ଆଧ୍ୟାତ୍ମିକ ଚେତନାର ଉନ୍ମୀଳନ

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆମ ଚିନ୍ତାଧାରା ଓ ଅନ୍ୟର ଦୃଷ୍ଟିଭଙ୍ଗୀକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।

ଆଜ୍ଞା, ଆମେ କଣ କରିଛେ ବା କରୁଛେ ତାହା ସମସ୍ତେ ବୁଝିବେ ବୋଲି କିଛି ମାନେ ନାହିଁ  । ଆମ ଚିନ୍ତାଧାରା ଯାହା, ଅନ୍ୟମାନଙ୍କର ଚିନ୍ତାଧାରା କଣ ସେୟା କି? ଆମେ ଗୋଟେ କଥାକୁ ଯେମିତି ଦେଖୁଛେ, ଅନ୍ୟମାନେ କଣ ସେମିତି ଦେଖି ପାରିବେ ବୋଲି ତ ମାନେ ନାହିଁ  । 
ସଂସାରରେ ପ୍ରତ୍ୟେକ ଲୋକ ନିଜ ନିଜ ଦୃଷ୍ଟିଭଙ୍ଗୀରେ, ନିଜ ନିଜ ମାର୍ଗରେ, ନିଜସ୍ୱ ପ୍ରକାରରେ କର୍ମମାନ କରୁଛନ୍ତି  । ସମସ୍ତଙ୍କର ସବୁ କଥା ଯେମିତି ଆମକୁ ପସନ୍ଦ ଆସେନି, ଆମର ସବୁ କଥା ବା କୌଣସି କଥା ସମସ୍ତଙ୍କୁ କେମିତି ପସନ୍ଦ ଆସିବ? ଆମକୁ ଆମ ଭଳି ଯିଏ ବୁଝିଲା ବୁଝିଲା, ଯିଏ ନ ବୁଝିଲା ନାହିଁ  । କଣ ହେଇଗଲା ସେଇଠୁ ? ଦୁନିଆଟା ଭାସିଯାଉନି ନା ! 
ଛୋଟିଆ କଥାଟେ ଶୁଣନ୍ତୁ  । ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମଚରିତମାନସକୁ ଅତି ସୁନ୍ଦର ଭାବେ ଲେଖିଲେ  । ତାଙ୍କର ଲେଖିବା ସରିଗଲା  । ଦିନେ ତୁଳସୀ ଦାସଙ୍କ ନିକଟକୁ କିଛି ଲୋକ ଆସି କହିଲେ କାହିଁକି ଆପଣ ଏତେ କଷ୍ଟ କରି ଏ ରାମକଥା ସବୁ ଲେଖିଲେ? କିଏ ପଢିବ ଏସବୁ?
ସନ୍ଥ ତୁଳସୀ ଦାସ ଅତି ବିନମ୍ରତାର ସହ ସେମାନଙ୍କୁ ଉତ୍ତର ଦେଲେ ଯେ ‘ମମ ସୁଖ ଲାଗି’  । ଅର୍ଥାତ୍ କିଏ ପଢିବେ କି ନ ପଢିବେ ସେକଥା ମୁଁ ଭାବିକି ଲେଖିନାହିଁ  । ରାମଙ୍କ କଥା ମତେ ଆନନ୍ଦ ଦେଲା, ତେଣୁ ମୁଁ କେବଳ ମୋ ସୁଖ ପାଇଁ ଲେଖିଲି  । କେତେ ସୁନ୍ଦର କଥାଟେ କହିଲେ ! ସବୁକଥା ସେମିତି  ।
ଆମେ ଯାହା ହି କରୁଛେ ଆମ ଚିନ୍ତାଧାରା, ଆମ ମାନସିକତା, ଆମର ଭାବନା ଶକ୍ତିକୁ ନେଇ କରୁଛେ  । ଆମ ବୁଝିବ, କିଏ ନବୁଝିବ ସେଇଟା ତ ଆମ ଉପରେ ନିର୍ଭର କରେନି  । ନିର୍ଭର କରେ ଅନ୍ୟ ଉପରେ  । ଅନ୍ୟର ଦୃଷ୍ଟିଭଙ୍ଗୀ ଉପରେ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ନମସ୍କାର  ।