଲେ । ବାକ୍ୟର ତିନିଗୋଟି ଲକ୍ଷଣ, ଯଥା:- ଆକାଙକ୍ଷା, ଯୋଗ୍ୟତା ଓ ଆସକ୍ତି ସଂପର୍କରେ ଉଦାହରଣ ସହ ସେ ବୁଝାଇଥିଲେ । ତିନି ପ୍ରକାର ବାକ୍ୟ ଓ ଏଗୁଡିକର ପରିବର୍ତ୍ତନ, ବାକ୍ୟ ବିନ୍ୟାସ ଓ ବାକ୍ୟ ବିଶ୍ଳେଷଣ ସଂପର୍କରେ ସେ ଶିକ୍ଷା ଦେଇଥିଲେ ।
ପ୍ରଫେସର ଧଳ ମୋତେ ଅର୍ଥ ବିଜ୍ଞାନର ଦିଗଦଗନ୍ତ ଉପରେ ଶିକ୍ଷା ଦେବାକୁ ଯାଇ ରୁଢ଼, ଯୋ÷ଗିକ ଓ ଯୋଗୀରୁଢ଼ ଶବ୍ଦ, ଶବ୍ଦର ଅଭିଧା, ଲକ୍ଷଣ ଓ ବ୍ୟଞ୍ଜନା ବିଚାର ଶବ୍ଦ ଓ ବାକ୍ୟର ଲକ୍ଷାର୍ଥ ଓ ବ୍ୟଙ୍ଗାର୍ଥ ବ୍ୟବହାର ଦ୍ୱାରା ଭାଷାର ସୋ÷ନ୍ଦର୍ଯ୍ୟ ବୃଦ୍ଧି ତଥା ଅର୍ଥ ପରିବର୍ତ୍ତନର ପର୍ଯ୍ୟାପ୍ତ କାରଣ ସଂପର୍କରେ ଦର୍ଶାଇଥିଲେ । ଏତଦ୍ଭିନ୍ନ ଅର୍ଥବିସ୍ତାର ଓ ଅର୍ଥ ସଂପ୍ରସାରଣ, ଅର୍ଥ ସଙ୍କୋଚନ, ଅର୍ଥାଦେଶ ବା ଅର୍ଥାଗମ, ଅର୍ଥୋକ୍ରର୍ଷ ବା ଅର୍ଥର ଉନ୍ନୟନ, ଅର୍ଥୋପକର୍ଷ ବା ଅର୍ଥର ଅବନମନ ଏବଂ ଅର୍ଥବିଭାଜନ ବା ଅର୍ଥ ବଚ୍ଛୁରଣ ଉପରେ ସୂଚନା ଦେଇ ସେ କହିଥିଲେ ଯେ ଓଡ଼ିଆ ଭାଷାରେ ଅର୍ଥ ପରିବର୍ତ୍ତନ ମୂଳରେ ମାନସିକ, ସାମାଜିକ ଓ ସାଂସ୍କୃତିକ ବିବର୍ତ୍ତନର ଇତିହାସ ରହିଛି ଏବଂ ଅର୍ଥ ପରିବର୍ତ୍ତନ ଦ୍ୱାରା ଓଡ଼ିଆ ଭାଷାର ବିକାଶ ଘଟିଅଛି । ଅନୁଭୂତ ହୁଏ, ଓଡ଼ିଆ ଜାତି ବୋ÷ଦ୍ଧିକ କ୍ଷେତ୍ରରେ ଅଗ୍ରସର ହେବା ଫଳରେ ତାର ଭାବପ୍ରକାଶ ସୂକ୍ଷ୍ମ, ପରୋକ୍ଷ ଓ ବିଦଗ୍ଧ ହୋଇ ଗୋଟିଏ ଗୋଟିଏ ଶବ୍ଦ ଏକାଧିକ ଅର୍ଥ ବହନ କରିବାକୁ ସମର୍ଥ ହୋଇଛି ତଥା ଓଡ଼ିଆ ଭାଷାର ବୈଚିତ୍ର ପ୍ରକଟିତ ହୋଇଛି ।
