ଚିରନିଦ୍ରାରେ ଜନନେତା ଦେବେନ୍ଦ୍ର

ଚିରନିଦ୍ରାରେ ଜନନେତା ଦେବେନ୍ଦ୍ର

 ଭୁବନେଶ୍ୱର: ଆଉ ନାହାନ୍ତି ଜନନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ପୂର୍ବତନ ରାଜ୍ୟ ବିଜେପି ସଭାପତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ପ୍ରଧାନଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି  । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସେ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିଲେ  । ଆଜି ସକାଳ ୧୦ଟା ୨୫ରେ ତାଙ୍କର ମୃତୁ୍ୟ ହୋଇଯାଇଛି  । ମୃତୁ୍ୟବେଳକୁ ତାଙ୍କ ନିକଟରେ ପନôୀ, ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ  । 
ଦିଲ୍ଲୀରେ ତାଙ୍କର ଶେଷ ଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଡାକ୍ତର ପ୍ରଧାନଙ୍କର ମର ଶରୀର ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ସଂଧ୍ୟାରେ ମର ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲା  । ସେଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଠାରୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ  । ଗାର୍ଡ଼ ଅଫ ଅନର ଦିଆଯିବା ପରେ ମର ଶରୀର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା  । ସେଠାରେ ବିଜେପିର ବରିଷ୍ଠ ନେତା ଓ ହଜାର ହଜାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ  ।ଚ ରାଜ୍ୟର ଜଣେ ଧୂରୀଣ ଜନନେତା ଭାବେ ପରିଗଣିତ ଡାକ୍ତର ପ୍ରଧାନ ତିନିଥର ରାଜ୍ୟ ବିଜେପିର ମଙ୍ଗ ଧରିଥିଲେ  । ୧୯୮୮ରୁ ୧୯୯୦, ୧୯୯୦ରୁ ୧୯୯୩ ଏବଂ ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ସେ ଥିଲେ ସଭାପତି  । ରାଜ୍ୟରେ ବିଜେପିର ସାଂଗଠନିକ ପୁନର୍ବିନ୍ୟାସରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା  । 
ପେଶାରେ ସେ ଥିଲେ ଡାକ୍ତର  । କଟକ ଏସ୍ସିବି ମେଡିକାଲ୍ କଲେଜରୁ ଏମ୍ବିବିଏସ୍ ପାସ୍ କରିବା ପରେ ତାଳଚେର ଡେରାରେ ଅତିରିକ୍ତ ମେଡିକାଲ୍ ଅଫିସର ଭାବେ ୧୯୬୭ରେ ଚାକିରି ଆରମ୍ଭ କରିଥିଲେ  । ୧୯୭୩ରେ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ଘରୋଇ ଭାବେ ସେବା ଯୋଗାଇ ଆସୁଥିଲେ  । ୧୯୮୦ରେ ବିଜେପିର ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ରାଜନୀତିକୁ ଆସିଥିଲେ  ।
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ବିଜେପିର ବଡ଼ ଚେହେରା ପାଲଟି ଯାଇଥିଲେ  । ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ସେ ଥିଲେ ବିଜେପିର ତାଳଚେର ମଣ୍ଡଳ ସଭାପତି  । ପରେ ୧୯୮୩ରୁ ୧୯୮୫ ଓ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ  । ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ସେ ଦୁଇଥର ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ  ।  ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ଦୁଇଥର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି  । ୧୯୯୮ରେ ସେ ପରିବହନ ମନ୍ତ୍ରୀ ଓ ୧୯୯୯ରେ ପରିବହନ ଓ କୃଷି ମନ୍ତୀ ହୋଇଥିଲେ  । ୨୦୦୧ରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେବାର ସୌଭାଗ୍ୟ ଲାଭ କରିଥିଲେ  ।