ବଦଳିଗଲା ‘ବିଜେଡ଼ି’ ନାଁ : ବି ଫର ବବି, ଜେ ଫର ଜିତୁ, ଡି ଫର ଡାନି
odisha politcs
ଭୁବନେଶ୍ୱର : ଆଜ୍ଞା ବିଜେଡ଼ିମାନେ ଆପଣ ଜାଣିଛନ୍ତି ବିଜୁ ଜନତା ଦଳ । ହେଲେ ଯାଜପୁରରେ ବିଜେଡ଼ିର ସଂଜ୍ଞା ବଦଳିଯାଇଛି । ବି ଫର ବବି ମାନେ ପ୍ରଣବ ପ୍ରକାଶ ଦାସ । ଜେ ଫର ଜିତୁ, ମାନେ ପ୍ରଣବ ବଳବନ୍ତରାୟ । ଆଉ ଡି ଫ ଡାନି, ମାନେ ପ୍ରୀତିରଞ୍ଜନ ଘଡେ଼ଇ । ଆଜି ଯାଜପୁରରେ ଅନୁଷ୍ଠିତ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବେଳେ ଏମିତି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଯାଜପୁରରେ ପରିବାର ବାଦ କଥା ଉଠିଲେ ଏହି ତିନି ଜଣଙ୍କ ନାଁ ଉଠେ । ବବିଙ୍କ ବାପା ଅଶୋକ ଦାସ ଥିଲେ ବିଜୁବାବୁଙ୍କ ଡାହାଣ ହାତ । ଜନତା ଦଳର ରାଜ୍ୟ ସଭାପତି ବି ଥିଲେ । ଅଶୋକ ବହୁବାର କୋରେଇରୁ ବିଧାୟକ ହୋଇଛନ୍ତି । ମନ୍ତ୍ରୀ ନହୋଇଥିଲେବି ସେ ସମୟରେ ମନ୍ତ୍ରୀଙ୍କ ଠାରୁ ସେ ପାୱାରଫୁଲ୍ ଥିଲେ । ବାପାଙ୍କ ଭଳି ବବି ବି ବିଜେଡ଼ି ରାଜନୀତିରେ ପ୍ରଭାବ ବିସ୍ତାର କରି ଚାଲିଛନ୍ତି । ଜିତୁଙ୍କ ବାପା ହେଉଛନ୍ତି କଳ୍ପତରୁ ଦାସ । ଜନତା ଦଳର ସେ ଥିଲେ ତୁଙ୍ଗ ନେତା । ବହୁବାର ବିଧାୟକ ହେବା ସହ ରାଜ୍ୟସଭା ସାଂସଦ ବି ଥିଲେ । ମନ୍ତ୍ରୀ ବି ଅନେକ ବାର ହେବାର ସୌଭାଗ୍ୟ ପାଇଛନ୍ତି । ଏକଦା କଳ୍ପତରୁ ବିଜେଡ଼ି ଟିକେଟ ବାଣ୍ଟୁଥିଲେ । ସେହିପରି ଡାନିଙ୍କ ବାପା ହେଉଛନ୍ତି ପ୍ରଫୁଲ୍ଲ ଘଡେ଼ଇ । ସେ ବି ଜନତା ଦଳର ଆଗଧାଡ଼ିର ନେତା । ବହୁବାର ମନ୍ତ୍ରୀ ଓ ବିଧାୟକ ହୋଇଛନ୍ତି । ଗୋଟିଏ ସମୟରେ ଯାଜପୁର ରାଜନୀତି ଅଶୋକ ଦାସ, ପ୍ରଫୁଲ୍ଲ ଘଡେ଼ଇ ଓ କଳ୍ପତରୁ ଦାସଙ୍କ ଚାରିପଟେ ଘୂରୁଥିଲା । ଏବେ ସେମାନଙ୍କ ପୁଅମାନେ ଯାଜପୁର ବିଜେଡ଼ିକୁ କବଜା କରିଛନ୍ତି । ବବି ଯାଜପୁର ଜଗିଥିବାବେଳେ ସୁକିନ୍ଦା ଜଗିଛନ୍ତି ପ୍ରୀତି ।
କିନ୍ତୁ ୨୦୨୪ରେ ଏହି ତିନି ନେତାଙ୍କ ଗର୍ବ ଚୁନା ହୋଇଯାଇଛି । ପ୍ରଥମ ଥର ପାଇଁ ତିନି ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅର୍ଥାତ୍ ସେମାନେ ଏବେ ହାରୁ ନେତା ଭାବେ ଗଣା ହେଉଛନ୍ତି । ସେମାନଙ୍କ ଅଞ୍ଚଳରେ ବିଜେପି ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଡାନି ଓ ବବିଙ୍କ ମଧ୍ୟରେ ସୁସମ୍ପର୍କ ନଥିଲା । ତେଣୁ ନିର୍ବାଚନ ବେଳେ ଡାନିଙ୍କୁ ସୁକିନ୍ଦାରେ ହରାଇବା ପାଇଁ ବବି ଲାଗି ପଡ଼ିଥିଲେ । ସେପଟେ ବବିଙ୍କ ମା’ଙ୍କୁ କୋରେଇରେ ହରାଇବା ପାଇଁ ଡାନି ବି ଗୋଟିଚାଳନା କରିଥିଲେ । ଯାଜପୁର ରାଜନୀତି ବଳୟରେ ଏଭଳି ଚର୍ଚ୍ଚା ହେଉଥିଲା । କିନ୍ତୁ ଉଭୟ ନିର୍ବାଚନ ହାରିବା ପରେ ଏକାଠି ହେବାକୁ ବାଧ୍ୟ ହୋଇଛନ୍ତି । ଯାଜପୁରରେ ଏହି ବିଜେଡ଼ି ନେତା ବିଜେଡ଼ିକୁ କେତେ ମଜବୁତ କରୁଛନ୍ତି ତାହା ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିଯିବ ।