ଓଡିଆଙ୍କ ହୃଦୟରେ ପ୍ରଭୁ ଶ୍ରୀଜଗନ୍ନାଥ

ଡ. ରଜତ କାନ୍ତ ଦାଶ : ଓଡିଶା ଅନେକ ବର୍ଷ ଧରି ମୁସଲମାନ ଶାସକଙ୍କ ଅଧୀନରେ ରହିଥିଲା  । ଦିଲ୍ଲୀ ସୁଲତାନ ଫିରୋଜ ସାହା ତୁଗଲକ ପ୍ରଥମେ ଓଡିଶାକୁ ଆକ୍ରମଣ କରିବା ପରେ ଅନେକ ଥର ବଙ୍ଗର ନବାବମାନେ ଓଡିଶାକୁ ଆକ୍ରମଣ କରିଥିଲେ  । ତେବେ ବଙ୍ଗର ଆଫଗାନୀ ନବାବ ସୁଲେମାନ କରାନୀ ଏବଂ ତାର ସେନାଧ୍ୟକ୍ଷ କଳାପାହାଡ୧୫୬୮ରେ ଓଡିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କୁ ପରାସ୍ତ କରି ଓଡିଶାକୁ ଅକ୍ତିଆର କରିଥିଲେ  । ପରେ ୧୫୯୦-୯୨ରେ ଓଡିଶା ମୁଗଲଙ୍କ ଅଧୀନକୁ ଯାଇଥିଲା  । ୧୭୫୧ରେ ମରାଠାମାନେ ଅକ୍ତିଆର କରିବା ପର୍ଯ୍ୟନ୍ତ ଓଡିଶା ଦୀର୍ଘ ୧୯୦ ବର୍ଷ ମୁସଲମାନ ଶାସକଙ୍କ ଅଧୀନରେ ଥିଲା  । ହେଲେ ପଞ୍ଜାବ ଏବଂ ବେଙ୍ଗଲ ପରି ଏଠାରେ ଇସଲାମ ଧର୍ମ କାୟା ବିସ୍ତାର କରିପାରିନଥିଲା  । ପ୍ରଶ୍ନ କରାଯାଏ ଯେ ବଙ୍ଗଳା ଲୋକଙ୍କ ତୁଳନାରେ ଓଡିଶାବାସୀ କିପରି ଇସଲାମ ଧର୍ମକୁ ଦୀର୍ଘ ସମୟ ଧରି ସଫଳତାର ସହ ପ୍ରତିରୋଧ କରିପାରିଲେ ? ଏହାର ଉତ୍ତରରେ କୁହାଯାଏ ଯେ ମରାଠା ଏବଂ ଦକ୍ଷିଣ ଭାରତର ଲୋକଙ୍କ ପରି ଓଡିଶା ପରାଜିତ ହୋଇଥିଲା ସତ କିନ୍ତୁ ତାକୁ ସମ୍ପୂର୍ଣ୍ଣ ରୂପେ କେହି ଜୟ କରିପାରିନଥିଲେ  । ବିଶେଷ କରି ବଙ୍ଗ ଏବଂ ପଞ୍ଜାବରେ ମୁସଲମାନଙ୍କ ବିଜୟ ସମାଜ ଏବଂ ସଂସ୍କୃତିର ସର୍ବନିମ୍ନସ୍ତର ପର୍ଯ୍ୟନ୍ତ ପ୍ରବେଶ କରିଥିଲା ବେଳେ ଓଡିଶାରେ ମୁସଲମାନଙ୍କ ବିଜୟ କେବଳ ଇତିହାସର ରାଜନୈତିକ ପୃଷ୍ଟଭୂମି ମଧ୍ୟରେ ସୀମିତ ଥିଲା  । 
    ମୁସଲମାନ ସୈନ୍ୟମାନେ ନିଶ୍ଚିତ ଭାବରେ ଓଡିଶା ଭୂଖଣ୍ଡକୁ ନିଜ ଅଧୀନକୁ ନେଇଥିଲେ, କିନ୍ତୁ ଓଡିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ବିରୋଧରେ ଇସଲାମ ସମ୍ପୂର୍ଣ୍ଣ ଅସହାୟ ଥିଲା  । କାରଣ ଗୁଜୁରାଟର ସୋମନାଥ ଏବଂ କାଶୀର ବିଶ୍ୱନାଥଙ୍କ ପରି ମନ୍ଦିରରେ ମୂର୍ତ୍ତି ଭାବେ ନରହି ଜଗନ୍ନାଥ ଓଡିଶା ଲୋକଙ୍କ ହୃଦୟରେ ରହିଥିଲେ  । ମୁସଲମାନମାନେ ସେସମୟର ଦୃଶ୍ୟମାନ ଜଗନ୍ନାଥଙ୍କ ପାର୍ଥିବ ମୂର୍ତ୍ତିକୁ ନଷ୍ଟ କଲେ ଓ ମନ୍ଦିରକୁ ଆକ୍ରମଣ କଲେ  । କିନ୍ତୁ ସେମାନେ ଅଦୃଶ୍ୟ ଜଗନ୍ନାଥଙ୍କ ବିରୁଦ୍ଧରେ ସମ୍ପୂର୍ଣ୍ଣ ଶକ୍ତିହୀନ ଥିଲେ  । କାରଣ ଏହି ଭୂଖଣ୍ଡର ଜନତାଙ୍କ ହୃଦୟରେ ବାସ କରୁଥିବା ଜଗନ୍ନାଥଙ୍କୁ ହଟାଇ ସେମାନେ ଇସଲାମର ପ୍ରତିରୋପଣ କରିପାରିନଥିଲେ  । ଓଡିଶା କେବଳ ଇସଲାମକୁ ବିସ୍ମିତ କରିନାହିଁ ବରଂ ଶ୍ରୀଚୈତନ୍ୟଙ୍କ ପୂର୍ବରୁ ଏବଂ ପରେ ହିନ୍ଦୁ ଧର୍ମକୁ ବଞ୍ଚାଇ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି  । ଏପରିକି ଜଗନ୍ନାଥ ସେ ସମୟର ହିନ୍ଦୁ ଧର୍ମର ଦୁର୍ବଳ ସ୍ରୋତ ବଙ୍ଗଳାକୁ ମଧ୍ୟ ଆଶିଂକ ରକ୍ଷା କରିପାରିଛନ୍ତି, ଯେଉଁଥିପାଇଁ ବଙ୍ଗଳାଲୋକ ଏବେ ବି ଜଗନ୍ନାଥଙ୍କ ନିକଟକୁ ମୁକ୍ତି ପାଇଁ ଧାଇଁ ଆସନ୍ତି  । ଓଡିଶାରେ ନିଜ ଧର୍ମ ଏବଂ ସଂସ୍କୃତିକୁ ପ୍ରଚାର କରିବାରେ ଇସଲାମ ବିଫଳ ହୋଇଥିଲା, କାରଣ ଓଡିଶାର ମେରୁଦଣ୍ଡ ଥିଲେ ଜଗନ୍ନାଥ ଓ ତାହା ସାମାଜିକ ଏବଂ ଧାର୍ମିକ ଭାବେ ଦୃଶ୍ୟମାନ ଥିଲା ଓ ଯାହା ଇସଲାମର ପ୍ରଥମ ଆକ୍ରମଣ ସମୟରେ ବଙ୍ଗରେ ନଥିଲା  । ଓଡିଶାର ସାମାଜିକ ଏବଂ ଆଧ୍ୟାତ୍ମିକ ମେରୁଦଣ୍ଡ ଭାବେ ଜଗନ୍ନାଥ ସବୁ ଜାତି ଓ ସମ୍ପ୍ରଦାୟଙ୍କ ଆରାଧ୍ୟ ଥିଲେ  । ଜଗନ୍ନାଥ ଧର୍ମ ଉପକୂଳରେ ସୀମିତ ନରହି ଓଡିଶାର ପାହାଡିଆ, ଘଞ୍ଚ ଜଙ୍ଗଲରେ ଥିବା ଗଡଜାତ ରାଜ୍ୟଗୁଡିକୁ ମଧ୍ୟ ବ୍ୟାପିଯାଇଥିଲା  । ଜଗନ୍ନାଥଙ୍କୁ ଓଡିଶାର ରାଜା ଭାବେ ଘୋଷଣା କରାଯାଇଥିଲା ଓ ଗଜପତିମାନେ ନିଜକୁ ତାଙ୍କ ରାଉତ ବା ସେବକ ବୋଲି ସମ୍ବୋଧନ କରୁଥିଲେ  । ଓଡିଶା ଥିଲା ଜଗନ୍ନାଥଙ୍କ ସାମ୍ରାଜ୍ୟ ଏବଂ ଓଡିଶାର ପ୍ରତ୍ୟେକ ଲୋକଙ୍କ ରାଜା ଥିଲେ ଭଗବାନ ଜଗନ୍ନାଥ  । ଜଗନ୍ନାଥ ଧର୍ମରେ ସବୁଧର୍ମର ସମନ୍ୱୟ ଦେଖିବାକୁ ମିଳୁଥିଲା ଓ ରୀତିନୀତି, ପୂଜା ପଦ୍ଧତି ଏହି କ୍ରମରେ ଗଢି ଉଠିଥିଲା  । ଏହି ଧର୍ମର ବିକାଶ ଧାରା ଆମେ ସାରଳା ମହାଭାରତ, ମାଦଳା ପାଞ୍ଜି ଓ ବିଭିନ୍ନ ରାଜବଂଶାବଳୀରେ ଦେଖିବାକୁ ପାଇଥାଉ  ।
