ଯିଏ ସହେ, ସିଏ ହିଁ ରହେ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ’ 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା 'ଯିଏ ସହେ, ସିଏ ହିଁ ରହେ'ର ତାତ୍ପର୍ଯ୍ୟ ବାବଦରେ । ସବୁଦିନ ଭଳି ଆଜିର ଅଳ୍ପ କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା ।
ପ୍ରତିଟି ମଣିଷ ଚାହେଁ ସେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ତା'ଠାରୁ ଅଧିକ ଟିକିଏ ଭଲ ସ୍ଥିତିରେ ପହଞ୍ଚିବାକୁ ବା ବଞ୍ଚିବାକୁ । ସମସ୍ତଙ୍କ କ୍ଷେତ୍ରରେ ଏହା ହିଁ ଦେଖିବାକୁ ମିଳେ । ହେଲେ ଯିଏ ଯେତେ ଭଲ ସ୍ଥିତିରେ ରହିଲେ ବି ତା'ର ହୃଦବୋଧ ହୋଇନଥାଏ, ଯେ ସେ ଅନ୍ୟମାନଙ୍କ ଠାରୁ ଖୁବ୍ ଭଲରେ ଅଛି ବୋଲି । କିନ୍ତୁ ଏହା କାହିଁକି ସେତକ ଆମେ କେବେ ବି ବିଶ୍ଲେଷଣ କରିନାହୁଁ । କାରଣ ଆମେ କେବେ ବି ନିଜ ଭିତରଟାକୁ ଝାଙ୍କି ଦେଖିବାକୁ ଚେଷ୍ଟା କରିନାହୁଁ ।
ସୁଖ ଆଶାରେ ଆମେ ଜୀବନଦାଣ୍ଡରେ ନିଇତି ଦଉଡୁଛୁ । ହେଲେ ବି ଶେଷରେ ସୁଖ ଟିକକ ବି ମିଳୁନାହିଁ । କାରଣ ଆମ ପାଖରେ ଧୈର୍ଯ୍ୟ ରହୁନାହିଁ । ସଙ୍ଗେ ସଙ୍ଗେ ପରିଣାମ ବା ଫଳାଫଳ ମିଳିବାର ଆଶା ଆମଠି ଅଧିକ ରହୁଛି ।
ସବୁକିଛି ତ ସଙ୍ଗେ ସଙ୍ଗେ ହୋଇନଥାଏ । ସେଥିପାଇଁ ଜୀବନରେ ତିନିଟି ଜିନିଷକୁ ଆମେ ଆୟତ୍ତ କରିବା ନିହାତି ଲୋଡା । ଏହି ତିନିଟି ଜିନିଷ ହେଲା-ସହ୍ୟ ଶକ୍ତି, ଧୈର୍ଯ୍ୟ ଏବଂ ଜାଣିବାର ଇଚ୍ଛା ।
ଯିଏ ସହେ, ସିଏ ହିଁ ରହେ । ଆମର ବଞ୍ଚିରହିବା ପାଇଁ ଆମ ଭିତରେ ସହନଶୀଳତା ରହିବା ଅନିବାର୍ଯ୍ୟ । ଏହା ସାଙ୍ଗକୁ ଧୈର୍ଯ୍ୟ ମଧ୍ୟ ଲୋଡା । ସେତକ ନ ହେଲେ ବି ହବନି । ଏଇ ଦୁଇଟି ଜିନିଷ ସେତେବେଳେ ଆମ ଠାରେ ଲାଭ ହୋଇଥାଏ, ଯେତେବେଳେ ଆମେ ନିଜକୁ ସଦାସର୍ବଦା କିଛି ନୂଆ ଜାଣିବାକୁ ଚେଷ୍ଟା କରିଥାଉ । କିଛି ନୂଆ ଜାଣିବା ହେଉଛି ଏମିତି ଏକ ଅଭ୍ୟାସ ବା ସାଧନା ଯାହା ତମାମ୍ ଜୀବନ ପାଇଁ ଆବଶ୍ୟକ । କିଛି ଜାଣିବାରେ ଓ ଶିଖିବାରେ କେବେ ଅନ୍ତ ନଥାଏ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।