ବିତରକଙ୍କୁ ଘଣ୍ଟ ଘୋଡାଉଛନ୍ତି ଓଏମ୍ସି ଅଧିକାରୀ
ପାରାଦୀପ : ଦିନକୁ ଦିନ ଘରୋଇ ରନ୍ଧନ ଗ୍ୟାସ୍ର କଳାବଜାରୀ ବଢିଚାଲିଛି । ଫଳରେ ବେଆଇନ ଭାବେ ଗ୍ୟାସ୍ ଟାଙ୍କି ପରିବହନ, ମହଜୁଦ ରଖିବା ଏବଂ ବଣ୍ଟନ ହେଉଥିବାରୁ ଏହା ସରକାରଙ୍କର ରାଜସ୍ୱ କ୍ଷତି ହେବାସହ ଲୋକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି । ଯାହା ଦ୍ୱାରା ବିଭିନ୍ନ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାର ନଜିର ଅନେକ । ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସନେ୍ଦହ ଘେରରେ । ବିଗତ ଏକ ମାସ ମଧ୍ୟରେ ବାଲେଶ୍ୱରର ନାଉପାଳଗଡିରେ ବିସ୍ଫୋରଣ, ପାରଦୀପର ନିମିଡିହ, ବଲାଙ୍ଗିର ଜିଲ୍ଲାରେ ଚଢଉ ଘଟଣା ଘଟିଯାଇଛି । ଏଠାରେ ପାରାଦୀପ ଘଟଣା ଉପରେ ବିସ୍ତୃତ ଆଲୋଚନା କରିବା । ଗତ ଅପ୍ରେଲ ୨୪ତାରିଖରେ ପାରାଦୀପ ଲକ୍ ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚଢାଉ କରି ନିମଢିହ ଗାଁର ସଞ୍ଜୟ ପୃଷ୍ଟିଙ୍କ ଗୋଦାମରୁ ୧୨୦ବିଭିନ୍ନ କମ୍ପାନୀର ଉଭୟ ଖାଲି ଓ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର (୧୪ କେଜି, ୫ କେଜି ଓ ୧୯କେଜି) ଜବତ କରିବା ସହ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ଆଧାର କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟରେ ଅଭିଯୋଗ ହୋଇଥିଲା । ମନ୍ତ୍ରାଳୟ ତିନୋଟି ଅଏଲ୍ ମାର୍କେଟିଂ କମ୍ପାନୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଦୁର୍ଭାଗ୍ୟର କଥା ତିନୋଟି ଓଏମ୍ସି ଏହି ଘଟଣାରେ ତାଙ୍କର ସଂପୃକ୍ତି ନଥିବାର ଦର୍ଶାଇଛନ୍ତି । ଭାରତୀୟ ତୈଳ ନିଗମର ଡିଭିଜନ ଏଲ୍ପିଜି ସେଲ୍ସ ହେଡ୍, ଅମିତାଭ ନାଥ ଚିଠି ନଂ ଆଇଏବି-୪୪ ତା୮ା୫ା୨୫ ରିଖରେ ଜଣାଇଛନ୍ତି ଯେ ଭରତୀୟ ତୈଳ ନିଗମର ଗ୍ୟାସ୍ ଟାଙ୍କି କିମ୍ବା କୌଣସି ବିତରକ ଏଥିରେ ସଂପୃକ୍ତି ଥିବାର ଖବର ନାହିଁ । ଆଇଓସି ଲୋକାଲ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ଠାରୁ କିଛି ସୂଚନା ପାଇ ନାହିଁ । ଅଭିଯୋଗକାରୀ ସ୍ପେସିଫିକ୍ ତଥ୍ୟ ଦେଇ ନଥିବାରୁ ଏହା ଏକ ସାଧାରଣ ଅଭିଯୋଗ, ତେଣୁ ତଦନ୍ତ କରାଯାଇ ପାରିବ ନାହିଁ । ସେହିପରି ଭାରତ ପେଟ୍ରୋଲିମର ଟେରିଟୋରୀ ମ୍ୟାନେଜର ରବିନ୍ଦର୍ ପାଲ ସିଂହ ଚିଠି ନଂ ଓଏସ୍ଓବିପିସି.