ପ୍ରଫେସର ଧଳ ମୋତେ ଓଡ଼ିଆ ଲିପିର କ୍ରମବିକାଶର ଛଅଗୋଟି ସ୍ତର ସଂପର୍କରେ ସୂଚନା ଦେଇଥିଲେ । ଏତଦ୍ଭିନ୍ନ ଓଡ଼ିଆ ବର୍ଣ୍ଣମାଳା ଓ ବର୍ଣ୍ଣତତ୍ତ୍ୱ, ଓଡ଼ିଆ ଲିପି ଓ ଲିପିଧ୍ୱନି ତଥା ଓଡ଼ିଆ ଫୋନିମ୍ ବା ଧ୍ୱନିଗ୍ରାମ ସଂପର୍କର ପ୍ରାଞ୍ଜଳ ବୁଝାଇଥିଲେ । ଓଡ଼ିଆ ଭାଷାର ବିକାଶ ଓ ବୈଶିଷ୍ଟ୍ୟ ସଂପର୍କରେ ସୂଚନା ଦେବାକୁ ଯାଇ ସେ ବୈଦିକ ଭାଷା, ସଂସ୍କୃତ ଭାଷା, ପାଲିଭାଷା, ପ୍ରାକୃତ ଭାଷା ଓ ଓଡ଼ିଆ ଭାଷାର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରିଥିଲେ । ଭାଷା ବିଜ୍ଞାନର ବିଭିନ୍ନ ବିଭାବ ସଂପର୍କରେ ସେ ଶିକ୍ଷା ଦେଇ ବାକ୍ୟବିଜ୍ଞାନ, ରୂପବିଜ୍ଞାନ, ଶବ୍ଦବିଜ୍ଞାନ, ଧ୍ୱନିବିଜ୍ଞାନ, ଅର୍ଥବିଜ୍ଞାନ, ଲିପିବିଜ୍ଞାନ, ଶୈଳୀବିଜ୍ଞାନ, ବୁ୍ୟତ୍ପତ୍ତି ବିଜ୍ଞାନ, ଭାଷାବର୍ଗୀକରଣ, ଭାଷିକ ଭୂଗୋଳ ଓ ସର୍ବେକ୍ଷଣ ପଦ୍ଧତି ପ୍ରଭୃତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଭାଷାବିଜ୍ଞାନର ବିଭିନ୍ନ ବିଭାଗ ଅର୍ଥାତ୍ ତୁଳନାତ୍ମକ ଭାଷାବିଜ୍ଞାନ, ବର୍ଣ୍ଣନାତ୍ମକ ଭାଷାବିଜ୍ଞାନ, ଐତିହାସିକ ଭାଷାବିଜ୍ଞାନ, ସଂରଚନାତ୍ମକ ଭାଷାବିଜ୍ଞାନ, ମନୋଭାଷାବିଜ୍ଞାନ ଓ ସମାଜ ଭାଷାବିଜ୍ଞାନ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱ ପ୍ରଦାନ କରିଥିଲେ, ଯାହା ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ଭାଷାର ଉତ୍ପତ୍ତି ସଂପର୍କରେ ସେ ବିଭିନ୍ନ ମତବାଦର ବିଶ୍ଳେଷଣ ପୂର୍ବକ ସ୍ୱକୀୟ ମୂଲ୍ୟବାନ ମତ ଉପରେ ଗୁରୁତ୍ୱ ଦେଇଥିଲେ । ବିଶ୍ୱର ବିଭିନ୍ନ ଭାଷା ପରିବାର ସଂପର୍କରେ ସେ ସୂଚନା ଦେବା ସହିତ ଇଣ୍ଡୋ- ୟୁରୋପୀୟ ଭାଷା ପରିବାରର ଭାରତୀୟ ଆର୍ଯ୍ୟ ଭାଷାର ପ୍ରାଚୀନ, ମଧ୍ୟ ଭାରତୀୟ ଓ ନବୀନ ଭାରତୀୟ ଆର୍ଯ୍ୟ ଭାଷା ଗୁଡିକର ବିଷଦ ବର୍ଣ୍ଣନା କରିଥିଲେ ।
