ଭାରତର ମହାକାଶ ଯାତ୍ରାରେ ସ୍ୱର୍ଣ୍ଣିମ ୧୧ ବର୍ଷ
ଡକ୍ଟର ଜିତେନ୍ଦ୍ର ସିଂ : ଭାରତର ମହାକାଶ ଯାତ୍ରା କେରଳର ଥୁମ୍ବା ନାମକ ଏକ ଶାନ୍ତ ମସô୍ୟଜୀବୀ ଗ୍ରାମରେ ଆରମ୍ଭ ହୋଇଥିଲା । ଗାଁର ଗୋଟିଏ ଚର୍ଚ୍ଚ ପଡ଼ିଆରୁ ଏକ ଶବ୍ଦ ସୃଷ୍ଟିକାରୀ ରକେଟ୍ ସହିତ ଭାରତ ମହାକାଶକୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲା । ହେଲେ ଆମ ଦେଶ ଦିନେ ମହାଜାଗତିକ ସଫଳତାର ଶୀର୍ଷରେ ପହଞ୍ଚିବ ବୋଲି କେହି କେବେ କଳ୍ପନା କରିନଥିଲେ । ତାହା ଏକ ନୀରବ ସଂକଳ୍ପର ସମୟ ଥିଲା । ସୀମିତ ସାଧନ, କିନ୍ତୁ ଅସୀମ ମହତ୍ୱାକାଂକ୍ଷା ସହିତ ତାରକାମାନଙ୍କ ପାଖରେ ପହଞ୍ଚିବାର ସ୍ୱପ୍ନ ପୋଷଣ କରିଥିଲା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ୧୧ ବର୍ଷ ପୂର୍ତ୍ତି ଆମେ ପାଳନ କରୁଥିବା ବେଳେ ଆଜି ସେହି ସ୍ୱପ୍ନ ଏକ ଜାତୀୟ ଅଭିଯାନର ରୂପ ନେଇଛି । ଭାରତର ମହାକାଶ କାର୍ଯ୍ୟକ୍ରମ ସାହସୀ, ସମାବେଶୀ ଏବଂ ସାଧାରଣ ନାଗରିକଙ୍କ ଜୀବନ ସହ ଗଭୀର ଭାବେ ଜଡିତ ଏକ ଅଭିଯାନରେ ରୂପାନ୍ତରିତ ହୋଇଛି । ଏହି ରୂପାନ୍ତରଣ କେବଳ ରକେଟ୍ କିମ୍ବା ଉପଗ୍ରହରେ ଆସିନାହିଁ, ବରଂ ସାଧାରଣ ଲୋକଙ୍କ ଜୀବନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଉପାନ୍ତ ଗାଁ ଠାରୁ ଆରମ୍ଭ କରି ଗୋଟିଏ ଡିଜିଟାଲ ଶ୍ରେଣୀଗୃହରେ ବସିଥିବା ବିଦ୍ୟାର୍ଥୀ ପର୍ଯ୍ୟନ୍ତ, ମହାକାଶ ପ୍ରଯୁକ୍ତି ଅତି ନୀରବରେ ନାଗରିକଙ୍କ ଦୈନନ୍ଦିନ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ମହାକାଶ ବିଭାଗର ରଣନୀତିକ ପରିଚାଳନାରେ ଭାରତ ନିଜର ମହାକାଶ କାର୍ଯ୍ୟକ୍ରମକୁ ବିକାଶ, ସଶକ୍ତିକରଣ ଏବଂ ସୁଯୋଗର ଏକ ଉପକରଣ ରୂପେ ଆକାର ଦେଇଛି ।
୨୦୧୪ ପରଠାରୁ ପ୍ରଚଳନ କରାଯାଇଥିବା ସଂସ୍କାର ଏହି କ୍ଷେତ୍ରରେ ନୂଆ ମାର୍ଗ ଖୋଲିଛି । ୨୦୨୦ରେ ଇନ-ସ୍ପେସର ଗଠନ କରାଯିବା ପରେ ଘରୋଇ କମ୍ପାନୀଗୁଡିକ ମହାକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁଛନ୍ତି ଯାହାକି ନୂତନ ଉଦ୍ଭାବନର ଏକ ନୂଆ ଧାରା ସୃଷ୍ଟି କରିଛି । ଆଜି ୩୦୦ରୁ ଅଧିକ ମହାକାଶ ପ୍ରଯୁକ୍ତି ଷ୍ଟାର୍ଟଅପ୍ ଉପଗ୍ରହ ବା ସାଟେଲାଇଟ୍ ନିର୍ମାଣ କରୁଛନ୍ତି, ଉତକ୍ଷେପଣ ଯାନ ଡିଜାଇନ୍ କରୁଛନ୍ତି ଏବଂ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଦିଗ ନିର୍ଣ୍ଣୟ କ୍ଷେତ୍ରରେ ସେବା ଯୋଗାଇ ଦେଉଥିବା ଆପ୍ଲିକେସନର ବିକାଶ କରୁଛନ୍ତି । ଏସବୁ ଷ୍ଟାର୍ଟଅପ୍ କେବଳ ପ୍ରଯୁକ୍ତି ସୃଷ୍ଟି କରୁନାହାନ୍ତି ବରଂ ସେଗୁଡିକ ନିଯୁକ୍ତି ମଧ୍ୟ ସୃଷ୍ଟି କରୁଛନ୍ତି । ବିଶେଷକରି ଟିୟର୨ ଏବଂ ଟିୟର୍୩ ସହରଗୁଡିକରେ ଯୁବ ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କ ପାଇଁ ଏଗୁଡିକ ରୋଜଗାରର ବାଟ ଖୋଲିପାରିଛନ୍ତି । କୋହଳ ମହାକାଶ ନୀତି ମହାକାଶ ସେବାକୁ ଅଧିକ ଶସ୍ତା ଓ ସୁଲଭ କରିବା ସହିତ ତୃଣମୂଳ ସ୍ତରରେ ଅତ୍ୟାଧୁନିକ ପ୍ରଯୁକ୍ତିର ଲାଭ ପହଞ୍ଚାଇବାରେ ସଫଳ ହୋଇଛି ।
ଭାରତୀୟ ଉପଗ୍ରହଗୁଡିକ ଏବେ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏଗୁଡିକ ଠାରୁ ମିଳୁଥିବା ତଥ୍ୟ ବଳରେ ଚାଷୀମାନେ ଅଧିକ ସଠିକ୍ ଭାବେ ବିହନ ବୁଣିବା ଏବଂ ଫସଲ ଅମଳ କରିବାର ଯୋଜନା ପ୍ରସ୍ତୁତ କରିପାରୁଛନ୍ତି । ବନ୍ୟା ପ୍ରବଣ କ୍ଷେତ୍ରରେ ଉପଗ୍ରହ ତଥ୍ୟ ଜରିଆରେ ଆଗୁଆ ଚେତାବନୀ ଏବଂ ବିପର୍ଯ୍ୟୟ ମୁକାବିଲାରେ ସହାୟତା ମିଳିପାରୁଛି । ଫଳରେ ଅନେକ ପରିମାଣରେ ଧନଜୀବନ ଓ ଜୀବିକାକୁ ବଞ୍ଚାଇବାରେ ସଫଳତା ମିଳିପାରୁଛି । ରିମୋଟ୍ ସେନ୍ସିଂ ବାତ୍ୟା ଓ ମରୁଡି ସମୟରେ ପ୍ରଶମନ କର୍ତ୍ତୃପକ୍ଷଙ୍କୁ କ୍ଷୟକ୍ଷତି ମୁକାବିଲା ଓ ପ୍ରଶମନ ପ୍ରସ୍ତୁତିରେ ସହାୟକ ହେଉଛି । ଗ୍ରାମୀଣ କ୍ଲିନିକଗୁଡିକରେ ସାଟେଲାଇଟ୍ ସଂଯୋଗ ଦ୍ୱାରା କାର୍ଯ୍ୟକ୍ଷମ ଟେଲିମେଡିସିନ୍ ସୁବିଧା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ବସିଥିବା ଡାକ୍ତରଙ୍କୁ ଉପାନ୍ତ ଅଞ୍ଚଳରେ ଥିବା ରୋଗୀଙ୍କ ଚିକିସôାରେ ସହାୟକ ହେଉଛି । ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭାଜନ ଦୂର କରୁଛି । ସାଟେଲାଇଟ୍ ବ୍ୟାଣ୍ଡ ୱିଡ୍ଥ୍ ଦ୍ୱାରା ସମର୍ଥିତ ଇ-ଲର୍ଣ୍ଣିଂ ପ୍ଲାଟଫର୍ମଗୁଡିକ ଦୂରସୁଦୂରବର୍ତ୍ତୀ ଗାଁରେ ଥିବା ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେଉଛି । ଭୌଗଳିକ ସ୍ଥିତି ଆଉ ପାଠପଢାରେ ବାଧକ ସାଜିବ ନାହିଁ ବୋଲି ଏହା ପ୍ରମାଣିତ କରିଛି ।
