କାଠ ଓ ଟ୍ରାକ୍ଟର ଜବତ, ୨ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ପ୍ରାୟ ୬୦ ହଜାର ରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଜବତ ସହ ଦୁଇଟି ଟ୍ରାକ୍ଟର ଜବତ କରିଛନ୍ତି । ଏହି ଘଟଣାରେ ବନ କର୍ମଚାରୀ ମାନେ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଗତ ୧୭ ତାରିଖ ରାତିରେ ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ କାଠ ଚାଲାଣ ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ବନପାଳ ମନ୍ତୋଷ ଦେ, ବନରକ୍ଷୀ ସରୋଜ ସ୍ୱାଇଁ, ବନରକ୍ଷୀ କୈଳାଶ ମହାରଣା, ଓ ସ୍କ୍ୱାର୍ଡ କର୍ମଚାରୀ ପାଲକୋଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରିଥିଲେ । ସେଠାରେ ଦୁଇଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଦେଖି ସେଗୁଡିକୁ ଅଟକାଇ ଉପସ୍ଥିତ ଦୁଇଜଣଙ୍କୁ କାଠ ଚାଲାଣର ବୈଧ ରସିଦ ମାଗିଥିଲେ । କିନ୍ତୁ କାଠ ନେବା ବାବଦରେ କୌଣସି ବୈଧ କାଗଜ ପତ୍ର ନଥିବାରୁ ଉଭୟ ଟ୍ରାକ୍ଟରକୁ ଜବତ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇଜଣ ବ୍ୟକ୍ତି ହେଲେ ଏମଭି ୪୧ ଗ୍ରାମର ଧନୁର୍ଜୟ ଢାଲି ଓ ପାଲକୋଣ୍ଡା ଗ୍ରାମର ଗଙ୍ଗା ମାଡି । ଜବତ ହୋଇଥିବା କାଠର ମୂଲ୍ୟ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ବନାଞ୍ଚଳ ଅଧିକାରୀ ରାଉତ ସୂଚନା ଦେଇଛନ୍ତି ।