ରଥ ପ୍ରତିଷ୍ଠା ଓ ଚତୁର୍ଦ୍ଧା ବିଗ୍ରହଙ୍କ ତିନିରଥ

ରଥଯାତ୍ରା ଦିନ ମହାପ୍ରଭୁଙ୍କର ପ୍ରଥମ ନୀତି ହେଉଛି ରଥ ପ୍ରତିଷ୍ଠା । ପ୍ରଥମେ ସ୍ନାନ ମଣ୍ଡପ ପାଖରେ ଥିବା ରଥ ପ୍ରତିଷ୍ଠା ମଣ୍ଡପରେ ତିନିରଥର ପ୍ରତୀକଭାବେ କାଠରେ ତିଆରି ହୋଇଥିବା ତିନି ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । ବଳଭଦ୍ରଙ୍କ ରଥର ପ୍ରତୀକ ଭାବେ ନୃସିଂହ, ଜଗନ୍ନାଥଙ୍କ ରଥର ପ୍ରତୀକ ଭାବେ ହନୁମାନ ଓ ମାତା ସୁଭଦ୍ରାଙ୍କ ପ୍ରତୀକ ଭାବେ ଭୁବନେଶ୍ୱରୀଙ୍କୁ ହିଁ ରଥ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ । ଏହି ସମୟରେ ଶ୍ରୀମନ୍ଦିର ପୁରୋହିତ, ରାଜାଙ୍କ ପ୍ରତିିନିଧି ସ୍ୱରୂପ ରାଜଗୁରୁ ଓ ଶାସନୀ ବ୍ରାହ୍ମଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଥାଏ । ବନଜାଗ ପଦ୍ଧତିରେ ଏଠାରେ ପୂଜାର୍ଚ୍ଚନା ହୋଇ ନୃସିଂହଙ୍କୁ ଆହୁତି ଦିଆଯାଏ । ତାପରେ ଘଣ୍ଟି ଛତ୍ରୀ କାହାଣୀ ପଟୁଆରରେ ରଥକୁ ଆସନ୍ତି । ସଂସ୍କାର ଜଳକୁ ରଥରେ ସିଞ୍ଚନ କରି ଏହି ତିନି ମୂର୍ତ୍ତିଙ୍କୁ ରଥର ଚୂଡ଼ା ଦେଶରେ କୋଠ ସୁଅାଁସିଆ ସେବକମାନେ ସ୍ଥାପନ କରିଥାନ୍ତି । ଏହିପରି ରଥ ପ୍ରତିଷ୍ଠା ହେବା ପରେ ହିଁ ମହାପ୍ରଭୁଙ୍କର ପହଣ୍ଡି କାର୍ଯ୍ୟକ୍ରମ ହୋଇଥାଏ ।
ପଞ୍ଚଦେବତାଙ୍କୁ ପୂଜା - ରାଣୀଙ୍କ ପାଇଁ ଆସେ ପ୍ରସାଦ ମାଳା : ଛେରାପହଁରା ନୀତି କରିବା ପାଇଁ ମହାରାଜା ଗଜପତି ରଥଯାତ୍ରା ଦିନ ସକାଳୁ ଉପବାସରେ ରହିଥାନ୍ତି । ସେଦିନ ପ୍ରଥମେ ରାଜଗୁରୁ ରାଜାଙ୍କୁ ପଇତାଲାଗି କରାନ୍ତି । ଏହାପରେ ରାଜା ପଞ୍ଚଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରାଜନଅରରେ ଥିବା କନକଦୁର୍ଗା ମନ୍ଦିରରେ ରାଜଗୁରୁଙ୍କ ଉପସ୍ଥିତିରେ ରାଜା ଏହି ପୂଜା କରନ୍ତି । ମଙ୍ଗଳାର୍ପଣ କରି ପୁଷ୍ପାଞ୍ଜଳି ଦେଇ ରାଜା ଛେରାପହଁରା ନୀତି ପାଇଁ ଅପେକ୍ଷା କରି ରହିଥାନ୍ତି । ସେପଟେ ରଥ ପ୍ରତିଷ୍ଠା ହୋଇ ରଥ ଉପରେ ମହାପ୍ରଭୁ ବିଜେ କରି ବେଶ ହେଲାପରେ ରାଜାଙ୍କ ପାଖକୁ ଖବର ଆସେ । ମନ୍ଦିରରୁ  କାହାଳିଆମାନେ ପଟୁଆରରେ ଯାଇ ରାଜାଙ୍କୁ ଛେରାପହଁରା ପାଇଁ ନିମନ୍ତ୍ରଣ କରିଥାନ୍ତି । ଛେରାପହଁରା ସେବା