କୁପୋଷଣ ଜର୍ଜରିତ ଓଡ଼ିଶା

ରାଜ୍ୟର ଗ୍ରାମାଞ୍ଚଳ ଗୁଡ଼ିକରେ ଶିଶୁ ପୁଷ୍ଟିହୀନତା ଏକ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି । ସହରାଞ୍ଚଳରେ ମଧ୍ୟ ଶିଶୁମାନଙ୍କ ଠାରେ ପୁଷ୍ଟିହୀନତା ଲକ୍ଷ୍ୟ କରାଗଲାଣି । ଶିଶୁ କେବଳ ମୋଟାସୋଟା ଦେଖା ଯାଉଥିଲେ ତାହା ଠାରେ ପୁଷ୍ଟିହୀନତା ନାହିଁ ବୋଲି ଭାବିବା ଭୁଲ୍ । ବର୍ତ୍ତମାନ ସମୟରେ ପାରମ୍ପରିକ ଖାଦ୍ୟ ଆଉ କେହି ଖାଉନାହାନ୍ତି । ଛଣା ଖାଦ୍ୟ, ପ୍ୟାକେଟ୍ ଖାଦ୍ୟ, ବିସ୍କୁଟ୍, ବେକେରୀ, କେକ୍ ଭଳି ଖାଦ୍ୟ ବର୍ତ୍ତମାନ ସବୁ ଲୋକଙ୍କ ଘରେ ଆସ୍ଥାନ ଜମିଗଲାଣି । ଏଭଳି ଖାଦ୍ୟ ଗୁଡ଼ିକ ପାଟିକୁ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ଏ ଗୁଡ଼ିକ ପରିପୂର୍ଣ୍ଣ ଆହାର ନୁହେଁ । ଏଥିରେ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟସାର, ଧାତବ ଲବଣ, ଅଣୁପୁଷ୍ଟି ଆଦି ଆଦୌ ନାହିଁ । ଅନେକ ପାଟି ସୁଆଦିଆ ଖାଦ୍ୟରେ କୌଣସି ପ୍ରକାରର ଭିଟାମିନ୍ ନଥିବା ମଧ୍ୟ ଦେଖାଯାଏ । କେବଳ ସେତିକି ନୁହେଁ, ପ୍ୟାକେଟ୍ ଖାଦ୍ୟକୁ ଅଧିକ ଦିନ ରଖିବା ପାଇଁ ସେଥିରେ ପ୍ରିଜର୍ଭେଟିଭ୍ ଭାବରେ ଅନେକ ରାସାୟନିକ ପଦାର୍ଥ ମିଶାଯାଉଛି । ଏହି ରାସାୟନିକ ପଦାର୍ଥ ଗୁଡ଼ିକ କର୍କଟ ଭଳି ବିଭିନ୍ନ ପ୍ରକାରର ରୋଗର କାରଣ । ଚିଙ୍ଗୁଡ଼ି, ମାଛ, ରନ୍ଧା ହୋଇ ପ୍ୟାକ୍ ହେଉଥିବା ଡ଼ବାର ଖାଦ୍ୟ, ମୃଦୁପାନୀୟ ଆଦି ଗୁଡ଼ିକରେ ମାତ୍ରାଧିକ ଭାବରେ ଶରୀରର କ୍ଷତିକାରକ ପଦାର୍ଥ ମିଶାଇ ଅଧିକ ଦିନ ତାଜା ରଖାଯାଇପାରୁଛି । ଏସବୁ ପାଟିକୁ ସୁଆଦ ଲାଗୁଥିଲେ ମଧ୍ୟ ଏସବୁ ଶରୀର ପାଇଁ ହାନିକାରକ । ପୋଷକ ତତ୍ତ୍ୱ ଏଥିରେ ନାହିଁ । ଏଭଳି ଖାଦ୍ୟରେ ତେଲ, ମସଲା, ଲହୁଣୀ, ଘିଅ ଆଦିର ବ୍ୟବହାର କରାଯାଉଥିବାରୁ ମେଦ ବହୁଳତା ମଧ୍ୟ ବୃଦ୍ଧି ହେଉଛି । ଗୋଟିଏ ପକ୍ଷରେ ଦାରିଦ୍ର୍ୟ ହେତୁ ଲୋକେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇପାରୁନାହାନ୍ତି । ଆଉ ଗୋଟିଏ ପକ୍ଷରେ ପ୍ରାଚୁର୍ଯ୍ୟ ହେତୁ ପ୍ୟାକିଂ ହୋଇ ଖାଦ୍ୟ ପଦାର୍ଥ ବଜାରରୁ ଆଣି ଶିଶୁମାନଙ୍କୁ ଦିଆଯାଉଛି । ଏ ଉଭୟ ପରିସ୍ଥିତି କୁପୋଷଣ ପାଇଁ ଦାୟୀ । 
ବର୍ତ୍ତମାନ ଶିଶୁ ଓ ମହିଳାଙ୍କ ଠାରେ ଦେଖା ଦେଉଥିବା କୁପୋଷଣ ଦୂର କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଅଙ୍ଗନବାଡ଼ିରୁ ଆରମ୍ଭ କରି ଗର୍ଭବତୀମାନଙ୍କର ଯତ୍ନ ପର୍ଯ୍ୟନ୍ତ ଏବଂ ପ୍ରସବୋତ୍ତର ଯତ୍ନ ପର୍ଯ୍ୟନ୍ତ ସବୁ ପ୍ରକାରର କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ କୁପୋଷଣ ଭଳି ସମସ୍ୟା ଶିଶୁମାନଙ୍କ ଠାରୁ ଦୂର ହେଉନାହିଁ । ଖାଦ୍ୟ ରନ୍ଧନ ଶୈଳୀକୁ ନେଇ ଖାଦ୍ୟରୁ ପୋଷକତତ୍ତ୍ୱ ନଷ୍ଟ ହେଉଥିବା ମଧ୍ୟ ଆଉ ଏକ କାରଣ । ଅଣପାରମ୍ପରିକ ଭାବରେ ଖାଦ୍ୟ ରନ୍ଧନଶୈଳୀରେ ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଏ । ଏହା ଶରୀର ପାଇଁ କେତେ ଉପଯୋଗୀ ସେ ଦିଗରେ ଗୁରୁତ୍ୱ ଦିଆଯାଏନାହିଁ । ସେହିପରି ଦୁଗ୍ଧ ଭଳି ପରିପୂର୍ଣ୍ଣ ଆହାର ସମସ୍ତଙ୍କ ନିକଟରେ ପହଞ୍ଚିପାରୁନାହିଁ । ଖାଦ୍ୟରେ ଅପମିଶ୍ରଣ ମଧ୍ୟ ଆଉ ଏକ ବଡ଼ ସମସ୍ୟା । ଦେଶରେ ୧୪ ମିଲିୟନ୍ ଲିଟର ଦୁଗ୍ଧ ପ୍ରତିଦିନ ଉତ୍ପାଦିତ ହେଉଛି, କିନ୍ତୁ ବଜାରେ ୬୪ ମିଲିୟନ୍ ଦୁଗ୍ଧ ମିଳୁଛି । ୫୦ ମିଲିୟନ୍ ଲିଟର ଦୁଗ୍ଧ ପ୍ରତିଦିନ ଅପମିଶ୍ରିତ ହୋଇ ବଜାରକୁ ଆସୁଥିବା ସ୍ପଷ୍ଟ ଜଣାପଡୁଛି । ଅଥଚ ଏହା ଉପରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ବାଡ଼ିବଗିଚା କିମ୍ବା ହାତପାହାନ୍ତା ହାଟରେ ମିଳୁଥିବା ସଜ ପରିବାରୁ କିଭଳି ଭାବରେ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ସେ ଦିଗରେ ନିଦେ୍ର୍ଦଶାବଳୀ ଜାରି କରିବାର ଆବଶ୍ୟକତା ଅଛି । ପ୍ରତ୍ୟେକ ରୋଷେୟା ଖାଦ୍ୟରେ ମାନ ଉପରେ ଗୁରୁତ୍ୱ ନଦେଇ ଖାଦ୍ୟରେ ସ୍ୱାଦ ଉପରେ ଗୁରୁତ୍ୱ ଦେଉଛନ୍ତି । ପାରମ୍ପରିକ ରୋଷେଇରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ପରିବର୍ତ୍ତେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପାଟିକୁ ସୁଆଦ ଲାଗୁଥିବା ଅତ୍ୟନ୍ତ ଗରିଷ୍ଠ ବିରିୟାନୀ ସମସ୍ତଙ୍କର ପ୍ରିୟ । ତେଣୁ କୁପୋଷଣ ଦୂର କରିବା କ୍ଷେତ୍ରରେ ରହିଥିବା ସମସ୍ୟା ଅପରିବର୍ତ୍ତିତ ରହୁଛି ।