ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ପୁଷ୍ପମିତ୍ର ମହାପାତ୍ର :  ମନ୍ଦିର ଦୈନନ୍ଦିନ ରୀତିନୀତିରେ ନୀଳାଦ୍ରି ବିଜେ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରମୁଖ ନୀତି । ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉଙ୍କ ରତ୍ନବେଦୀକୁ ବିଜେ ଗୋଟି ପହଣ୍ଡିରେ ହୋଇଥାଏ । ସନ୍ଧ୍ୟାଧୂପ ନିର୍ବାହ ପରେ ବିଜେ କାହାଳୀ ଗଗନ ପବନ ପ୍ରକମ୍ପିତ କରିଥାଏ । ଠିକ ଗୁଣ୍ଡିଚା ଘରକୁ ଯାତ୍ରା ସମୟରେ ନିର୍ଦ୍ଧାରିତ ନୀତିକାନ୍ତି ସବୁ ସମ୍ପାଦିତ ହୋଇଥାଏ । ବର୍ଷ ବର୍ଷ ଧରି ମନ୍ଦିର ସନ୍ନିକଟ ରାଘବଦାସ ମଠ ଶ୍ରୀଜୀଉଙ୍କ ପାଇଁ ଟାହିୟା ଯୋଗାଇ ଦେଇଥାନ୍ତି । ରତ୍ନସିଂହାସନର ତ୍ରିମୁଣ୍ଡିରେ ଆକର୍ଷଣୀୟ ସୁସଜ୍ଜିତ ଚାନ୍ଦୁଆ ବନ୍ଧା ହୋଇଥାଏ ଅଖଣ୍ଡ ବଇଠା ବସେ । ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ପ୍ରଥମେ ପହଣ୍ଡି ହୋଇ ସିଂହାସନକୁ ଆସନ୍ତି ।
ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଚାରମାଳ ଉପରକୁ ଓହ୍ଲାଇଲେ ଦେବୀ ମା'ଲକ୍ଷ୍ମୀ ଠାକୁରାଣୀ ଦେବଦାସୀ ସହ ଭେଟ ମଣ୍ଡପ ଠାରେ ଖଟ ଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥାନ୍ତି । ରଥରେ ଠାକୁରଙ୍କ ବନ୍ଦାପନା ହେଲେ ଭିତରଚ୍ଛୁ ମହାପାତ୍ର ସେବାୟତ ବନ୍ଦାପନା ନୀତି ନିର୍ବାହ କରନ୍ତି । ଏହାପରେ ମା'ଲକ୍ଷ୍ମୀ ଭଣ୍ଡାର ଘରକୁ ବିଜେ କରନ୍ତି । ଏହାପରେ ଦେବଦାସୀ ଶ୍ରୀଜଗନ୍ନାଥଙ୍କୁ ସିଂହଦ୍ୱାରକୁ ବିଜେ ପୂର୍ବରୁ ଦରଜା ବନ୍ଦ କରିଦେଇଥାନ୍ତି । ମହାପ୍ରଭୁ ସିଂହଦ୍ୱାରକୁ ଆସିଲେ ତାହା ଫିଟାଯାଏ । ଏହାପରେ ମହାପ୍ରଭୁ ଭିତରକୁ ବିଜେ କରନ୍ତି । ପରମ୍ପରା, ସତ୍ତ୍ୱଲିପି ଓ ମାଦଳା ପାଞ୍ଜିର ନୀତିକାନ୍ତି ମୁତାବକ ଦଇତା ଓ ଦେବଦାସୀ ମାନଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଓ ଦେବଦାସୀମାନେ ଦଇତାଙ୍କୁ ପ୍ରଶ୍ନ ବାଣରେ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦିଅନ୍ତି । ଏଠି ସୂଚାଇ ଦେଇପାରୁକି ମହାପ୍ରଭୁଙ୍କ ପ୍ରତିନିଧିତ୍ୱ ଦଇତାମାନେ କରୁଥିବାବେଳେ, ମା'ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ ଦେବଦାସୀ କରନ୍ତି । ଠିକ ଓଡ଼ିଆ ଘରର ସାମାଜିକ ରୀତିନୀତି ଓ ସାମାଜିକ ବିଧି ବ୍ୟବସ୍ଥା ପରି ମହାପ୍ରଭୁଙ୍କ ଉପରେ ଅତ୍ୟନ୍ତ କ୍ରୋଧୀ ହୋଇ ମନ ଉଣା କରିଥିବା ମା' ମହାଲକ୍ଷ୍ମୀ କବାଟ ବନ୍ଦ କରିଦେଇଥାନ୍ତି ଏବଂ ଜଗତସ୍ରଷ୍ଟା ପ୍ରଭୁ ଜଗନ୍ନାଥ ମା'ଲକ୍ଷ୍ମୀଙ୍କ ମନ ମୋହିବା ପାଇଁ ଅତି ପ୍ରେମପୂର୍ଣ୍ଣ ଭାବେ ପ୍ରୟାସ କରିଥାନ୍ତି । ଜଣେ କବିଙ୍କ ଭାଷାରେ - "ନବଦିନ ମୋତେ ନବଯୁଗ ହେଲା ଶ୍ରୀମୁଖ ନଦେଖି ତୋର, ଝୁରି ଝୁରି ଦେହ ଦୁର୍ବଳ ହେଲାଣି ପାଦ ନ ଚଳଇ ମୋର । ନାହିଁ ମୋର ଦୋଷ କାହିଁ ପାଇଁ ରୋଷ କରୁଛ ନୃପତି ଜେମା, ହେଲେ ଅପରାଧ ତୁ କୃପାବାରିଧି ସକଳ କରିବୁ କ୍ଷମା ।' ଏହାଶୁଣି କ୍ରୋଧ ଜର୍ଜ୍ଜରିତା ଲକ୍ଷ୍ମୀ ଠାକୁରାଣୀ କଟୁବାକ୍ୟ ପ୍ରୟୋଗ କରି କହିଛନ୍ତି - "ଯାଅଯାଅ ଫେରି ନୀଳାଦ୍ରିବିହାରୀ ଭଉଣୀ କି ସଙ୍ଗେ ନିଅ, ଛାଡ଼ିକରି ଗଲେ ଦୁଃଖ କରିବଟି ନନ୍ଦରାଜାଙ୍କର ଝିଅ । ସ୍ତିରୀ ଜନ୍ମ ହୋଇ ଟିକିଏ ତାହାର ମୁଖରେ ନଥାଇ ଲାଜ, ତୁମ୍ଭେ ନ ଯାଉ ସେ ରଥରେ ଚଢ଼ିଣ ଆଗ ହୋଇଥାଏ ସତ ।'
ବାସ୍ତବିକ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ଚେତନା ଆମ ଓଡ଼ିଆ ଆଧ୍ୟାତ୍ମିକ ସାହିତ୍ୟକୁ ମଧ୍ୟ ଋଦ୍ଧିମନ୍ତ କରିଛି । ନବଦିନ ବ୍ୟାପୀ ବିଶ୍ୱ ପ୍ରସିଦ୍ଧ ଏବଂ ଅଗଣିତ ଭକ୍ତଜନଙ୍କୁ ଦର୍ଶନ ଦେବା ନିମିତ୍ତ ମାଉସୀ ଘରକୁ ମହାପ୍ରଭୁ ବଡ଼ଭାଇ ଓ ସାନ ଭଉଣୀଙ୍କୁ ଧରି ଯାତ୍ରା କରିଥାନ୍ତି ଅଥଚ ପତ୍ନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥାନ୍ତି । ମା'ଲକ୍ଷ୍ମୀଙ୍କୁ ସାଥିରେ ନ ନେବାର କାରଣ ମହାପ୍ରଭୁ ବୁଝାଇ ଥାନ୍ତି ଯେ ଅଗ୍ରଜ ବଳଭଦ୍ର ତାଙ୍କ ରଥରେ ସାଥି ହୋଇ ଯାଉଥିବାରୁ ଆମ ସଂସ୍କୃତିରେ ଦେଢ଼ଶୁର ଭାଇବୋହୂ ମଧ୍ୟରେ କଥାବାର୍ତ୍ତା ତ ଦୂରର କଥା, ଦେଖାଚାହାଁର ସାମାଜିକ କଟକଣା ରହିଛି । ଏହି ପରମ୍ପରାକୁ ସାବ୍ୟସ୍ତ କରି ମହାପ୍ରଭୁ ନିଜ ପତ୍ନୀ ମା'ଲକ୍ଷ୍ମୀ ଦେବୀଙ୍କୁ ଅତି ବିନମ୍ର ଭାବେ କୈଫିୟତ ରଖିଛନ୍ତି । କବିଙ୍କ ଭାଷାରେ - "ଜ୍ୟେଷ୍ଠ ସହୋଦର ତୋର ଦେଢ଼ଶୁର ସେ ସଙ୍ଗତେ ଥିଲେ ଯେଣୁ, ଏହିକଥା ଚିତ୍ତେ ବିଚାରିଣ ତୋତେ ସଙ୍ଗତେ ନ ନେଲି ତେଣୁ ।' ମହାପ୍ରଭୁ ମାଉସୀ ମା' ଘରୁ ଫେରିବା ବାଟରୁ ପ୍ରାଣପ୍ରିୟା ପତ୍ନୀ ମା'ଲକ୍ଷ୍ମୀ ଦେବୀଙ୍କ ପାଇଁ ଆଣିଥିବା ରତ୍ନ ଅଳଙ୍କାରକୁ ଗ୍ରହଣ ନକରି ମା'ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଏସବୁ ଗୋପପୁରକୁ ପଠାଇ ଦେଇ ବରଂ ଗୋପାଙ୍ଗନା ମାନଙ୍କ ପାଇଁ ପ୍ରେରଣ କରିବାକୁ ଯେଉଁ ପରାମର୍ଶ ଦେଇଛନ୍ତି ତାହା କବିଙ୍କ ଚମକ୍ରାର ଭାବନାରେ - "ଅଳଙ୍କାର ଦେଖି ଚାରୁଚନ୍ଦ୍ରମୁଖୀ ଅନେକ କରିବେ ସ୍ନେହ, ପ୍ରେମରସେ କୋଳ କରି ହେବେ ଭୋଳ ସମର୍ପିବେ ନିଜ ଦେହ । ତୁମ୍ଭେ ପରା ତାଙ୍କ ନାଟୁଆ ପୁରୁଷ ଗୋପୀମାନେ ତୁମ୍ଭ ଗୁରୁ, ନାସିକା ଫୁଲାଇ ଗୁଣା ଦୋହଲାଇ ଆଖି ଠାରୁଥିବେ ଦୂରୁ ।' ନୀଳାଦ୍ରି ବିଜେ ବାସ୍ତବିକ ମହାପ୍ରଭୁଙ୍କ ସାମାଜିକ ଓ ଦାମ୍ପତ୍ୟ ଜୀବନର ଏକ ଅନ୍ୟତମ ପ୍ରତିଚ୍ଛବି । ଉପରୋକ୍ତ ଉଦ୍ଧୃତି ଜଣେ ଅଭିମାନିନୀ ପ୍ରାଣପ୍ରିୟା ପତ୍ନୀର ଅନ୍ତର୍ବେଦନା ଭରି ରହିଛି । ତେବେ ପରବର୍ତ୍ତୀ ସମୟରେ ଏଥିରେ ହସ୍ତକ୍ଷେପ କରିଛନ୍ତି ଘରର ମୁରବି ଅଗ୍ରଜ ବଳଭଦ୍ର । ସେ ଠିକ ଆମ ଓଡ଼ିଆ ଘରର ଚଳଣୀ ପରି ଭାଇ ବୋହୂର ଦୋଷ ନଧରି ବରଂ ସାନ ଭାଇ ଜଗନ୍ନାଥଙ୍କୁ ତାଙ୍କ ତ୍ରୁଟି ଓ ଅସାମର୍ଥ୍ୟତା ପାଇଁ ଭର୍ତ୍ସନା କରିବାକୁ ପଛାଇ ନାହାଁନ୍ତି । କବି ଲେଖିଛନ୍ତି - "ଆଉ ଦିନେ ଯେବେ ଘର ଖଡ଼ବଡ଼ କର୍ଣ୍ଣରେ ଶୁଣିବି ମୁହିଁ, ସେହିଦିନ ନିଶ୍ଚେ ଭିନ୍ନ କରିଦେବି ଏଥିରେ ସଂଶୟ ନାହିଁ ।' ବାସ୍, ଏହି ପଦୁଟିଏ ଭର୍ତ୍ସନା ସ୍ୱାମୀଙ୍କ ପ୍ରତି ଶୁଣିବା ପରେ ମା'ଲକ୍ଷ୍ମୀଙ୍କ ମନ ତରଳି ଯାଇଛି । ତାଙ୍କ ହୃଦୟ ଭିତରୁ ସମସ୍ତ ଅହଂକାର, ରାଗ ଓ ଦ୍ୱେଷ ଲିଭିଯାଇଛି । କବାଟ ଫିଟିଛି ଆଉ ମହାପ୍ରଭୁ ଘର ଭିତରକୁ ପ୍ରବେଶ କରି ଲକ୍ଷ୍ମୀ ଠାକୁରାଣୀଙ୍କ ସାମ୍ନାକୁ ଆସିବା ପରେ ଦୁଇଜଣଙ୍କର ପୁନର୍ମିଳନ ହୋଇଥାଏ । ଏହି ମାନ ଭଞ୍ଜନ ନିମିତ୍ତ ପ୍ରେମପୂର୍ଣ୍ଣ ହୃଦୟରେ ମହାପ୍ରଭୁ ତାଙ୍କ ପ୍ରେମିକା ପତ୍ନୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ଦେଇଥାନ୍ତି । ଏହାର ସ୍ମାରକୀ ଭାବରେ ଶ୍ରୀମନ୍ଦିରରେ ସେ ଦିନ ରସଗୋଲା ଭୋଗର ପରମ୍ପରା ରହିଛି । ତେବେ ବିଚିତ୍ର ଘଟଣାଟି ହେଉଛି ବର୍ଷକ ବାରମାସରେ କେବଳ ଏହି ଗୋଟିଏ ଦିନରେ ହିଁ ରସଗୋଲା ଭୋଗ ହୋଇଥାଏ । ପରବର୍ତ୍ତୀ ସମୟରେ ଦ୍ୱାର ଫିଟା ନୀତି ଆରମ୍ଭ ହୋଇଥାଏ ଏବଂ ଏହି ନୀତିରୁ ହିଁ ଶେଷ ହୋଇଥାଏ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସମସ୍ତ ନିତିକାନ୍ତି । ନୀଳାଦ୍ରି ବିଜେର ପରଦିନ ରତ୍ନବେଦୀରେ ବିଜେ କରିଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଯେଉଁ ଅନ୍ନପ୍ରସାଦ ବା ଅଭଢ଼ା ନୈବେଦ୍ୟ ପ୍ରଦାନ କରାଯାଏ ଏହାକୁ ସମସ୍ତେ ନୀଳାଚଳ ଅଭଢ଼ା ଭାବେ ଜାଣନ୍ତି । ଏଥିରୁ କାଣିଚାଏ ଟିକେ ପାଇବା ପାଇଁ ଭକ୍ତଜନଙ୍କର ଆତୁରତା ରହିଥାଏ ଏବଂ ଏହା ମୋକ୍ଷ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ନୀଳାଦ୍ରି ବିଜେର ପହଣ୍ଡି ଗୋଟି ପହଣ୍ଡି ହୋଇଥାଏ ଶ୍ରୀଜୀଉଙ୍କର । ଜଣଙ୍କୁ ସିଂହାସନରେ ଅଧିଷ୍ଠିତ କରାଇବା ପରେ ଆଉ ଜଣଙ୍କୁ ନିଆଯାଏ  । ଏତେବେଳେ ଆତସବାଜି ସାଙ୍ଗକୁ ବାଦ୍ୟନାଦରେ ପ୍ରକମ୍ପିତ ହେଉଥାଏ ସମଗ୍ର ବଡ଼ଦାଣ୍ଡ  । କିଏ ନିଆଁ ବନାଟି ବୁଲାଉଥାଏ ତ କିଏ ନାଚୁଥାଏ ବିଭିନ୍ନ ଭଙ୍ଗୀରେ  । ବଡ଼ଦାଣ୍ଡରେ ଲାଗିଥାଏ ଲୋକ ଗହଳି  । ଅଗଣିତ ଭକ୍ତଜନ ମହାପ୍ରଭୁଙ୍କୁ ଏହି ଦିନରେ ଦେଖିବା ପାଇଁ ଯୁଗ ଯୁଗର ପ୍ରାର୍ଥନାର ଫଳ ବୋଲି ବିଶ୍ୱାସ ରହିଛି ।
ମୋ : ୯୪୩୭୨୨୫୬୮୯