ବିଶ୍ୱର ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା

ଗୋପାଳ ମହାପାତ୍ର : ଭାରତ ଏବେ ବିଶ୍ୱର ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ବସ୍ତୁତଃ ଏକ ଇତିହାସ ସୃଷ୍ଟି କରିଛି ଭାରତ । ନୀତି ଆୟୋଗର ସିଇଓ ବିବିଆର ସୁବ୍ରମଣ୍ୟମ ଏ ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ ଭାରତ ଜାପାନକୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛି । ଏବେ ଭାରତର ଅର୍ଥବ୍ୟବସ୍ଥା ୪ଟ୍ରିଲିୟନ ଡ଼ଲାରରେ ପହଞ୍ଚô ଯାଇଛି । ଅର୍ଥବ୍ୟବସ୍ଥାର ଆକାର ମାମଲାରେ ଏବେ ଭାରତ ଆଗରେ ରହିଛନ୍ତି ଆମେରିକା, ଚୀନ ଏବଂ ଜର୍ମାନୀ । ଅନୁମାନ କରାଯାଉଛି ଆସନ୍ତା ୩ବର୍ଷ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥାରେ ପରିଣତ ହେବ । ଭାରତର ଏହି ଉପଲବ୍ଧି ପଛରେ ନିର୍ମାଣ କ୍ଷେତ୍ରର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କେନ୍ଦ୍ର ସରକାର ବିଗତ ୧୧ବର୍ଷ ହେବ ଏ କ୍ଷେତ୍ରରେ କ୍ରମାଗତ ଭାବେ ଅର୍ଥ ନିବେଶ କରୁଛନ୍ତି । ସଡ଼କ, ରେଳ ପରିବହନ, ବନ୍ଦର ନିର୍ମାଣ ଏବଂ ବାସଗୃହ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି । ଷ୍ଟିଲ, ସିମେଣ୍ଟ, ବିଦୁ୍ୟତ, ତୈଳ ସହିତ ଔଦ୍ୟୋଗିକ କ୍ଷେତ୍ର ଏଥିପାଇଁ ଲାଭବାନ ହୋଇଛନ୍ତି । ଦେଶରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାର ଉତ୍ତମ ପରିବେଶ ସୃଷ୍ଟି କରିଛନ୍ତି । ଏହି କାରଣରୁ ବିଦେଶୀ ପୁଞ୍ଜିର ପ୍ରବାହ ବୃଦ୍ଧି ପାଉଛି । ଏବେ ବିଶ୍ୱସ୍ତରୀୟ ପରିବେଶ ଯେପରି ହୋଇଛି ସେ ଦୃଷ୍ଟିରୁ ବିଦେଶୀ ପୁଞ୍ଜିନିବେଶକ ମାନେ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସରକାର ଅସ୍ତ୍ରଶସ୍ତ୍ର ନିର୍ମାଣକୁ ମଧ୍ୟ ପ୍ରାଥମିକତା ଦେଇଛି । ଏହି କାରଣରୁ ଭାରତ ବିଶ୍ୱର ବୃହତ୍ ଅସ୍ତ୍ରଶସ୍ତ୍ର ଆମଦାନି କରୁଥିବା ରାଷ୍ଟ୍ରରେ ପରିଣତ ହେବା ସହିତ ଅସ୍ତ୍ରଶସ୍ତ୍ରର ରପ୍ତାନିକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଭାରତର ବ୍ରହ୍ମୋସ୍, ଆକାଶ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ବିଶ୍ୱ ସ୍ତରରେ ଆଦୃତ ହୋଇଛି ଏବଂ ଡ଼ଜନେରୁ ଅଧିକ ଦେଶ ଏବେ ଭାରତରୁ  ଏସବୁ କ୍ରୟ କରୁଛନ୍ତି । ଏହି କାରଣରୁ ବିଶ୍ୱସ୍ତରରେ ଭାରତର ପତିଆରା ବଢ଼ିଛି । ବ୍ରହ୍ମୋସ୍ ଆକାଶ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ରପ୍ତାନି କାରଣରୁ ଭାରତକୁ ଅଧିକ ପରିମାଣର ବିଦେଶୀ ମୁଦ୍ରା ମିଳୁଛି । ଭାରତ ଏବେ ବିଶ୍ୱର ୨ୟ ବୃହତ୍ ମୋବାଇଲ୍ ଉତ୍ପାଦକ ଏବଂ ରପ୍ତ୍ାନିକାରୀ ରାଷ୍ଟ୍ର ଅଟେ । ସ୍ମାର୍ଟ ଚିପ୍ର ନିର୍ମାଣ ଏବଂ ସୋଲାର ପ୍ୟାନେଲ ନିର୍ମାଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ଚିପ୍ ନିର୍ମାଣ କ୍ଷେତ୍ରରେ ମଧ୍ୟ ଅଧିକ ଅଗ୍ରଗତି କରିବ । ଆର୍ଥôକ ବିଶେଷଜ୍ଞ ମାନଙ୍କ ମତରେ ନିର୍ମାଣ କ୍ଷେତ୍ର ଆଗାମୀ ଦିନରେ ଅଧିକ ବିକଶିତ ହେବ ।
 ଭାରତକୁ ଔଦ୍ୟୋଗିକ ବିକାଶର ୪ର୍ଥ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେବାକୁ ପଡିବ ଓଏଥିପାଇଁ ଅଟୋମେସନ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେରିକା, ଚୀନ, ତାଇଓ୍ୟାନ ଏବଂ ଅନ୍ୟ ୟୁରୋପୀୟ ଦେଶ ମାନଙ୍କ ଉତ୍ପାଦ ତୁଳନାରେ ଭାରତୀୟ ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ବର୍ତ୍ତମାନ ସମୟରେ ଭାରତ ସମ୍ମୁଖରେ ସବୁଠାରୁ ବଡ଼ ଚାଲେଞ୍ଜ ଅଟୋମେଶନ କାରଣରୁ  ବେରୋଜଗାର ହୋଇଥିବା ଲୋକଙ୍କୁ ରୋଜଗାର ଉପଲବ୍ଧ କରାଇବା । ଏଥିପାଇଁ ଶ୍ରମଜୀବୀ ଲୋକମାନଙ୍କୁ ବୈଷୟିକ ଜ୍ଞାନ କୌଶଳରେ ଦକ୍ଷ କରିବାର ସୁଯୋଗ ସୃଷ୍ଟି କରିବାକୁ ପଡିବ । ଏହା ସଫଳ ହୋଇପାରିଲେ କୃଷି ଏବଂ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବାର ସମ୍ଭାବନା ରହିଛି ।  ଗଣମାଧ୍ୟମ ସହ ଆଲୋଚନା ବେଳେ ସୁବ୍ରମଣ୍ୟମ କହିଛନ୍ତି ଯେ “ଭାରତ ଏବେ ବିଶ୍ୱର ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ଓ ଆମ ଅର୍ଥ ବ୍ୟବସ୍ଥା ୪ ଟ୍ରିଲିୟନ ଡ଼ଲାରରେ ପହଞ୍ଚô ସାରିଛି । ଏ ପ୍ରସଙ୍ଗରେ ସେ ଅନ୍ତର୍ଜାତୀୟ ମୁଦା୍ର କୋଷ (ଆଇଏମ୍ଏଫ)ର ତଥ୍ୟ ମଧ୍ୟ ଉପସ୍ଥାପନ କରିଥିଲେ । ଆଇଏମ୍ଏଫ ତଥ୍ୟ ଅନୁସାରେ ଭାରତର ଅର୍ଥବ୍ୟବସ୍ଥା ଜାପାନର ଅର୍ଥବ୍ୟବସ୍ଥା ଠାରୁ ବଡ ହୋଇଯାଇଛି ।”
କିଛି ଦିନ ତଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ଚାହୁଁଚନ୍ତି ଆପଲ କମ୍ପାନୀ ଆମେରିକାରେ ଆଇଫୋନ ନିର୍ମାଣ କରୁ । ଏ ପ୍ରସଙ୍ଗରେ ସୁବ୍ରମଣ୍ୟମ କହିଥିଲେ ଯେ ଟାରିଫ କ’ଣ ହେବ ସେ କଥା କହିବା ମୁସ୍କିଲ କିନ୍ତୁ ଭାରତରେ ଏଭଳି ଜିନିଷ ନିର୍ମାଣ କଲେ ସେଇ ଜିନିଷ ଶସ୍ତା ରହିବ । ସରକାର ଏବେ ସରକାରୀ ସମ୍ପତ୍ତିକୁ ଲିଜରେ ଦେବେ ଅଥବା ବିକ୍ରି କରିବେ ସେ ବାବଦରେ ନିଷ୍ପତ୍ତି ନେବେ । ଏଡାକୁ ଆସେଟ ମ୍ୟାନେଜମେଣ୍ଟ କୁହାଯାଏ । ଏ ବାବଦରେ ଆସନ୍ତା ଅଗଷ୍ଟ ମାସରୁ କାମ ଆରମ୍ଭ ହେବ । ସରକାରୀ ସମ୍ପତ୍ତିକୁ ଲିଜ୍ରେ ଦିଆଗଲେ ଅଥବା ବିକ୍ରି କରାଗଲେ ସରକାଙ୍କୁ ଅଧିକ ଅର୍ଥ ମିଳିବ ଯାହା ଦେଶର ବିକାଶ ଦିଗରେ ବ୍ୟୟ କରାଯାଇ ପାରିବ ।ଇତି ମଧ୍ୟରେ ଫିଚ୍ ରେଟିଙ୍ଗ୍ସ ନାମକ ଏକ ସଂସ୍ଥା ୨୦୨୮ ସୁଦ୍ଧା ଭାରତର ବାର୍ଷିକ ବୃଦ୍ଧି କ୍ଷମତା ବାବଦରେ ଆକଳନ କରି ଏହା ୬.୪ ପ୍ରତିଶତ ହେବ ବୋଲି କହିଛି । ଏହା ସଂସ୍ଥା ୫ ବର୍ଷର ସମସ୍ତ ଘରୋଇ ଉତ୍ପାଦ (ଜିଡ଼ିପି) ବାବଦରେ ଆକଳନ କରି କହିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ହେବାରେ ଲାଗିଛି । ଜାତିସଂଘ ଭାରତ ପ୍ରସଙ୍ଗରେ ସକାରାତ୍ମକ ସଙ୍କେତ ଦେଇଛି । ଜାତିସଂଘର ଏକ ରିପୋର୍ଟ ଅନୁସାରେ ଏବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ଆହୁରି ବିକଶିତ ହେବ । ରିପୋର୍ଟ ଅନୁସାରେ ଭାରତର ଅର୍ଥବ୍ୟବସ୍ଥା ଏବର୍ଷ ୬.୩ ପ୍ରତିଶତ ହାରରେ ବଢ଼ିବ । ଏହା ବିଶ୍ୱର ବୃହତ୍ ଅର୍ଥବ୍ୟବସ୍ଥା ମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବାର ଆଶଙ୍କା ରହିଛି । ଚୀନର ଅର୍ଥବ୍ୟବସ୍ଥା ୪.୬ ପ୍ରତିଶତ ବଢ଼ିବାର ଅନୁମାନ କରିଛି ଜାତିସଂଘ । ସେହିପରି ଆମେରିକାର ଅର୍ଥବ୍ୟବସ୍ଥା ୧.୬ ପ୍ରତିଶତ, ଜାପାନର ୦.୭ ପ୍ରତିଶତ ଏବଂ ୟୁରୋପୀୟ ଅର୍ଥବ୍ୟବସ୍ଥା ୧ ପ୍ରତିଶତ ହାରରେ ବଢ଼ିବ ବୋଲି ଜାତିସଂଘ ଆକଳନ କରିଛି । ଜର୍ମାନୀର ଅର୍ଥବ୍ୟବସ୍ଥାରେ ୦.୧ ପ୍ରତିଶତ ହ୍ରାସ ଘଟିପାରେ ବୋଲି ମଧ୍ୟ ଆକଳନ କରିଛି ଜାତିସଂଘ ।
    ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