ଦିବ୍ୟତ୍ୱର ପରିଭାଷା
ପ୍ରେମ ହିଁ ଈଶ୍ୱର । ମନୁଷ୍ୟର ତିନୋଟି ଆଦର୍ଶ ରହିବା ଉଚିତ । ଦୈବ ପ୍ରୀତି, ପାପଭୀତି ଓ ସଙ୍ଘନୀତି । ଏହି ଆଦର୍ଶଗୁଡ଼ିକ ବ୍ୟକ୍ତି, ପରିବାର ଓ ସମାଜର ଉତ୍ଥାନରେ ସହାୟକ ହେବ । ଏହି ପବିତ୍ର ଦେଶରେ ଅନେକ ମୁନି-ଋଷି ମାନଙ୍କ ଦ୍ୱାରା ପବିତ୍ର ଆଦର୍ଶ ଅନୁସୃତ ହୋଇଆସିଛି । ସେଥିପାଇଁ ଅନେକ ଆହ୍ୱାନ ଓ ବାଧାବିଘ୍ନ ସତ୍ତ୍ୱେ ଭାରତର ସାଂସ୍କୃତିକ ଐତିହ୍ୟ ସୁରକ୍ଷିତ ହୋଇଛି । ଏହା ରହସ୍ୟମୟ, ବିସ୍ମୟକର ଓ ଅମୃତ । ଆମେସବୁ ପାଶ୍ଚାତ୍ୟ ସଂସ୍କୃତିର ଦାସ ହୋଇଯାଇଛୁ ଏବଂ ଆମର ନିଜର ମୂଲ୍ୟବାନ ସଂସ୍କୃତିକୁ ଅବହେଳା କରିଛୁ । ପାଶ୍ଚାତ୍ୟ ଲୋକମାନେ ବର୍ତ୍ତମାନ ଆମ ସଂସ୍କୃତିକୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି । ଭାରତୀୟମାନେ ସେମାନଙ୍କର ନିଜ ସଂସ୍କୃତିର ମହତ୍ୱ ଉପଲବ୍ଧି କରି ଏହାର ଅବହେଳା ବନ୍ଦ କରିବା ଉଚିତ । ଆମର ସଂସ୍କୃତି ଶିକ୍ଷା ଦିଏ ଯେ ଗୋଟିଏ ମାତ୍ର ଧର୍ମ ଅଛି, ପ୍ରେମ ଧର୍ମ ଏବଂ ଗୋଟିଏ ମାତ୍ର ଜାତି ଅଛି, ମାନବ ଜାତି । ଆମ ସଂସ୍କୃତି ଆସ୍ତିକ ବା ନାସ୍ତିକ ରାଷ୍ଟ୍ରୀୟତାବାଦୀ, ପ୍ରତ୍ୟେକଙ୍କ ଭିତରେ ଥିବା ପ୍ରେମ ଉପରେ ଆଧାରିତ । ପ୍ରେମ ବିନା କେହି ରହିପାରିବେ ନାହିଁ । ପଶୁ ଓ ପକ୍ଷୀମାନଙ୍କର ମଧ୍ୟ ପ୍ରେମ ଅଛି । ଆମେ ଦେଖିଛେ ଗାଈ କିପରି ନବଜାତ ବାଛୁରୀକୁ ଏତେ କୋମଳ ଭାବରେ ଚାଟେ ଯେ ସେହି ମାତୃସୁଲଭ ସ୍ପର୍ଶରେ ହିଁ ବାଛୁରୀଟି ଉଠି ଠିଆହୁଏ । ସେ ବାଛୁରୀକୁ ସଫାକରି ଦିଏ । ନିର୍ମଳତା ହିଁ ଦିବ୍ୟତ୍ୱ । ନିର୍ମଳତା ବିକଶିତ ହେବା ଉଚିତ । ଏହା ଏକତ୍ୱକୁ ଉତ୍ସାହିତ କରେ ଓ ଦିବ୍ୟତ୍ୱ ଆଡ଼କୁ ଘେନିଯାଏ । କିନ୍ତୁ ତୁମଠାରେ କେବଳ ଶତ୍ରୁତା ଓ ସାମ୍ପ୍ରଦାୟିକତା ରହିଛି । ଏଗୁଡ଼ିକ ପାଶବିକ ଓ ଆସୁରିକ ଗୁଣ । ମଣିଷ ନିଜକୁ ଦିବ୍ୟସ୍ତରକୁ ଉନ୍ନୀତ କରିବାକୁ ଚେଷ୍ଟା କରିବା ଉଚିତ । ସେ ପାଶବିକ ଓ ଆସୁରିକ ସ୍ତରକୁ ଖସିଯିବା ଉଚିତ ନୁହେଁ । ବୈଦିକ ଉପଦେଶ ହେଉଛି “ସତ୍ୟଂ ବଦ, ଧର୍ମଂ ଚର ।’ ସତ କହିବା ସହଜ । ମିଛ କହିବା ଓ ତାକୁ ରଖି ପାରିବା ଅତି କଷ୍ଟ । ସତ କହିବା ଦ୍ୱାରା ତୁମେ ଧର୍ମର କାନ୍ଥ ପାଇଁ ମୂଳଦୁଆ ପକାଇଥାଆ ଏହା ମାଧ୍ୟମରେ ତୁମେ ଶାନ୍ତି ପାଇପାର । ପ୍ରେମର ବିକାଶ କର । ପ୍ରେମ ହିଁ ଈଶ୍ୱର । ପ୍ରେମରେ ବାସକର ।
ଅନ୍ତର୍ଯ୍ୟାମୀ ପଟ୍ଟନାୟକ
ମୋ : ୯୪୩୭୦୨୨୦୬୧