ସ୍ୱାଭିମାନର ଜୀବନ୍ତ ପରିଭାଷା


ବାଦଲ ଭୂୟାଁ : ମହାନ ଉକ୍ରଳୀୟ ସଂସ୍କୃତି, ବିଭବ, ଅଭିବୃଦ୍ଧିକୁ ନେଇ ତାର ମହନୀୟତା ଯୁଗେ ଯୁଗେ ଗରୀୟାନ । ଆଜି ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ବର୍ତ୍ତମାନର ପିଢ଼ି ହୁଏତ ମଧୁବାବୁଙ୍କୁ ଗୁଗୁଲରେ, ମୋବାଇଲରେ ଜାଣିବାର ସୁଯୋଗ ପାଇବେ । ବାସ୍ତବ କଥା ହେଉଛି ଆଜିକାର ମୂଲ୍ୟବୋଧହୀନ ଓ ସ୍ୱାର୍ଥଲିପ୍ସୁ ଜୀବନ ଭିତରେ ନିଜ ରାଜ୍ୟ, ସଂସ୍କୃତି ଓ ଭାଇଚାରାକୁ ବନ୍ଧନୀରେ ରଖିବା ପାଇଁ ଉକ୍ରଳ ଗୌରବ ମଧୁସୂଦନ ଯେଉଁ ନିଃସ୍ୱାର୍ଥପର ତ୍ୟାଗ କରିଯାଇଛନ୍ତି ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରତିବର୍ଷ ପରି ଆଜିର ଦିନରେ ସରକାରୀ ଓ ବେସରକାରୀ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ବକ୍ତାମାନେ ଗଳା ଫଟାଇ ମଧୁବାବୁଙ୍କ ଉପରେ ବହୁତ ଭାଷଣ ଦେବେ ।  ମଧୁବାବୁ କିପରି ବହୁକ୍ଷେତ୍ରରେ ପ୍ରଥମ ଥିଲେ, ତାଙ୍କ ଉଦ୍ୟମରେ କିପରି ଏ ରାଜ୍ୟର ଗଠନ ସମ୍ଭବ ହୋଇଥିଲା ସେନେଇ ଇତିହାସର ପୃଷ୍ଠାକୁ ବକ୍ତାମାନେ ସ୍ମରଣୀୟ କରି ଗଢ଼ି ତୋଳିବେ । କିନ୍ତୁ ଦିନକ ପରେ ସମସ୍ତେ ପୁଣି ଭୁଲିଯିବେ ମଧୁବାବୁଙ୍କୁ । କେଉଁ ପରିସ୍ଥିତିରେ କିଭଳି ଅଦମ୍ୟ ସଂକଳ୍ପ ନେଇ ମଧୁବାବୁ ଏ ଜାତି ପାଇଁ ସଂଗ୍ରାମ କରିଥିଲେ ଏବଂ ଅଧ୍ୟବସାୟ ଫଳରେ ଓଡ଼ିଆମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ, ତାହାର ମୂଲ୍ୟ ଯିଏ ନବୁଝିଛି ଏବଂ ସେହି ଅନୁସାରେ ନିଜର ଅବଦାନ ଦେବା ପାଇଁ ଆଗ୍ରହୀ ନ ହୋଇଛି ତାହେଲେ ଏସବୁ ଲୋକଦେଖାଣିଆ ସ୍ମୃତିଚାରଣର କିଛି ଅର୍ଥ ନାହିଁ । ସମ୍ପୂର୍ଣ୍ଣ ପ୍ରତିକୂଳ ପରିସ୍ଥିତିରେ ମଧୁବାବୁ ଏକ ସ୍ୱତନ୍ତ୍ର ଓଡ଼ିଆ ଜାତି ପାଇଁ ସଂଘର୍ଷ କରି ବହୁ ପ୍ରଥମ ପରିଚୟର ସ୍ରଷ୍ଟା ହୋଇଥିଲେ । ନିଜେ ଦେବାଳିଆ ମଧ୍ୟ ହୋଇଥିଲେ । କିନ୍ତୁ ତାଙ୍କୁ ବିରୋଧ କରି ବହୁ ବ୍ୟକ୍ତି ସେତେବେଳେ ବି ମୁଣ୍ଡ ଟେକିଥିଲେ । ତାଙ୍କ ସ୍ୱାଭିମାନର ପରିଭାଷାକୁ ବହୁ ବ୍ୟକ୍ତି ହୃଦୟଙ୍ଗମ କରିନପାରି ତାଙ୍କୁ ଅହଙ୍କାରୀ କହୁଥିଲେ, ପାଗଳ କହୁଥିଲେ । କିନ୍ତୁ ଏହି ପାଗଳାମୀ ଏହି ଅହଙ୍କାର କେବଳ ଓଡ଼ିଆ ଜାତିର ଉନ୍ନତିକଳ୍ପେ ଉଦ୍ଦିଷ୍ଟ ଥିଲା ଏକଥା ଲୋକେ ବହୁ ପଛରେ ବୁଝିଲେ । ସେ ନିଜ ଜୀବଦ୍ଦଶାରେ ଯାହା କରିଯାଇଛନ୍ତି ତାହା ଆଜି କଳ୍ପନା କଲେ ଆଚମ୍ବିତ ହେବାକୁ ପଡ଼େ । ଦଧିଚି ସଦୃଶ ସେ ଓଡ଼ିଆ ଜାତି ପାଇଁ ତିଳ ତିଳ କରି ନିଜକୁ ଦଗ୍ଧ କରିଥିଲେ । କିନ୍ତୁ ବାସ୍ତବରେ ଆମେ ସେହି ଅବଦାନର ମୂଲ୍ୟ ବୁଝିପାରିଛୁ କି? ଆମେ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ, ଉଚ୍ଚାକାଂକ୍ଷା, ଈର୍ଷା, ଦ୍ୱେଷ ଆଦିରେ ଘାଣ୍ଟି ହୋଇ ସାମୂହିକ ଉନ୍ନତିର କଥା ଭୁଲିଯାଉଛୁ । ହେଲେ ସେଥିପାଇଁ ଆମର ଲଜ୍ଜା କିମ୍ବା ଅନୁଶୋଚନା ନାହିଁ । ଆଜି ରାଜ୍ୟ ପାଇଁ କଣ କଲେ ଆମର ବିକାଶ ହୋଇପାରିବ, ରାଜ୍ୟର ସ୍ୱାଭିମାନ ରକ୍ଷା ହୋଇପାରିବ, ସମସ୍ତେ ଓଡ଼ିଶାକୁ ଏକ ସମ୍ମାନଜନକ ଦୃଷ୍ଟିରେ ଦେଖିବେ, ସେକଥା ସମ୍ଭବ କରିବା ଦିଗରେ କାହାରି ଉଦ୍ୟମ ନାହିଁ । ଯଦିବା କିଛିଲୋକ ଏ ଦିଗରେ ପ୍ରୟାସ କରୁଛନ୍ତି ସେମାନଙ୍କୁ ନା ଉପଯୁକ୍ତ ସମର୍ଥନ ମିଳୁଛି ନା ସୁବିଧା ।
ଦୁଃଖର କଥା ହେଉଛି ଆଜିର ଓଡ଼ିଶା ଅତୀତର ଓଡ଼ିଶା ନୁହେଁ, ସମୟ କ୍ରମେ ଏଠାରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇସାରିଛି । ବହୁ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ । ତା ସତ୍ତ୍ୱେ ଆମେ ଆମର ଓଡ଼ିଆତ୍ୱ, ଆମ ଭାଷା, ସଂସ୍କୃତି, ବିକାଶ ପାଇଁ ମାର୍ଗ ସବୁକିଛି ଭୁଲିଯିବା ପରି ମନେହେଉଛି । ଆମେ ଅନୁକରଣପ୍ରିୟ ହୋଇ କେତେବେଳେ ଅନ୍ୟ ରାଜ୍ୟ ଅଥବା ବିଦେଶୀ ଢ଼ାଞ୍ଚାର ମାୟାରେ ପଡ଼ିଯାଉଛୁ ଆଉ ନିଜ ପରିଚୟ ଭୁଲିଯାଉଛୁ । ଯଦି ଜଣେ ବାସ୍ତବରେ ମଧୁବାବୁଙ୍କ ଜୀବନ ଏବଂ ତାଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରେ ତେବେ ସେ ସବୁ ଆଧୁନିକତା ଭିତରେ କିପରି ମୌଳିକତ୍ୱ ରକ୍ଷା କରାଯାଇପାରେ ଏବଂ ନିଜ ମାଟିର ବିକାଶକୁ ପ୍ରାଧାନ୍ୟ ଦିଆଯାଇପାରେ ସେ ସଂପର୍କରେ ପ୍ରକୃତ ମାର୍ଗଦର୍ଶନ ପାଇପାରିବ । ମଧୁବାବୁ ଏଇ ମାଟିରୁ ଉଠି ବଢ଼ିଥିଲେ, ଇଂରାଜୀ ଶିକ୍ଷା ପାଇଥିଲେ, କଲିକତା ଭଳି ବଙ୍ଗଳା ମୁଲକରେ ପାଠ ପଢ଼ିଥିଲେ, ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ, ବିଦେଶ ଯାଇଥିଲେ, ବିଦେଶୀ ଉଚ୍ଚଶିକ୍ଷା ପାଇଥିଲେ ଏବଂ ବିଦେଶୀ ଆଦବକାଇଦା ଚଳଣୀ ସବୁକିଛି ଶିଖି ସେଇ ଅନୁସାରେ ଚଳୁଥିଲେ ମଧ୍ୟ । କିନ୍ତୁ ସମାନ୍ତରାଳ ଭାବେ ସେ ଓଡ଼ିଆ ପଗଡ଼ି ବାନ୍ଧୁଥିଲେ, ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ପାଇଁ ଦାବି କରୁଥିଲେ, ଓଡ଼ିଆଙ୍କ ପାଇଁ ଶକ୍ତିଶାଳୀ ବଙ୍ଗାଳୀ, ତେଲୁଗୁ ଗୋଷ୍ଠୀ ଏବଂ ଇଂରେଜ ସରକାରଙ୍କ ସହ ମୁକାବିଲା କରୁଥିଲେ । ଓଡ଼ିଆତ୍ୱ ପ୍ରତିପାଦନ କରୁଥିବା ଏଠାକାର ଜିିନିଷକୁ ନେଇ ବ୍ୟବସାୟ ଆରମ୍ଭ କରିଥିଲେ । କ୍ଷତି ହେଲେ ବି ମାନ ସଂକ୍ରାନ୍ତରେ ବୁଝାମଣା କରୁନଥିଲେ, କାଳେ ଓଡ଼ିଆଙ୍କର ବଦନାମ ହେବ । ଆଜିକାଲି ଏସବୁ ପ୍ରତି କେହି ଧ୍ୟାନ ଦେଉଛନ୍ତି କି? ଆମ ରାଜ୍ୟରେ ବିଦେଶମୁହାଁ ବିଦେଶୀ ଖିଆ ଲୋକ ଏବେ ମାଳମାଳ । ଓଡ଼ିଶା ଏବଂ ଓଡ଼ିଆ ଏବେ ସେମାନଙ୍କ ପାଇଁ ଏକ ଘୃଣ୍ୟ ଶବ୍ଦ । ସେପଟେ ସୀମାନ୍ତ ଅଞ୍ଚଳକୁ ଅନ୍ୟରାଜ୍ୟ ଖାଇଗଲେଣି, ତା ପ୍ରତି କାହାରି ନିଘା ନାହିଁ । ଯାହା ବି ପ୍ରତିବାଦ କରାଯାଉଛି ଯେ ତାହା ଏତେ କ୍ଷୀଣ ଏବଂ ବିଳମ୍ବିତ ଯେ ସେଥିରୁ ଫାଇଦା କିଛି ମିଳୁନି । ଓଡ଼ିଶାକୁ ଏବେ ଲୁଟେରାଙ୍କ ଭୂସ୍ୱର୍ଗରେ ପରିଣତ କରାଯାଇଛି, ଏଠାକାର ଉଦ୍ୟୋଗୀଙ୍କ ପାଇଁ ପ୍ରୋତ୍ସାହନ ଶୂନ । ସମସ୍ତେ ସ୍ୱାର୍ଥପର ଯାତ୍ରୀ, ସ୍ୱାର୍ଥମେଧ ଯଜ୍ଞରେ ଆହୂତି ଦେବା କାହାଦ୍ୱାରା ସମ୍ଭବ ନୁହେଁ । ଏଭଳି କ୍ଷେତ୍ରରେ ଆମେ ମଧୁବାବୁଙ୍କ ସ୍ମୃତିଚାରଣ କରିବା ପାଇଁ କେତେଦୂର ଯୋଗ୍ୟ ସେ ସଂପର୍କରେ ବିଚାର କରିବା ଉଚିତ  । ଓଡ଼ିଶା ଠାରୁ ସୁଦୂର କିଛି ବାଟ ପରେ ଝାଡ଼ଖଣ୍ଡର ଟାଟା ନଗରରେ ଓଡ଼ିଆପ୍ରେମୀମାନେ ଏହି ଦିବସରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି । ମଧୁବାବୁ ବିକଳ ହୋଇ ମାଆକୁ ଖୋଜିଥିଲେ, ଭାଇକୁ ଖୋଜିଥିଲେ, କାହାଠୁ ଉତ୍ତର ପାଇନଥିଲେ । ଆଜି ମଧ୍ୟ ଆମେ ତାଙ୍କୁ ଉତ୍ତର ଦେବା ସ୍ଥିତିରେ ନାହୁଁ  । ଓଡ଼ିଆ ଜାତୀୟ ଚେତନା, ଭାଷା ଆନେ୍ଦାଳନ ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ । ଓଡ଼ିଆ ଅସ୍ମିତା ଓ ତାଙ୍କରି ସ୍ୱାଭିମାନର ଚିନ୍ତା ଚେତନା ବିନା ଏ ରାଜ୍ୟର କୌଣସି ପ୍ରଗତି ସମ୍ଭବ ବି ନୁହେଁ ।
୧୯୩୩ ଫେବୃୟାରୀ ୧୩, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭବନଠାରେ ଅନୁଷ୍ଠିତ ନେତା ସମ୍ମିଳନୀରେ ମଧୁବାବୁଙ୍କ ଅନ୍ତିମ ଉଦ୍ବୋଧନ ଥିଲା ଏହିପରି- “ହୁଏତ ସେ ଭାବିଥିବେ, ମୁଁ ଜଣେ ବୋକା; କିନ୍ତୁ ଦେଖା ସାକ୍ଷାତ୍ରେ ମୁଁ ଜଣେ ସଚ୍ଚା ଦେଶସେବକ ଓ ସ୍ୱାଜତିପ୍ରେମୀ ଥିବା ସେ ବୁଝି ପାରିଥିଲେ  । ମୁଁ ମୋ ଓଡ଼ିଆ ଜାତିର ଦାବି ଉପସ୍ଥାପିତ କରିବାବେଳେ ମୋ ଆଖିରୁ ଧାର ଧାର ଲୁହ ବୋହିଥିଲା  । ମୁଁ କହିଥିଲି, “ମୁଁ କଲିକତାରେ ପଢ଼ୁଥିଲାବେଳେ ବଙ୍ଗଦେଶରେ ଏକମାତ୍ର ଓଡ଼ିଆ ଛାତ୍ର ଥିଲି  । ସବୁପ୍ରକାର ତାତ୍ସଲ୍ୟ ମୋ ଉପରେ ବର୍ଷଣ ହେଉଥିଲା  । ସେମାନେ ମୋତେ ‘ମଧୁ ଉଡ଼େ, ମଧୁ ଉଡ଼େ’ ବୋଲି ଡାକୁଥିଲେ  । ଲର୍ଡ଼ କର୍ଜନ ତାଙ୍କ ମିଲିଟାରୀ ସେକ୍ରେଟାରୀଙ୍କୁ ସଙ୍ଗେ ସଙ୍ଗେ ଡକେଇ ଆଦେଶ ଦେଲେ, ଓଡ଼ିଆ କମିଶନରଙ୍କୁ କହ, ମୁଁ ସେଠାକୁ ଯାଉଛି  ।’ କର୍ଜନ ଓଡ଼ିଶାକୁ ଆସିଥିଲେ  । ପୁରୀରେ ଏକ ଦରବାର ଆୟୋଜନ ହୋଇଥିଲା; କିନ୍ତୁ ମୋ ଭଳି ଜଣେ ଲୋକକୁ ସେଠାକୁ ନିମନ୍ତ୍ରଣ କରାଯାଇନଥିଲା  ।  ମୁଁ କେବଳ କୁଢ଼ କୁଢ଼ ଅସ୍ଥି ଦେଖିଥିଲି; ·ାରିଆଡ଼େ କେବଳ ଅସ୍ଥି ଅସ୍ଥି ଅସ୍ଥି  । ଏହି ଅସ୍ଥି କଙ୍କାଳ ଭିତରେ ପ୍ରାଣ ସଞ୍ଚାର କରି ହସ୍ତପଦ ଓ ପେଶି ଯୋଗାଇବା ନିମନ୍ତେ ମୋତେ ବହୁତ କାର୍ଯ୍ୟ କରିବାକୁ ପଡ଼ିଛି  । ମୋ ଜାତିକୁ ଯୁଦ୍ଧ ସରଞ୍ଜାମରେ ସଜ୍ଜିତ କରିବା ପାଇଁ ମୋତେ ଏକାକୀ କାର୍ଯ୍ୟ କରିବାକୁ ହୋଇଛି  । ଏଥିରେ ମୋତେ ଭଗବାନଙ୍କ ବ୍ୟତୀତ ଆଉ କେହି ସାହାଯ୍ୟ କରିନାହାନ୍ତି  । ମୋ ଜାତିର ପୀଠରେ ତୁମର ଜୀବନକୁ ବଳିଦାନ କର  । ପୂର୍ବେ ଏ ଜାତି ଯେଉଁ ଗୌରବର ଅଧିକାରୀ ହୋଇଥିଲା, ସେ ଗୌରବ ଲାଭ କର  ।” 
ଜାମସେଦପୁର