ନିମନ୍ତେ ରାଜାଙ୍କ ପାଇଁ ନଅରର ଦର୍ଜୀ ସ୍ୱତନ୍ତ୍ର ଭାବେ ଏକ ପ୍ରକାରର ଧଳା ପୋଷାକ କରିଥାନ୍ତି । ସେହି ପୋଷାକ ପିନ୍ଧି ରାଜା ବେଶ ହେଲାପରେ ଛେରାପହଁରା ନୀତି ପାଇଁ ତାନ୍ଜାନରେ ବାହାରନ୍ତି । ରଥ ଉପରେ ରାଜାଙ୍କ ସହ ରାଜଗୁରୁ, ବେହେରା କରଣ, ନଅରର ଜ୍ୟୋତିଷ ଓ ପୁଷ୍ପାଳକ ଉପସ୍ଥିତ ରହିଥାନ୍ତି । ରଥରେ ଚନ୍ଦନ ପାଣିର ଛିଟା (ଛେରା) ଓ ପୁଷ୍ପାଳକ ଫୁଲ ସହିତ ଶିଖିଲା ଗୁଣ୍ଡ ଚନ୍ଦନ ପକାଇଥାନ୍ତି । ରାଜା ଏହାକୁ ଛେରାପହଁରା କରିଥାନ୍ତି । ପ୍ରତି ରଥରେ ତିନିଘେରା ଲେଖାଏଁ ଛେରାପହଁରା କରି ନୀତି ସମାପନ କରିଥାନ୍ତି । ଶେଷରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ରାଜା ନଅର ଅଭିମୁଖେ ବାହାରନ୍ତି । ତେବେ ଛେରା ପହଁରା ସରିଲେ ରଥ ଉପରେ ରାଜାଙ୍କୁ ଏକ ପ୍ରସାଦମାଳ ଓ ଶ୍ରୀକପଡ଼ା (ଅଙ୍ଗଲାଗି ବସ୍ତ୍ର) ଦିଆଯାଏ । ସେହିପରି ଆଉ ଏକ ପ୍ରସାଦମାଳ ଓ ଶ୍ରୀକପଡ଼ା ରାଣୀଙ୍କ ପାଇଁ ମଧ୍ୟ ଦିଆଯାଏ । 
ସାଧାରଣତଃ ରଥ ତିନୋଟିର ଭିନ୍ନ ଭିନ୍ନ ନାମ ରହିଛି । ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ, ଲଙ୍ଗଲ ଧ୍ୱଜ ବା ହଳଧ୍ୱଜ । ସେହିପରି ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ଚକ୍ରଧ୍ୱଜ ବା ଗରୁଡ଼ ଧ୍ୱଜ । ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ, ପଦ୍ମଧ୍ୱଜ ବା କମଳଧ୍ୱଜ । ତାଳଧ୍ୱଜ ରଥରେ ବ୍ୟବହୃତ କାଠର ସଂଖ୍ୟା ୭୩୧ ଖଣ୍ଡ । ନନ୍ଦିଘୋଷ ୭୪୨ ଏବଂ ଦର୍ପଦଳନ ରଥରେ ବ୍ୟବହୃତ କାଠର ସଂଖ୍ୟା ୭୧୧ ଖଣ୍ଡ । ତାଳଧ୍ୱଜ ରଥର ଉଚ୍ଚତା ୪୫ ଫୁଟ, ନନ୍ଦିଘୋଷ ୪୫ ଫୁଟ ୬ଇଞ୍ଚ  ଏବଂ ଦର୍ପଦଳନ ରଥର ଉଚ୍ଚତା ୪୪ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଚକ ସଂଖ୍ୟା ୧୪, ନନ୍ଦିଘୋଷ ୧୬ ଓ ଦର୍ପଦଳନର ଚକ ସଂଖ୍ୟା ୧୨ । ତାଳଧ୍ୱଜ ରଥର ଅଧୀଶ୍ୱର ଦେବତା ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ । ନନ୍ଦିଘୋଷ ରଥର ଅଧିଶ୍ୱର ଦେବତା ଶ୍ରୀଜଗନ୍ନାଥ ଓ ଚଳନ୍ତି ପ୍ରତିମା ମଦନମୋହନ । ଦର୍ପଦଳନ ରଥର ଅଧୀଶ୍ୱର ଦେବତା ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ । ତାଳଧ୍ୱଜ ରଥ ସାରଥିଙ୍କ ନାମ ମାତଳୀ, ନନ୍ଦିଘୋଷ ରଥ ସାରଥିଙ୍କ ନାମ ଦାରୁକ ଓ ଦର୍ପଦଳନ ରଥ ସାରଥିର ନାମ ଅର୍ଜୁନ । ତାଳଧ୍ୱଜ ରଥ ଦଉଡିର ନାମ ବାସୁକୀ, ନନ୍ଦିଘୋଷର ଶଙ୍ଖଚୁଡ଼ ନାମ୍ନୀ ନାଗୁଣୀ ଓ ଦେବୀ ସୁଭଦ୍ରାଙ୍କ ରଥ ଦଉଡିର ନାମ ସ୍ୱର୍ଣ୍ଣଚୂଡ଼ା ନାମକ ନାଗ । ବଡ଼ ଠାକୁରଙ୍କ ରଥର ଅଶ୍ୱଗୁଡ଼ିକ ହେଲେ ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ । ନନ୍ଦିଘୋଷର ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ । ଦର୍ପଦଳନ ରଥ ଅଶ୍ୱଗୁଡ଼ିକ ହେଲେ ଗୋଚିକା, ମୋଚିକା, ଜିତା ଓ ଅପରାଜିତା ।  ମନେ ରଖିବା ଉଚିତ ଯେ ଜୀବନ ଯାତ୍ରା ପଥରେ ସମସ୍ତ ପ୍ରକାରର ବିଳାସ-ବାସନା, ନୃତ-ଗୀତ, ଆମୋଦ-ପ୍ରମୋଦ ଏସବୁ ହେଉଛି ରଥଯାତ୍ରାର ଶୋଭାଯାତ୍ରା ଭଳି  । ଜୀବନ ହେଉଛି ଏକ ରଥଯାତ୍ରା  । ଏହି କଥା ମନରେ ରଖି ମନୁଷ୍ୟ ନିଜର ସମସ୍ତ କର୍ମର ବିଚାର କରିବା ଉଚିତ  । ଜୀବନର ପ୍ରତିଟି କ୍ଷଣ, ମୁହୂର୍ତ୍ତ ଏବଂ କାଳର ପ୍ରତି ପାଦରେ ଭଗବାନଙ୍କ ନାମ ସ୍ମରଣ ପୂର୍ବକ ପରୋପକାର ଓ ସତ୍କର୍ମ ପାଇଁ ଏହି ଦେହର ରଥକୁ ସାରଥୀ ପରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିବା ହିଁ ଜୀବନର ମାନବୀୟ ମୂଲ୍ୟବୋଧ । କେବଳ ଧନୀ ବା ବିତ୍ତଶାଳୀ ନୁହଁନ୍ତି ଜଣେ ର୍ନିଧନଟି ବି ନିଜ ମୁଖରେ ସନ୍ତୋଷପୂର୍ଣ୍ଣକ ହୃଦୟ ଆନନ୍ଦକୁ ପରିପୂର୍ଣ୍ଣ କରୁଥିବା ମିଷ୍ଟ ବାଣୀ ଦ୍ୱାରା ଜଣକୁ ସନ୍ତୋଷ ପ୍ରଦାନ କରିପାରିବ । ପାଣି ମୁନ୍ଦାଏ ହେଉ ବା ଅସହାୟ ମୁହୂର୍ତ୍ତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ କରୁଣାର ହାତ ବଢ଼ାଇବା ଦ୍ୱାରା ଜଣେ ଜୀବନ ରଥର ଶ୍ରେଷ୍ଠ ସାରଥୀ ଭାବେ ନିଜ ଜୀବନକୁ ଦିବ୍ୟପଥରେ ଅଗ୍ରଗାମୀ କରିପାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ଯାତ୍ରାରେ ଏହି ଚିନ୍ତନ ସମସ୍ତଙ୍କୁ ମାର୍ଗ ଦେଖାଉ ।  ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଭଗବାନଙ୍କର ଅମୂଲ୍ୟ ଦାନ  । ତେଣୁ ଏହାର ସଦ୍ବ୍ୟବହାର କରାଯିବା ଆବଶ୍ୟକ  ।
ଡ.ତପନ କୁମାର ପାଳ
ମୋ: ୯୯୩୭୬୫୮୩୬୨