ବିଇଓଙ୍କ ଦ୍ୱାରା ଗ୍ରୀଷ୍ମାବକାଶ ଗୃହକାର୍ଯ୍ୟ ତଦାରଖ
ଖୋର୍ଦ୍ଧା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା: ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ବଡ଼ବେରଣା ଛାତ୍ରଛାତ୍ରୀମାନଙ୍କୁ ନେଇ ଗ୍ରୀଷ୍ମ ଛୁଟିରେ ପ୍ରଦତ୍ତ ଗୃହ ସଂଶୋଧନ କାର୍ଯ୍ୟର ତଦାରଖ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଏଥିରେ ଭାସ୍କର ଲେଙ୍କା ଉପସ୍ଥିତ ହୋଇ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଅକ୍ଷର ଗଠନ ଓ ଲିଖନଶୈଳୀ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । କୁନି କୁନି ପିଲାଙ୍କ ସହ ସେମାନଙ୍କ ପରିବାର ସାଙ୍ଗସାଥୀଙ୍କ ବିଷୟରେ ଆଳାପକରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ମୌଖିକ ଭାଷାର ବିକାଶ ନିମନ୍ତେ ପ୍ରୟାସ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ କିଏ, କେମିତି, କାହିଁକି ଓ କିପରି ପରି ଛୋଟ ଛୋଟ ପ୍ରଶ୍ନ ପଚାରି ନିଜର ଅନୁସନ୍ଧିତ୍ସା ମନୋଭାବର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଅଂଶୁଘାତର କାରଣ ଓ ନିରାକରଣ ଉପରେ ଆଲୋଚନା କରି ଆସନ୍ତା ବର୍ଷା ଋତୁରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜେ ବୃକ୍ଷ ଲଗେଇବା ସହ ଅନ୍ୟମାନଙ୍କୁ ବୃକ୍ଷ ଲଗାଇବା ପାଇଁ କହିବାକୁ ବୁଝାଇଥିଲେ । ଏଥିରେ ପ୍ରଧାନଶିକ୍ଷୟିତ୍ରୀ ନଳିନୀପ୍ରଭା ଦେବୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ପୁଲକ ସାହୁ, ସୁକାନ୍ତ ପାତ୍ର, ଜଗନ୍ନାଥ ବେହେରା, ବିସ୍ମିତା କର ଓ ପ୍ରଣୟିନୀ ମାର୍ଥା ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷା ଅଧିକାରୀଙ୍କ ଏଭଳି କ୍ଷେତ୍ର ପରିଭ୍ରମଣ ଛାତ୍ରଛାତ୍ରୀଙ୍କୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।