ମାଦଳା ପାଞ୍ଜି ଅନୁଯାୟୀ ରାଜା ଅନଙ୍ଗଭୀମ ଦେବ ଜଗନ୍ନାଥଙ୍କୁ ଓଡିଶାର ରାଜା ଏବଂ ନିଜକୁ ତାଙ୍କର ଜଣେ ସେବକ ବା ରାଉତ ବୋଲି ଘୋଷଣା କରିଥିଲେ  । ଜଗନ୍ନାଥଙ୍କୁ ଓଡିଶାର ପ୍ରକୃତ ରାଜା ଘୋଷଣା କରି ଅନଙ୍ଗ ଭୀମଦେବ ଏବଂ ପୁରୁଷୋତ୍ତମ ଦେବ ନିଜ ରାଜ୍ୟାଭିଷେକ ଉସôବ ପାଳନ କରିନଥିଲେ  । ଏହାଦ୍ୱାରା ସେ ସାଧାରଣ ଜନତାଙ୍କ ଆଗରେ ନିଜକୁ ଜଣେ ପ୍ରଭୁଭକ୍ତ ଏବଂ ତାଙ୍କ ରାଜ୍ୟ ଭଗବାନଙ୍କ ଦ୍ୱାରା ପରିଚାଳିତ ବୋଲି ଦେଖାଇବାରେ ସକ୍ଷମ ହୋଇଥିଲେ  । ଏପରିକି ସେ ଶାସନର କ୍ଷମତା ଜଗନ୍ନାଥଙ୍କ ନିକଟରୁ ପାଇଥିବା ଏବଂ ନିଜକୁ ଜଗନ୍ନାଥ ବା ପୁରୁଷୋତ୍ତମଙ୍କ ପୁତ୍ର ବୋଲି କହୁଥିଲେ  । ଅନେକ ଐତିହାସିକଙ୍କ ମତରେ ମାଦଳା ପାଞ୍ଜି ଲେଖା ଚୋଡଗଙ୍ଗ ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା  । ଏଥିପାଇଁ ରାଜା ସେବକମାନଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ  । ମଧ୍ୟଯୁଗୀୟ ମୁସଲମାନମାନେ ନିଜ ଇତିହାସ ଲେଖିବା ପାଇଁ ଯେପରି ନିଜ ଦରବାରରେ ଐତିହାସିମାନଙ୍କୁ ନିଯୁକ୍ତ କରୁଥିଲେ ସେହିପରି ଓଡିଶାର ରାଜା ଜଗନ୍ନାଥଙ୍କ ଇତିହାସ (ମାଦଳା ପାଞ୍ଜି) ଲେଖିବା ପାଇଁ ପାଞ୍ଜିକାରଙ୍କୁ ନିଯୁକ୍ତ କରାଯାଇଥିଲା  । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରୀ ଜଗନ୍ନାଥ ମନ୍ଦିରକୁ ଛାଡିଦେଲେ ଓଡିଶାର ଅନ୍ୟ କୌଣସି ମନ୍ଦିରରେ ମାଦଳା ପାଞ୍ଜି ଲେଖାଯିବାର ଦେଖାଯାଏ ନାହିଁ  । ଜଗନ୍ନାଥଙ୍କ ପାଇଁ ଅନଙ୍ଗଭୀମ ଦେବ ସର୍ବବିଧି ପୂଜା ପଦ୍ଧତି ଆରମ୍ଭ କରିଥିଲେ  । ଏଥିପାଇଁ ମନ୍ଦିରରେ ୩୬ ପ୍ରକାରର ସେବକ ବା ନିୟୋଗଙ୍କୁ ନିଯୁକ୍ତି ଦିଆଯାଇଥିଲା  । ନିୟୋଗ ଶବ୍ଦଟି ପ୍ରାୟତଃ ସରକାରୀ ଚାକିରି କ୍ଷେତ୍ରରେ ଲାଗୁ ହୁଏ  । ତେଣୁ ନିୟୋଗମାନଙ୍କୁ ମନ୍ଦିରରେ ପୂଜା ପାଇଁ ଅନୁମତି ଦେବାବେଳେ ରାଜା ତାଙ୍କୁ ଏକ ଶାଢି ପ୍ରଦାନ କରନ୍ତି  । ପରବର୍ତ୍ତୀ ସମୟରେ ଏହି ପରମ୍ପରାକୁ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟର ରାଜାମାନେ ଅନୁକରଣ କରିଥିଲେ  । ସର୍ବବିଧି ପୂଜାପଦ୍ଧତି ମଧ୍ୟରେ ରଥଯାତ୍ରା ସମୟରେ ପବିତ୍ର ପାଣି ସିଞ୍ଚନ କରି ଛେରା ପହଁରା କରିବା ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଏପର୍ଯ୍ୟନ୍ତ ପ୍ରଚଳିତ ଅଛି  । ତେବେ ପ୍ରତିବର୍ଷ ଏହି ପରମ୍ପରାକୁ ପାଳନ କରି ରାଜା ଲୋକଙ୍କ ନିକଟରେ ପ୍ରତିପାଦିତ କରୁଥିଲେ ଯେ ତାଙ୍କ ରାଜ୍ୟର ପ୍ରକୃତ ସାର୍ବଭୌମ ରାଜା ହେଉଛନ୍ତି ଜଗନ୍ନାଥ ଓ ସେ କେବଳ ଜଣେ ତଳ ଶ୍ରେଣୀର ସେବକ, ଯାହାର କାର୍ଯ୍ୟ ଝାଡୁମାରିବା  । ସେହିପରି ଜଗନ୍ନାଥଙ୍କ ସିଂହାସନ ନିର୍ମାଣ ନିମନ୍ତେ ଅନଙ୍ଗଭୀମ ଦେବ ୩,୩୦୦ ମହଣ (୧୮ କିଲୋ) ସୁନା ପ୍ରଦାନ କରିଥିଲେ  । ଅର୍ଥାତ ପ୍ରଭୁ ଜଗନ୍ନାଥ ଅବସ୍ଥାନ କରୁଥିବା ସ୍ଥାନଟି ସିଂହାସନ ବା ସୁନାରେ ନିର୍ମିତ ରାଜାଙ୍କ ମୁକୁଟ  । ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ଶେଷ ଗଙ୍ଗରାଜା ଭାନୁଦେବଙ୍କର କୌଣସି ପୁତ୍ର ନଥିଲା ଓ ସେ ନିଜ ଉତ୍ତରାଧିକାରୀ ବାଛିବା ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ  । ଜଗନ୍ନାଥଙ୍କ ନିଦେ୍ର୍ଦଶ ମୁତାବକ ଭାନୁଦେବ ନିଜ ଉତ୍ତରାଧିକାରୀ ଭାବେ କପିଳେନ୍ଦ୍ର ଦେବଙ୍କୁ ବାଛିଥିଲେ  । ମାଦଳା ପାଞ୍ଜିରେ ବର୍ଣ୍ଣିତ ନୀଳି କୁମ୍ଭାରୁଣୀ, ପଶୁପାଳକ, ଅନ୍ଧ ଦଇତା, ଦାସ ମୁଦୁଲି ଏବଂ କାଞ୍ଚôÿ ଅଭିଯାନ କାହାଣୀ ସବୁ ଜଗନ୍ନାଥଙ୍କୁ ସାଧାରଣ ଲୋକଙ୍କ ଠାକୁର ଭାବେ ପ୍ରତିପାଦିତ କରେ  । ମାତ୍ର ଏହା ସହ ସବୁ କାହାଣୀରେ ଗୋଟିଏ କଥା ସ୍ପଷ୍ଟ ଯେ ଜଗନ୍ନାଥ କେବଳ ରାଜାଙ୍କ ଯୋଗେ ଲୋକଙ୍କୁ ସହଯୋଗ କରନ୍ତି  । ଯେଉଁ ସମୟରେ ଭକ୍ତମାନେ ବିପଦରେ ପଡିଛନ୍ତି କିମ୍ବା କଷ୍ଟରେ ଅଛନ୍ତି