ଭାଷାବିଜ୍ଞାନ ଚର୍ଚ୍ଚାର ଆଦିଭୂମି ହେଉଛି ଭାରତ । ଭାରତରେ ବୈଦିକ ଯୁଗରୁ ଭାଷା ବିଜ୍ଞାନର ଅଧ୍ୟୟନ, ଅଧ୍ୟାପନା ଓ ଅନୁଶୀଳନ ଆରମ୍ଭ ହୋଇଥିଲା । ଯାସ୍କ, ଆପିଶିଳି, କାଶକୁସ୍ନ, ବାର୍ଷଗଣ, ଗର୍ଗ, ଶକଟାୟନ ପ୍ରଭୃତି ମହର୍ଷି ଜଣେ ଜଣେ ପ୍ରଥିତଯଶ ଭାଷାବିଜ୍ଞାନୀ ଥିଲେ । ପରବର୍ତ୍ତୀ ଯୁଗରେ ପାଣିନି, କାତ୍ୟାୟନ, ପତଞ୍ଜଳି ଓ ଭର୍ତ୍ତୃହରି ପ୍ରଭୃତି ବହୁ ବିଦ୍ୱାନ ଭାଷାଶାସ୍ତ୍ର ପ୍ରଣୟନ କରିଛନ୍ତି । ମୁଁ ବାପାଙ୍କ ନିଦେ୍ର୍ଦଶ କ୍ରମେ ଯାସ୍କଙ୍କ ନିରୁକ୍ତ ଓ ନିଘଣ୍ଟୁ, ପାଣିନିଙ୍କ ଅଷ୍ଟାଧ୍ୟାୟୀ, କାତ୍ୟାୟନଙ୍କ ବାର୍ତ୍ତିକ ଓ ଭର୍ତ୍ତୃହରିଙ୍କ ବାକ୍ୟପଦୀୟ ଅଧ୍ୟୟନ କରିଥିଲି । ପ୍ରଫେସର ଗୋଲୋକ ବିହାରୀ ଧଳ ମୋତେ ଆଧୁନିକ ଭାଷାବିଜ୍ଞାନୀଙ୍କ ଅଠର ଖଣ୍ଡ ବହି ପଢିବାକୁ ନିଦେ୍ର୍ଦଶ ଦେଲେ ଓ ତନ୍ମଧ୍ୟରୁ ଚାରିଖଣ୍ଡ ବହି ତାଙ୍କ ପାଖରେ ଥିଲା, ଯାହା ମୋତେ ପଢିବା ପାଇଁ ଦେଇଥିଲେ । ଅନ୍ୟାନ୍ୟ ଚଉଦଖଣ୍ଡ ବହି ମୁଁ କନିକା ଲାଇବ୍ରେରୀ, ପଢିଆରୀ ପାଠାଗାର, ପରିଜା ପାଠାଗାର ଓ ହରେକୃଷ୍ଣ ରାଜ୍ୟ ପାଠାଗାର ପ୍ରଭୃତିରେ ଖୋଜିଲି । ସେଥିରୁ ମାତ୍ର ଛଅଖଣ୍ଡ ପାଇଲି ଓ ଆଣି ପଢିଲି । ପ୍ରଫେସର ଧଳ ମୋତେ କହିଥିଲେ ଯେ ଯାହା ବୁଝିନପାରିବ ତାଙ୍କ ଠାରୁ ବୁଝିନେବି । ମୋର ଦୁର୍ଭାଗ୍ୟ ଯେ, ୧୯୭୪ରେ ସେ ଅକସ୍ମାତ ପରଲୋକ ଗମନ କଲେ । ତେଣୁ ମୋର ଭାଷାବିଜ୍ଞାନ ଅଧ୍ୟୟନ ଅଧୁରା ରହିଲା । ମୁଁ ପ୍ରଫେସର ବିଜୟ ପ୍ରସାଦ ମହାପାତ୍ରଙ୍କର କେତୋଟି ଭାଷାବିଜ୍ଞାନ ଆଧାରିତ ପ୍ରବନ୍ଧ ପାଠ କରି ମୁଗ୍ଧ ହୋଇଥିଲି । କିନ୍ତୁ ସେ କଲିକତାରେ ରହୁଥିବାରୁ ମୋର ତାଙ୍କ ସହିତ ପରିଚୟ ନଥିଲା । ସେତେବେଳେ ମୁଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଓ କର୍ମକର୍ତ୍ତା ଥିଲି ତଥା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନଙ୍କ ଅଧୀନରେ ଶିଶୁମନ୍ଦିର କାର୍ଯ୍ୟ କରୁଥିଲି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁମନ୍ଦିର ଖୋଲିବା ନିମିତ୍ତ ମୁଁ ଡକ୍ଟର ପ୍ରଧାନଙ୍କ ନିଦେ୍ର୍ଦଶରେ କାମ କରୁଥିଲି ଏବଂ ତାଙ୍କୁ ‘ବେଦବନ୍ଦିତା ସରସ୍ୱତୀ’ ଗ୍ରନ୍ଥ ପ୍ରଣୟନରେ ସାହାଯ୍ୟ କରୁଥିଲି । ମୋର ଭାଷାବିଜ୍ଞାନ ଶିକ୍ଷା କରିବାର ବ୍ୟାକୁଳତା ଉପଲବଧି କରି ଡକ୍ଟର ପ୍ରଧାନ ମୋତେ କଲିକତା ନେଲେ ତଥା ପ୍ରଫେସର ବିଜୟ ପ୍ରସାଦ ମହାପାତ୍ରଙ୍କୁ ମୋତେ ଭାଷାବିଜ୍ଞାନ ଶିକ୍ଷା ଦେବା ନିମିତ୍ତ ଅନୁରୋଧ କଲେ । ଭାଷାବିଜ୍ଞାନ ପ୍ରତି ମୋର ଆଗ୍ରହ ଦେଖି ପ୍ରଫେସର ମହାପାତ୍ର ଖୁସି ହୋଇଗଲେ । ସେ ଥିଲେ ଜ୍ଞାନର ସାଗର । ଅଥଚ ନିରଭିମାନ ଓ ଆତ୍ମପ୍ରଚାର ବିମୁଖ ଥିଲେ । ମୁଁ ସମୟ ପାଇଲେ କଲିକତା ଯାଏ ଏବଂ ତାଙ୍କ ନିକଟରେ ମୋର ସନେ୍ଦହ ମୋଚନ କରେ । ଭାଷାବିଜ୍ଞାନ ସଂପର୍କରେ ସେ ମୋତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶିଖାଇଥିଲେ, ଯାହା ଅଦ୍ୟାବଧି ମୁଁ ଭୁଲିନାହିଁ । ପ୍ରାଚୀନ ଭାଷାବିଜ୍ଞାନୀ ଓ ଆଧୁନିକ ଭାଷାବିଜ୍ଞାନୀଙ୍କ ତଥ୍ୟ ଓ ତତ୍ତ୍ୱ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ସେ ‘ଞଷର ଙ୍ଖରକ୍ସଭ କ୍ଟ୍ରସରମର ସଦ୍ଭ କ୍ଟକ୍ସସଚ୍ଚବ’ ପୁସ୍ତକରେ ଓଡ଼ିଆ କ୍ରିୟାପଦର ପ୍ରଥମ ବୈଜ୍ଞାନିକ ବିଶ୍ଳେଷଣ କରିଛନ୍ତି । ଓଡ଼ିଆ ଧ୍ୱନିତତ୍ତ୍ୱର ଫୋନିମ୍, ଅକ୍ଷର ସନ୍ଧି ପ୍ରଭୃତି