ଭାରତର ସ୍ୱଦେଶୀ ଜିପିଏସ୍ ନେଟୱର୍କ ନାଭିକ୍ (ନାଭିକ) ସିଷ୍ଟମ୍ ଏବେ ଯାନବାହାନରେ ଦିଗ ନିର୍ଣ୍ଣୟ, ଟ୍ରେନ୍ ଓ ଜାହାଜକୁ ଟ୍ରାକିଂ କରିବା ଏବଂ ମସô୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବରେ ଉପକୂଳକୁ ଫେରାଇ ଆଣିବା ପାଇଁ ବ୍ୟବହୃତ ହେଉଛି । କୃଷି କ୍ଷେତ୍ରରେ, ଉପଗ୍ରହ ମାର୍ଗଦର୍ଶିକାଗୁଡ଼ିକ ଚାଷୀମାନଙ୍କୁ ମାଟିର ଆଦ୍ରତା, ଫସଲର ସ୍ୱାସ୍ଥ୍ୟ ଏବଂ କୀଟପତଙ୍ଗ ଆକ୍ରମଣ ଉପରେ ନଜର ରଖିବାରେ ସାହାଯ୍ୟ କରୁଛି, ଯାହାଫଳରେ ଅଧିକ ସଚେତନ ନିଷ୍ପତ୍ତି ଏବଂ ଉତ୍ତମ ଅମଳରେ ସହାୟତା ମିଳିପାରୁଛି । ଏଗୁଡ଼ିକ କେବଳ ସାଧାରଣ ଲାଭ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ବାସ୍ତବ ଓ ପ୍ରଭାବଶାଳୀ ଉନ୍ନତି ଆଣିପାରିଛି । ଗତ ଦଶନ୍ଧିରେ ଶୁଭାରମ୍ଭ ହୋଇଥିବା ମହାକାଶ ଅଭିଯାନଗୁଡ଼ିକ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ମଙ୍ଗଳଯାନ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା, ଯାହା ଭାରତର ଇଞ୍ଜିନିୟରିଂ ଉକôର୍ଷତାକୁ ପ୍ରଦର୍ଶନ କରିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିଥିଲା, ଏହି କ୍ଷେତ୍ରରେ ପାଣି, ବରଫ ଅଛି ବୋଲି ବିଶ୍ୱାସ କରାଯାଏ । ଏହାର ରୋଭର୍ ଚନ୍ଦ୍ରପୃଷ୍ଠରେ ଘୂରିବୁଲି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରିବା ସହ ଯେଉଁ ତଥ୍ୟ ସଂଗ୍ରହ କରିଛି ତାହା ଭବିଷ୍ୟତର ଚନ୍ଦ୍ରମା ମିଶନ ପାଇଁ ସହାୟକ ହେବ । ଆଦିତ୍ୟ ଏଲ୍ ୱାନ୍ ଅଭିଯାନ ଏବେ ସୌର ଝଡ ଉପରେ ଅଧ୍ୟୟନ କରୁଛି, ବୈଜ୍ଞାନିକମାନଙ୍କୁ ମହାକାଶର ପାଣିପାଗ ଏବଂ ଯୋଗାଯୋଗ ସିଷ୍ଟମ ଓ ପାୱାର୍ ଗ୍ରୀଡ୍ ଉପରେ ଏହାର ପ୍ରଭାବ ଜାଣିବାରେ ସହାୟକ ହେଉଛି । ୨୦୨୭ରେ ଗଗନଯାନ ମିଶନ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଭାରତୀୟ ମହାକାଶଚାରୀ ମହାକାଶକୁ ଯିବେ । କିନ୍ତୁ ମହାକାଶକୁ ମାନବ ପଠାଇବା ପୂର୍ବରୁ ଏହି ଅଭିଯାନ ଏବେ ନୂଆ ପିଢିକୁ ଅନୁପ୍ରାଣିତ କରିଛି । ମହାକାଶଚାରୀଙ୍କ ତାଲିମ, ସୁରକ୍ଷା ପ୍ରଣାଳୀର ବିକାଶ ଏବଂ ମାନବବିହୀନ ମହାକାଶଯାନ ପରୀକ୍ଷଣର ସଫଳ ପରିଣାମ ମିଳୁଛି । ଏହା ଗବେଷଣାକୁ ପ୍ରୋସôାହନ ଦେଉଛି, ପ୍ରତିଭାଙ୍କୁ ଆକୃଷ୍ଟ କରୁଛି ଏବଂ ଜାତୀୟ ଗୌରବ ବଢାଉଛି ।
ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତ ମହାକାଶରେ ନିଜସ୍ୱ ମହାକାଶ ଷ୍ଟେସନ୍ - ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ- ନିର୍ମାଣ କରିବାକୁ ଯୋଜନା କରିଛି । ଏହାର ପ୍ରଥମ ମଡୁ୍ୟଲ୍ ୨୦୨୮ରେ ଶୁଭାରମ୍ଭ କରାଯିବ ବୋଲି ଆଶା କରାଯାଉଛି । ନିକଟରେ ହୋଇଥିବା ସଫଳ ସ୍ପେସ୍ ଡକିଂ ପରୀକ୍ଷଣ ଦ୍ୱାରା ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିକୁ ପ୍ରମାଣିତ କରାଯାଇଛି । ଏହି ଷ୍ଟେସନ ମହାକାଶରେ ଦୀର୍ଘସ୍ଥାୟୀ ରହଣୀ ଏବଂ ଗବେଷଣାକୁ ଅନୁମତି ଦେବ, ଗଭୀର ମହାକାଶ ଅନ୍ୱଷଣ ଏବଂ ଆନ୍ତଃଗ୍ରହୀୟ ଅଭିଯାନ ପାଇଁ ମାର୍ଗପ୍ରଶସ୍ତ କରିବ । ଏହି ବର୍ଦ୍ଧିତ ମହତ୍ୱାକାଂକ୍ଷାକୁ ସମର୍ଥନ କରିବା ପାଇଁ ଭାରତ ପରବର୍ତ୍ତୀ ପିଢ଼ିର ଉତକ୍ଷେପଣ ଯାନ (ଏନଜିଏଲଭି) ବିକଶିତ କରୁଛି, ଯାହା ୩୦ ହଜାର କିଲୋଗ୍ରାମ ଓଜନକୁ ପୃଥିବୀର ନିମ୍ନ କକ୍ଷପଥକୁ ବହନ କରିପାରିବ । ଏଥିରେ ପୁନଃବ୍ୟବହାରଯୋଗ୍ୟ ପର୍ଯ୍ୟାୟ ଏବଂ ମଡୁ୍ୟଲାର ପ୍ରପଲ୍ସନ୍ ପ୍ରଣାଳୀ ରହିବ, ଯାହା ମହାକାଶ ପହଞ୍ଚକୁ ଅଧିକ ସୁଲଭ ଏବଂ ଦୀର୍ଘସ୍ଥାୟୀ କରିବ । ଶ୍ରୀହରିକୋଟାରେ ଏକ ତୃତୀୟ ଉତକ୍ଷେପଣ କେନ୍ଦ୍ର ଏବଂ ତାମିଲନାଡୁରେ ଏକ ନୂତନ ସ୍ପେସପୋର୍ଟ ନିର୍ମାଣ କରାଯାଉଛି ଯାହା ଦ୍ୱାରା ଉତକ୍ଷେପଣର ବର୍ଦ୍ଧିତ ଆବଶ୍ୟକତାକୁ ପରିଚାଳନା କରାଯାଇପାରିବ ଏବଂ ବ୍ୟବସାୟିକ ମିଶନକୁ ସମର୍ଥନ ମିଳିପାରିବ । ଭାରତର ମହାକାଶ କାର୍ଯ୍ୟକ୍ରମ ମଧ୍ୟ ଗଭୀର ସହଭାଗିତାପୂର୍ଣ୍ଣ । ନାସା ସହିତ ନିସାର୍ ମିଶନ୍ ପୃଥିବୀର ପରିବେଶ ଏବଂ ପ୍ରାକୃତିକ ବିପଦ ଉପରେ ନଜର ରଖିବ । ଜାପାନ ସହିତ ଲୁପେକ୍ସ ମିଶନ୍ ଏକ ଭାରୀ ରୋଭର ସାହାଯ୍ୟରେ ଚନ୍ଦ୍ରର ଧ୍ରୁବୀୟ କ୍ଷେତ୍ରରେ ଅନୁସନ୍ଧାନ କରାଯିବ । ଏହି ସହଭାଗୀତା ଏକ ବିଶ୍ୱସନୀୟ ବିଶ୍ୱ ମହାକାଶ ଅଂଶୀଦାର ଭାବରେ ଭାରତର ବଢ଼ୁଥିବା ପ୍ରତିଷ୍ଠାକୁ ପ୍ରତିଫଳିତ କରିଥାଏ । କିନ୍ତୁ ମହାକାଶ କେବଳ ଅନ୍ୱଷଣର ବିଷୟ ନୁହେଁ, ବରଂ ଏହା ଦାୟିତ୍ୱର ବିଷୟ ମଧ୍ୟ । ହଜାର ହଜାର ଉପଗ୍ରହ ପୃଥିବୀ ଚାରିପାଖରେ ଘୂରି ବୁଲୁଥିବା ଯୋଗୁଁ, ମହାକାଶ ଆବର୍ଜନା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି । ଇସ୍ରୋର ମହାକାଶ ପରିସ୍ଥିତି ସଚେତନତା କାର୍ଯ୍ୟକ୍ରମ ବାସ୍ତବ ସମୟରେ ଆବର୍ଜନା ଉପରେ ନଜର ରଖିଥାଏ । ଏହା ଉପଗ୍ରହଗୁଡିକ ମଧ୍ୟରେ ଧକ୍କା ଏଡାଇବା ପାଇଁ ରଣନୀତି ବିକଶିତ କରେ ଏବଂ ମହାକାଶ କାର୍ଯ୍ୟକଳାପର ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରେ । ଦେଶର