ଶ୍ରମଜୀବୀ ଏବେ ଦାଦନମୁହାଁ

ବିଭିନ୍ନ ଜିଲ୍ଲାରେ ଛୋଟ ମୋଟ ଶିଳ୍ପ କାରଖାନା ଗୁଡ଼ିକରେ ନିଯୁକ୍ତ ହୋଇ ପେଟ ପୋଷୁଥିବା ଗରିବ ଲୋକମାନେ ଏସବୁ ଶିଳ୍ପ ବନ୍ଦ ହୋଇଯିବା ପରେ ଦାଦନ ଶ୍ରମିକ ଭାବରେ ଓଡ଼ିଶା ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଲେଣି । ବିଭିନ୍ନ ଗ୍ରାମାଞ୍ଚଳରେ ତହସିଲଦାରମାନଙ୍କ ଠାରୁ ଲିଜ୍ରେ ନେଇ ପାହାଡ଼ ଗୁଡ଼ିକର ପଥରକୁ ଛୋଟ ଗେଟିରେ ପରିଣତ କରିବା ପାଇଁ କ୍ରସର୍ ମେସିନ୍ ସବୁ ବସିଛି । ଏ କ୍ଷେତ୍ରରେ ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲା ସବୁଠି ଆଗରେ ରହିଛନ୍ତି । ତେବେ ଜଙ୍ଗଲ କ୍ଷୟ ଏବଂ ପର୍ବତ ଗୁଡ଼ିକର ବିଲୁପ୍ତି କାରଣକୁ ନେଇ ବର୍ତ୍ତମାନ କ୍ରସର୍ ଗୁଡ଼ିକୁ ବନ୍ଦ କରିଦେବା ପାଇଁ ସ୍ଥାନୀୟ ତହସିଲଦାରମାନେ ନୋଟିସ୍ ଜାରି କରିଛନ୍ତି । ଏହି ଶହ ଶହ କ୍ରସର୍ ଗୁଡ଼ିକରେ ହଜାର ହଜାର ଶ୍ରମିକ ନିଯୁକ୍ତି ପାଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କର ରୋଜଗାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଏହି କାରଣରୁ ସେମାନେ ବର୍ତ୍ତମାନ ନିଜର ଯାହା ଅଳ୍ପ କିଛି ଧାନ ଅମଳ କରି ଆସନ୍ତା ଜୁନ୍, ଜୁଲାଇ ମାସ ପର୍ଯ୍ୟନ୍ତ ଦାଦନ ଶ୍ରମିକ ଭାବରେ ବାହାର ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଗଲେଣି । ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ରାସନ୍ କାର୍ଡ୍ ମାଧ୍ୟମରେ ବିନା ମୂଲ୍ୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ହେଲେ ଏହା ସତ୍ତ୍ୱେ ସରକାରଙ୍କ ଏହି ଯୋଜନା ଲକ୍ଷ୍ୟ ହାସଲ କରିପାରୁନାହିଁ । ନିକଟରେ କନ୍ଧମାଳ ଜିଲ୍ଲାରେ ଖାଦ୍ୟାଭାବରୁ ଆମ୍ବ କୋଇଲି ଖାଇ ୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଏହା ସମଗ୍ର ରାଜ୍ୟରେ ଚହଳ ପକାଇଛି । ରାଜ୍ୟର ଅତି ଗରିବ ଲୋକମାନଙ୍କ ପାଇଁ ବଞ୍ଚିବାର ଦୁଇଟି ରାସ୍ତା ଅଛି । ପ୍ରଥମଟି ହେଲା ସେମାନଙ୍କ ପାଇଁ ପ୍ରତି ମାସ ଖାଦ୍ୟ ଶସ୍ୟ ଯୋଗାଇ ଦେବା ଏବଂ ଦ୍ୱିତୀୟଟି ହେଲା ସେମାନଙ୍କ ନିମିତ୍ତ ନିଯୁକ୍ତି ସୃଷ୍ଟି କରି ରୋଜଗାରକ୍ଷମ କରିବା । ବର୍ତ୍ତମାନ ଏ ଦୁଇଟିଯାକ କାର୍ଯ୍ୟ କ୍ଷେତ୍ରରେ ଅନେକ ପ୍ରକାରର ପ୍ରଶାସନିକ ତ୍ରୁଟି ରହିଯାଉଥିବା ଦେଖାଯାଉଛି । 
ଏମିତି ବି ଦୁର୍ଗମ ଅଞ୍ଚଳର ଲୋକମାନେ ଠିକ୍ ଭାବରେ ରାସନ୍ ପାଉଛନ୍ତି କି ନାହିଁ ଅଭିଯୋଗ ନ ଆସିଲେ ସେ ସମ୍ପର୍କିତ ତଥ୍ୟ ମିଳିବା ସମ୍ଭବ ନୁହେଁ । ଦ୍ୱିତୀୟ କଥାଟି ହେଲା ଲୋକମାନଙ୍କ ପାଇଁ କାମଧନ୍ଦା ଯୋଗାଇ ଦେବା । ବର୍ତ୍ତମାନ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗ୍ରାମାଞ୍ଚଳର ଭିତ୍ତିଭୂମି କାମ ସବୁ କରାଯିବାର ଆବଶ୍ୟକତା ରହିଛି । ଏହି ଯୋଜନା ମାଧ୍ୟମରେ ପଞ୍ଚାୟତରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରି ପଞ୍ଚାୟତର ଆର୍ଥôକ ବିକାଶ କରିବା ଲକ୍ଷ୍ୟ ରଖି ମହାତ୍ମା ଗାନ୍ଧୀ ନରେଗା ଯୋଜନା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ଯୋଜନା ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଦାଦନ ଶ୍ରମିକ ଭାବରେ ରାଜ୍ୟ ବାହାରକୁ ଯିବାକୁ ରୋକିବା କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇଥିଲା । ତେବେ ପଥର କ୍ୱାରି ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ଆଦି କ୍ଷେତ୍ରରେ ବର୍ତ୍ତମାନ ଏକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଏହି କାରଣରୁ ରାଜ୍ୟର ପ୍ରାୟତଃ ସବୁ ଜିଲ୍ଲାରେ ହଜାର ହଜାର ଶ୍ରମିକ ନିଜ ଘର ପାଖରେ ପାଉଥିବା ନିଯୁକ୍ତିକୁ ହରାଇ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯିବାକୁ ପ୍ରସ୍ତୁତ ହେଲେଣି । ଦାଦନ ଶ୍ରମିକ ମାନଙ୍କୁ ଯେଉଁଭଳି ପାରିଶ୍ରମିକ ଦିଆଯାଇ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥାଏ ପରବର୍ତ୍ତୀ ସମୟରେ ସେସବୁର ପାଳନ କରାଯାଏ ନାହିଁ । 
ଏଭଳି ପରିସ୍ଥିତିରେ ଶ୍ରମ ଓ ନିୟୋଜନ ବିଭାଗ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରି ରାଜ୍ୟକୁ ଫେରାଇ ଆଣିବା ଦିଗରେ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୁଏ । ତେଣୁ ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଏବେ ଠାରୁ କାମଧନ୍ଦା ତଥା ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରାଗଲେ ଖରାଦିନ ବେଳକୁ ଦାଦନ ଶ୍ରମିକଜନିତ ଅନେକ ସମସ୍ୟାକୁ ଆଡ଼େଇ ଦେଇ ହେବ ।