ବିଷୟରେ ତାଙ୍କ ଆଲୋଚନା ସାରଗର୍ଭକ । ସେ ପଣ୍ଡିତ ନୀଳକଣ୍ଠ ଦାଶଙ୍କର ଦୃଢ ସମର୍ଥକ ଥିଲେ । ଓଡ଼ିଆ ଭାଷାତତ୍ତ୍ୱର ଯେଉଁ ପାଞ୍ଚଗୋଟି ସ୍ତର ପଣ୍ଡିତ ନୀଳକଣ୍ଠ ଦାଶ ବିବେଚନା କରିଥିଲେ ବିଜୟ ସାର୍ ସେହି ସବୁ ସ୍ତର ମୋତେ ସରଳ ଭାବରେ ବୁଝାଇଥିଲେ । ସେତେବେଳେ ବିଜୟ ସାର୍ ନୀଳକଣ୍ଠଙ୍କ ବ୍ୟାକରଣର ଭାଷ୍ୟ ରଚନା କରୁଥିଲେ ।
ପ୍ରଫେସର ବିଜୟ ପ୍ରସାଦ ମହାପାତ୍ର ଓ ପ୍ରଫେସର ଗୋଲେକ ବିହାରୀ ଧଳଙ୍କ ସଦୃଶ ଭାଷାବିଜ୍ଞାନୀ ଓ ଧ୍ୱନିବିଜ୍ଞାନୀ ଆଉ ଓଡ଼ିଶାରେ ଜନ୍ମ ହେବେକି ନାହିଁ ସନେ୍ଦହ । ମୋର ସୌଭାଗ୍ୟ ଯେ ମୁଁ ଏହି ଦୁଇ ଜଣଙ୍କ ନିକଟରେ ଭାଷାବିଜ୍ଞାନ ଅଧ୍ୟୟନ କରିଛି । ପ୍ରଫେସର ଧଳଙ୍କ ରଚିତ ‘ମଣିଷର ଭାଷା’ ‘ଧ୍ୱନିବିଜ୍ଞାନ’ ପେଟର ପବନ ପାଟିର ଭାଷା’ ଓ ‘ଭାଷା ଶାସ୍ତ୍ର ପରିଚୟ’ ପ୍ରଭୃତି ପାଠ କରି ମୁଁ ବିଶେଷ ପ୍ରଭାବିତ ହୋଇଥିଲି । ଭାଷାବିଜ୍ଞାନକୁ ଜୀବନ୍ତ ଓ ମନୋରମ ବିଷୟ ରୂପେ ପ୍ରତିପାଦନ କରିବାରେ ଅଧ୍ୟାପକ ଧଳ ମହନୀୟ ଭୂମିକା ଗ୍ରହଣ କରିଥିଲେ । ପ୍ରଫେସର ବିଜୟ ପ୍ରସାଦ ମହାପାତ୍ରଙ୍କ ‘ମାତୃଭାଷା ଓଡ଼ିଆ’ ‘ଓଡ଼ିଆ ଭାଷା ପ୍ରସଙ୍ଗ’ ‘ଆଧୁନିକ ଓଡ଼ିଆ ବ୍ୟାକରଣ’, ପଣ୍ଡିତ ନୀଳକଣ୍ଠଙ୍କ ଓଡ଼ିଆ ଭାଷାତତ୍ତ୍ୱ ପ୍ରଭୃତି ଗୋଟିଏ ଗୋଟିଏ ଅନବଦ୍ୟ କୃତି । ପରବର୍ତ୍ତୀ କାଳରେ ମୁଁ ଅନେକ ଭାଷାବିଜ୍ଞାନ ଆଧାରିତ ପୁସ୍ତକ ପାଠ କରିଥିଲେ ମଧ୍ୟ ଭାଷାବିଜ୍ଞାନ ସଂପର୍କରେ ଯତ୍କିଞ୍ଚôତ ଜ୍ଞାନ ଆହରଣ ନିମିତ୍ତ ପ୍ରଫେସର ଗୋଲୋକ ବିହାରୀ ଧଳ ଓ ପ୍ରଫେସର ବିଜୟ ପ୍ରସାଦ ମହାପାତ୍ରଙ୍କ ନିକଟରେ ଚିରକୃତଜ୍ଞ ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