ପ୍ରତ୍ୟେକ କୋଣରେ, ମହାକାଶ ପ୍ରଯୁକ୍ତିର ସକାରାତ୍ମକ ପ୍ରଭାବ ଦୃଶ୍ୟମାନ । ହିମାଳୟ ରାଜ୍ୟଗୁଡ଼ିକରେ, ଉପଗ୍ରହ ତଥ୍ୟ ଭୂସ୍ଖଳନ ଏବଂ ହିମବାହ ଗତିବିଧି ଉପରେ ନଜର ରଖିବାରେ ସାହାଯ୍ୟ କରୁଛି । ଉପକୂଳବର୍ତ୍ତୀ ଅଞ୍ଚଳରେ, ଏହା ସାମୁଦ୍ରିକ ସଂରକ୍ଷଣ ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ସମର୍ଥନ କରୁଛି । ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳରେ, ଏହା ସାଟେଲାଇଟ୍ ଇଣ୍ଟରନେଟ୍ ମାଧ୍ୟମରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ସକ୍ଷମ କରିଛି । ଏଗୁଡ଼ିକ ନୀରବ ବିପ୍ଳବ, ଏଭଳି ଏକ ପରିବର୍ତ୍ତନ ଯାହା ବିନା କୋଳାହଳରେ ପ୍ରତ୍ୟେକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଆମେ ଆଗାମୀ ଦଶନ୍ଧି ଦିଗରେ ଅଗ୍ରସର ହେଉଥିବା ସମୟରେ ଆମର ଲକ୍ଷ୍ୟଗୁଡ଼ିକ ସ୍ପଷ୍ଟ: ୨୦୪୦ ସୁଦ୍ଧା ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା, ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ମହାକାଶ ଷ୍ଟେସନ ନିର୍ମାଣ ଏବଂ ବିଶ୍ୱ ମହାକାଶ ଉଦ୍ଭାବନରେ ଏକ ନେତୃତ୍ୱ ଭୂମିକା । ଏଗୁଡ଼ିକ କେବଳ ସ୍ୱପ୍ନ ନୁହେଁ, ବରଂ ସର୍ବଦା ସମାଜକୁ ପରିବର୍ତ୍ତନ କରିବା ଲାଗି ବିଜ୍ଞାନର ଶକ୍ତିରେ ବିଶ୍ୱାସ କରିଆସୁଥିବା ଏକ ଜାତି ପାଇଁ ଜରୁରୀ ରଣନୀତିକ ଆବଶ୍ୟକତା । ଥୁମ୍ବାରେ ସାଇକେଲ୍ ଶେଡ୍ ଠାରୁ ଆରମ୍ଭ କରି ପୃଥିବୀ କକ୍ଷପଥରେ ଡକିଂ ପର୍ଯ୍ୟନ୍ତ, ଭାରତର ମହାକାଶ ଯାତ୍ରା ଦୃଢତା, ପରିକଳ୍ପନା ଏବଂ ନିରନ୍ତର ପ୍ରୟାସର କାହାଣୀ । ଏହା ହେଉଛି ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ବୈଜ୍ଞାନିକ, ପ୍ରତ୍ୟେକ ସ୍ୱପ୍ନଦ୍ରଷ୍ଟାଙ୍କ କାହାଣୀ । ଆମେ ପ୍ରତ୍ୟେକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଆସନ୍ତୁ ସେହି ଦେଶର ବାସିନ୍ଦା ଭାବେ ନିଜ ଉପରେ ଗର୍ବ କରିବା ଯେଉଁ ଦେଶ ପ୍ରକୃତରେ ତାରକାଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି ଏବଂ ସେମାନଙ୍କୁ ଆଲୋକକୁ ଆମ ଜୀବନରେ ପ୍ରତିଫଳିତ କରିବାରେ ସକ୍ଷମ ହୋଇଛି ।
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି; ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