ସେ ସମୟରେ ପ୍ରଭୁ ଜଗନ୍ନାଥ ରାଜାଙ୍କୁ ସ୍ୱପ୍ନାଦେଶ କରି ତାଙ୍କ ଭକ୍ତକୁ ସମସ୍ତ ସୁବିଧା ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  । ସେହିପରି କପିଳେନ୍ଦ୍ର ଦେବ ରାଜା ହେବା ଘଟଣା ପ୍ରତିପାଦିତ କରେ ଯେ ଜଗନ୍ନାଥ ଚାହିଁଲେ ଯେ କୌଣସି ବ୍ୟକ୍ତିଙ୍କୁ ରାଜା କରାଇପାରିବେ  । କାଞ୍ଚôÿ-କାବେରୀ ଯୁଦ୍ଧ କିମ୍ବଦନ୍ତୀ ଖୁବ ଲୋକପ୍ରିୟ ଓ ଏହି କାହାଣୀ ଜଗନ୍ନାଥଙ୍କୁ ଓଡିଶାର ପ୍ରକୃତ ରାଜା ଭାବେ ଉଦ୍ଘୋଷିତ କରିଛି  । ଅନୁରୂପ ଭାବେ ଜଗନ୍ନାଥଙ୍କ ମନ୍ଦିରକୁ ଆକ୍ରମଣ କରିଥିବା କଳାପାହାଡର ଶୋଚନୀୟ ମୃତୁ୍ୟ ଘଟିବା ସହ ଅନ୍ୟ ଆକ୍ରମଣକାରୀଙ୍କର ବି କ୍ଷତି ଘଟିଛି  । ଆକ୍ରମଣ ସମୟରେ ଜଗନ୍ନାଥଙ୍କୁ ନେଇ ରାଜାମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛନ୍ତି ଓ ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ଦିରରେ ଅବସ୍ଥାପିତ କରିଛନ୍ତି  । ସବୁ ପରେ ବି ଜଗନ୍ନାଥ ଧର୍ମ ମଳିନ ପଡିନାହିଁ, ଯାହା ଜଗନ୍ନାଥଙ୍କ ଈଶ୍ୱରୀୟ ଶକ୍ତିକୁ ପ୍ରତିପାଦିତ କରିଛି  । ଇତିହାସରେ ବିଦେଶୀଙ୍କ ଆକ୍ରମଣ ସମୟରେ ଓଡିଶାର ରାଜାମାନେ ଜଗନ୍ନାଥଙ୍କ ମୂର୍ତ୍ତିକୁ ରକ୍ଷା କରିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି  । ଫଳରେ ଓଡିଶାବାସୀ ପରାଜୟ ପାଇଁ ରାଜାଙ୍କୁ ଦୋଷ ଦେବା ବଦଳରେ ଜଗନ୍ନାଥଙ୍କ ରକ୍ଷା ନିମନ୍ତେ ରାଜାମାନେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି  । ଏହିଭଳି ଭାବେ ଜଗନ୍ନାଥଙ୍କୁ ଓଡିଶାର ରାଜା ଓ ରାଷ୍ଟ୍ର ଦେବତା ଭାବେ ପ୍ରଦର୍ଶିତ କରାଯାଇଛି ଓ ସେ ଲୋକଙ୍କ ଅନ୍ତର ଆତ୍ମାରେ ବାସ କରିଛନ୍ତି  । ଫଳରେ ମୁସଲମାନ ଶାସକମାନେ ଜଗନ୍ନାଥଙ୍କୁ ଲୋକଙ୍କ ହୃଦୟରୁ ହଟାଇ ନିଜ ଧର୍ମକୁ ସ୍ଥାପନ କରିପାରିନାହାନ୍ତି  ।
ଅଧ୍ୟାପକ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ, ଯାଜପୁର