ନୀଳ କନ୍ଦରେ ବିଜେ ହରି


"ସାକ୍ଷାତ ବୈକୁଣ୍ଠରୂପଂ ତତକ୍ଷେତ୍ରଂ ଶ୍ରୀପୁରୁଷୋତ୍ତମ, କ୍ଷେତ୍ରାଣାମ୍ ଅପି କ୍ଷେତ୍ରଂ ଚ ତୀଥନାମପି, ଯଦବରମ୍ ।' ଯୁଗେ ଯୁଗେ ପାବକତ୍ୱର ମହାମହିମାରେ ଶ୍ରୀକ୍ଷେତ୍ର ତୀର୍ଥରାଜର ଗୌରବ ଲାଭ କରିଛି । କାରଣ ଏ କ୍ଷେତ୍ର ଦେବ ଦୁର୍ଲ୍ଲଭ, ସମସ୍ତ ତୀର୍ଥର ମୌଳିକତା ତୀର୍ଥରାଜ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରକଟିତ । ଏହା କେବଳ ସମ୍ଭବ ହୋଇଛି ତୀର୍ଥ ଶିରୋମଣି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ କୃପାରୁ । ତେଣୁ ଭାଗବତକାର ଯଥାର୍ଥରେ କହିଛନ୍ତି - "ସକଳ ତୀର୍ଥ ଘେନି କରି, ନୀଳ କନ୍ଦରେ ବିଜେ ହରି ।' ବିଶ୍ୱର ସବୁଧର୍ମ - ସଂସ୍କୃତିର ମୂଳପିଣ୍ଡ ଶ୍ରୀଜଗନ୍ନାଥ ହେଉଛନ୍ତି ଏକ ଗଣ ଦେବତା । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଗଣ ସଂସ୍କୃତିରେ ପରିଚିତ ହେବା ସ୍ୱାଭାବିକ । ଏହି ସଂସ୍କୃତିର ଅନାର୍ଯ୍ୟଭାବ, ଆର୍ଯ୍ୟଭାବ, ହିନ୍ଦୁ, ଜୈନ, ବୌଦ୍ଧ, ଶାକ୍ତ, ଶୈବ, ଗାଣପତ୍ୟ ଓ ବୈଷ୍ଣବଭାବ ପ୍ରଭୃତି ବିଭାବ ଦ୍ୱାରା ଭାବମୟ ଶ୍ରୀଜଗନ୍ନାଥ ଉପାସିତ । ଜଗନ୍ନାଥ ମହାପ୍ରଭୁ ସମଗ୍ର ହିନ୍ଦୁ ସନାତନ ଜଗତର ପରମାରାଧ୍ୟ ଦେବତା ଓ ଅବତାରୀ ପୁରୁଷର ସାର୍ଥକ ବିଗ୍ରହ । ସେ ସର୍ବଧର୍ମ ମତବାଦ ସମନ୍ୱୟର ମହାନ ପ୍ରତୀକ । ସେ ଦାରୁଦେବତା ସେ ସନ୍ଥ ତୁଳସୀ ଦାସଙ୍କ ନୟନାଭିରାମ, ସେ ବୈଷ୍ଣବୀୟ ଦର୍ଶନରେ ବୃନ୍ଦାବନ ଚନେ୍ଦ୍ରଶ୍ୱର ଶ୍ରୀକୃଷ୍ଣ ଓ ରସବତୀ ରାଧିକାଙ୍କ ଘନଯୁଗଳ ବିଗ୍ରହ । ଶୈବ ବିଚାରରେ ସେ ଶିବ ବା ଭୈରବ । ଶାକ୍ତ ମତରେ ସେ ହେଉଛନ୍ତି ଗଣେଶ, ଜୀବ ମାନଙ୍କର ଜୀବନାଥ । ଏଣୁ ତାଙ୍କର ତତ୍ତ୍ୱ ରୂପ ଓ ଦର୍ଶନ ମାନବ ଚିନ୍ତା ଓ ଚେତନାର ବହୁ ଉଦ୍ଧ୍ୱର୍ରେ ।  
ଜଗନ୍ନାଥ ହେଉଛନ୍ତି କ୍ଷର, ଅକ୍ଷର ବା ବିଦ୍ୟା ଓ ଅବିଦ୍ୟାର ନିୟାମକ । ସେଥିପାଇଁ ସେ ଲୋକଶ୍ରେଷ୍ଠ ବା ପୁରୁଷୋତ୍ତମ । ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ । ତାଙ୍କର ମହିମା ତ୍ରିପୁର ବ୍ୟାପ୍ତ । ବେଦଠାରୁ ପୁରାଣ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ସଂପର୍କରେ ଯେଉଁ ଚମକ୍ରାର ବର୍ଣ୍ଣନା ପରିଲକ୍ଷିତ ହୋଇଥାଏ, ସେଥିରୁ ତାଙ୍କର ଉତ୍ସ ଓ ବର୍ତ୍ତିତ ରୂପ ସଂପର୍କରେ ସ୍ଥୂଳଧାରଣା ସୃଷ୍ଟି ହୋଇଥାଏ । ସେ ଯେଉଁ ଧାମରେ ବିଜେ କରିଛନ୍ତି ତାହା ଶ୍ରେଷ୍ଠ ଧାମ । ସେ ପୂର୍ଣ୍ଣତା ନିଶ୍ଚୟ ଆଧ୍ୟାତ୍ମିକ କ୍ଷେତ୍ରରେ, ତା ନହେଲେ ଏମିତି ତ ମଣିଷ ସବୁକିଛି ପାଇବାର ଯେଉଁ ଅବଦମିତ ତୃଷ୍ଣା ତାହା ତ କେବେ ପୂର୍ଣ୍ଣ ହେବାର ନୁହେଁ । ଯେହେତୁ ଏଠାରେ ପୂର୍ଣ୍ଣବ୍ରହ୍ମ ବିରାଜିତ ବୋଧ ହୁଏ ସେଇଥିପାଇଁ ଏହା ଏକ ପୂର୍ଣ୍ଣ ସହର, ଯେଉଁଠାରେ ସବୁକିଛି ପୁରୀ ରହିଅଛି । ତେଣୁ ଶ୍ରୀକ୍ଷେତ୍ରପୁରୀ ସାମାନ୍ୟ ଏକ ମାଟିର ଭୂଖଣ୍ଡ ନୁହେଁ । ଏ ସହର ହେଉଛି ଏକ ଭାବର ସହର । ଏଠି ମାଟି, ଗୋଡ଼ି, ପାଣି, ପବନ, ଗଛଲତା ସବୁ ଯେପରି ଜୀବନ୍ତ । ପ୍ରତ୍ୟେକ ଯେଭଳି ଆତ୍ମୀୟତାର ଡୋରରେ ବନ୍ଧା । ସ୍ୱୟଂ ଶ୍ରୀ ଜଗନ୍ନାଥ ମଧ୍ୟ କେବଳ ଏକ କାଠର ଗଣ୍ଡି ନୁହନ୍ତି, ସେ ମଧ୍ୟ ସାଧାରଣ ମଣିଷର ସୁଖଦୁଃଖରେ ଅଂଶୀଦାର । କାହାଘରେ ଛୁଆଟିଏ ଜନ୍ମ ନେଉ ବା ବିବାହ - ବ୍ରତ ହେଉ ବୋଧହୁଏ ଓଡ଼ିଶାରେ ଆଉ କେଉଁଠି କ'ଣ ହେଉଛି କହିହେବ ନାହିଁ । ଶ୍ରୀକ୍ଷେତ୍ରରେ ଏଭଳି କୌଣସି ପରିବାର ବା ବ୍ୟକ୍ତି ବିଶେଷ ନାହିଁ ଯିଏ ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିନଥାନ୍ତି ।
ଶ୍ରୀଜଗନ୍ନାଥ ଧର୍ମର ମହତ୍ତ୍ୱ ପ୍ରଖ୍ୟାପନ କରି କୁହାଯାଇଛି ଏହି ଧର୍ମ ହେଉଛି ସନାତନ ଧର୍ମ, ଏହାର ପୁଣ୍ୟକ୍ଷେତ୍ର ହେଉଛି ଶ୍ରୀପୁରୁଷୋତ୍ତମ, ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ମାଳା ହରିନାମ, ତୀର୍ଥ ତୀର୍ଥରାଜ ସମୁଦ୍ର, ଧ୍ୟାନ ପରମବ୍ରହ୍ମ, ଜ୍ଞାନ ଓ ଆତ୍ମଜ୍ଞାନ, ଭକ୍ତିର ନାମ ସ୍ମରଣ ମଣୋହୀ ନିର୍ମାଲ୍ୟ, ବିବହାର ହେଉଛି ବୈକୁଣ୍ଠ । ଏହି ଧର୍ମର ସମଦର୍ଶୀ ବ୍ରହ୍ମ ଭାବୁର ପ୍ରତୀୟମାନ ହୁଏ ଯେ ଏହା ସନାତନ ବିଶ୍ୱଧର୍ମ । ଏ ସହର ସହ କେବଳ ଶ୍ରୀକ୍ଷେତ୍ରବାସୀ ନୁହନ୍ତି, ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆଙ୍କ ଭାଗବତ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥ କେବଳ ନୁହନ୍ତି ସମସ୍ତ ଦେବଦେବୀ ପୂଜାରେ ମାନବବାଦ ଅତି ପରିସ୍ଫୁଟ । ମଣିଷ ଜୀବନ ଦୁର୍ଲ୍ଲଭ ଏବଂ ମଣିଷ, ପଶୁ, ପକ୍ଷୀ, ତରୁଲତା ସମସ୍ତ ଜୀବ ସୃଷ୍ଟି ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି । ତହୁଁ ମଣିଷର ମଙ୍ଗଳ ବିଧାନ ମଣିଷର ସମସ୍ତ ସାମାଜିକ ଓ ଆଧ୍ୟାତ୍ମିକ ତତ୍ତ୍ୱର ମୂଳକେନ୍ଦ୍ର । ପ୍ରତିମା ପୂଜାରେ ମଧ୍ୟ ଏହି ମାନବବାଦ ପ୍ରତିଫଳିତ । ମଣିଷ ମନ ଅନୁସାରେ ଦେବତା । ଭକ୍ତର ଯେଉଁ ରୂପରେ ଭଗବାନଙ୍କୁ ଦେଖିବା ଇଛା, ସେହି ରୂପରେ ଭଗବାନ ଆବିର୍ଭାବ ହୁଅନ୍ତି । ଭଗବାନ ମାନବ ରୂପରେ ଅବତାର ଗ୍ରହଣ କରିଛନ୍ତି । ଶ୍ରୀରାମ ଶ୍ରୀକୃଷ୍ଣ, ବୁଦ୍ଧ ଏହି ସମସ୍ତ ଅବତାର ମାନବର । ତେଣୁ ପ୍ରତିମା ପୂଜାରେ ଏହି ମଣିଷର ନାନା ଆଚାର, ବ୍ୟବହାର ପ୍ରତିଫଳିତ ହେବା ସ୍ୱାଭାବିକ । ଶ୍ରୀଜଗନ୍ନାଥଙ୍କର ନାନା ପୂଜା ପର୍ବପର୍ବାଣି ମଧ୍ୟରେ ଏହି ମାନବବାଦର ଆଦର୍ଶ ପ୍ରତିଫଳିତ । ଶ୍ରୀଜଗନ୍ନାଥଙ୍କ ପୂଜା ପାର୍ବଣ, ପର୍ବ ପାର୍ବଣ ବିଶ୍ଲେଷଣ କଲେ ଏହି ମାନବବାଦ ତତ୍ତ୍ୱ ପ୍ରକଟିତ ହୋଇଥାଏ । ପ୍ରକୃତି ମଧ୍ୟ ପ୍ରଚ୍ଛଦପଟ ଭାବରେ ନାନା ପର୍ବପର୍ବାଣୀକୁ ମଧୁର ଓ ଆନନ୍ଦଦାୟକ କରିଥାଏ । ସକଳ ଧର୍ମ, ସକଳ ଦର୍ଶନ, ସକଳ ସଂସ୍କୃତିର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥ । 
ସୌର ଚନ୍ଦ୍ର ମହାପାତ୍ର
ମୋ : ୯୪୩୭୦୦୪୪୬୬