ଏଲ୍ପିଜି.ପିଜି ୨୦୨୫-୨୬ ତା ୮ା୫ା୨୫ରିଖରେ ଜଣାଇଛନ୍ତି ଯେ, ବିପିସିର ସିଲିଣ୍ଡର ଜବତ ହେବାର ଖବର ନାହିଁ । ସେମାନେ ଜିଲ୍ଲା ପ୍ରଶାସନ ସହ ମିଶି ନିୟମିତ ଭାବେ ଚଢଉ କରୁଛନ୍ତି । ଜଗତ୍ସିଂହପୁର ଜିଲ୍ଲାରେ ଏହି ଘଟଣାରେ ବିପିସିର କିଛି ସଂପୃକ୍ତି ନାହିାଁ ଅନ୍ୟପକ୍ଷରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ଡିଜିଏମ୍ ଏଲ୍ପିଜି ଆର୍ଓ ଏମ୍ଏନ୍ ଶ୍ରୀନିବାସ ଚିଠି ନଂ ବିଏଲ୍ଆର୍ଓ.ଏମ୍ଏନ୍ଏସ୍.ଏମ୍ପିଏଏନ୍ଜି ତା ୧୯ା୫ା୨୫ରିଖରେ ଏହିପରି ସମାନ କଥା ଉଲ୍ଲେଖ କରି ଏଚ୍ପିସିର ସିଲିଣ୍ଡର କିମ୍ବା ବିତରକଙ୍କର ସଂପୃକ୍ତିକୁ ଏଡାଇ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଜବତ୧୨୦ସିଲିଣ୍ଡର ସବୁ ୩ଟି ରାଷ୍ଟ୍ରାୟତ ତୈଳ ବିତରଣ କମ୍ପାନୀର ବୋଲି ଜଳଜଳ ଦେଖାଯାଉଛି । କେହି ତୈଳ କମ୍ପାନୀ ଏସବୁକୁ ସ୍ୱୀକାର କରିବା ପାଇଁ କାହିଁକି ଚାହୁଁ ନାହାନ୍ତି । ତାହେଲେ ଏହି ସିଲିଣ୍ଡର ସବୁ କଣ ଜଳପଥ ଦେଇ ବାଂଲାଦେଶରୁ ଆସିଛି କି? ଏହି ତିନି ତୈଳ କମ୍ପାନୀର ଲୋଗୋ, ସିଲ୍ ଓ ବଟମ୍ ହୋଲ ସବୁ କେମିତି ହେଲା । ଏହି ଅଧିକାରୀ ସଂପୃକ୍ତ ବିତରକଙ୍କୁ ସୁରକ୍ଷା ଦେବାକୁ ଏପରି ଲେଖିକି ଦେଉନାହାନ୍ତି ତ? ଏହାର ତଦନ୍ତ ହେବାର ନିହାତି ଆବଶ୍ୟକତା ରହିଛି । ବିନା ବିତରକଙ୍କ ସହଯୋଗରେ ସଞ୍ଜୟ ଏପରି ବେଆଇନ ବେପାର କରି ପାରିବ ନାହିଁ । ଜଗତ୍ସିଂହପୁର ଜିଲ୍ଲା ପ୍ରଶାସନ ଓ ପାରାଦୀପ ଲକ୍ ପୁଲିସ ଉକ୍ତ ତୈଳ ବିତରଣ କମ୍ପାନୀଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବା ଉଚିତ ନୁହେଁ କି? ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ଓଏମ୍ସି କହୁଛନ୍ତି ଆମ ପାଖରେ ଖବର ନାହିଁ । ପୁଲିସ ତାହେଲେ କି ତଦନ୍ତ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଜବତ ହୋଇଥିବା ସିଲିଣ୍ଡର ମଧ୍ୟରୁ କେତୋଟି କେଉଁ କେଉଁ କମ୍ପାନୀର ତାହା ସାର୍ବଜନୀନ ହେବା ଦରକାର । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସଂପୃକ୍ତ ବିତରକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।