ତୁରୁଞ୍ଜା ମାଛ ସମ୍ପୂର୍ଣ୍ଣ ଲୋପ ପାଇଯିବା ଆଶଙ୍କା

ଜୟପୁର: କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ମିଳୁଥିଲା ତୁରୁଞ୍ଜା ମାଛ। ତେଣୁ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ଭିତରେ ଏହି ଚୁନାମାଛ ସ୍ଥାନ ପାଉଥିଲା। ଜମି ତଥା ନଦୀରୁ ମିଳୁଥିବା ଏହି ମାଛର ସ୍ବାଦ ପାଇଁ କାଳକ୍ରମେ ଅନ୍ୟବର୍ଗର ଥାଳିରେ ସ୍ଥାନ ପାଇଲା। ସହଜ ଉପଲବ୍ଧ ଯୋଗୁ ଦର ମଧ୍ୟ ପକେଟକୁ ସୁହାଉଥିଲା। ଏତେ ପରିମାଣରେ ମିଳୁଥିଲା ଯେ ଯାହା ବଳକା ରହୁଥିଲା ତାହାକୁ ଶୁଖାଇ ରଖୁଥିଲେ ଆଦିବାସୀ। କିନ୍ତୁ ଆଧୁନିକ ପ୍ରଣାଳୀରେ ଧାନ ଚାଷ ଯୋଗୁ କିଛି ବର୍ଷ ମଧ୍ୟରେ ଏହି ଚୁନାମାଛ ସଂପୂର୍ଣ୍ଣ ଲୋପ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଦିନେ ମାଗଣାରେ ମିଳୁଥିବା ମାଛର ଦର ଏବେ ୨ହଜାର ଟଙ୍କାରୁ ଅଧିକ। ତୁରୁଞ୍ଜା ଶୁଖୁଆର ଦର ୫ହଜାର ଟଙ୍କା ଛୁଇଁଲାଣି।  ଆଞ୍ଚଳିକ କୋରାପୁଟିଆ ଭାଷାରେ ତୁରୁଞ୍ଜ‌ା ମାଛକୁ ତୁରୁଞ୍ଜି ମାଛ ଏବଂ ଶୁଖୁଆକୁ ତୁରଞ୍ଜି ଶୁଖସି ବୋଲି କୁହାଯାଏ। ସ୍ବାଦ ଓ ମହକ ଯୋଗୁ ଗ୍ରାହକ ସଂଖ୍ୟା ବଢ଼ିବାରେ ଲାଗିଥିଲେ ସୁଦ୍ଧା ସେହି ତୁଳନାରେ ଏହା ଉପଲବ୍ଧ ହେଉନି। ଜୟପୁର ବଜାରରେ ଏବେ ତୁରୁଞ୍ଜା ମାଛ କିଲୋ ୧୮୦୦ରୁ ୨୦୦୦ଟଙ୍କା ରହିଛି। ଶୁଖୁଆ ୪ହଜାରରୁ ୫ହଜାର ଟଙ୍କାରେ ବିକ୍ରି ହେଉଛି। କୋଟପାଡ଼ ଅଞ୍ଚଳ ତୁରୁଞ୍ଜା ମାଛ ପାଇଁ ପ୍ରସିଦ୍ଧ। ୫ବର୍ଷ ତଳେ ଏଠାରେ ପ୍ରଚୁର ପରିମାଣରେ ମିଳୁଥିବାରୁ ବେଳେବେଳେ ମାଗଣାରେ ଦିଆଯାଉଥିଲା। ବର୍ତ୍ତମାନ କୋଟପାଡ଼ ବଜାରରେ ମଧ୍ୟ ଏହି ମାଛ କେଜି ୧ହଜାର ଟଙ୍କା ଥିବା ବେଳେ ଶୁଖୁଆ କେଜି ୨ହଜାରରୁ ଅଧିକ ଟଙ୍କା ରହିଛି। କେବଳ ତୁରୁଞ୍ଜା ମାଛ ନୁହଁ କେରାଣ୍ଡି, ବାଉଁଶ ପତ୍ରିଆ, ପିତା, ବାମି ଭଳି ଅନେକ ଚୁନାମାଛ ପରିମାଣ କମିଯାଇଛି। ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ବୋଲି ପରିବେଶବିତ୍‌ କହିଛନ୍ତି। ଆଧୁନିକ ଚାଷ ପ୍ରଣାଳୀ ମଧ୍ୟ ମାଛବଂଶ ବୃଦ୍ଧି‌ରେ ପ୍ରତିବନ୍ଧକ ସାଜିଛି। ରାସାୟନିକ ସାର, କୀଟନାଶକ ବ୍ୟବହାର ଯଥେଷ୍ଟ ବଢ଼ିଛି। ଫଳରେ ଏକର ପିଛା ଅମଳ ବୃଦ୍ଧି ପାଇଥିବା‌ ବେଳେ ସଂକଟରେ ପଡ଼ିଛନ୍ତି କ୍ଷୁଦ୍ର ଜଳଚର। ପୁଣି ଜୈବିକ ସାର ବ୍ୟବହାରକୁ ଗୁରୁତ୍ବ ନେଦେଲେ କ୍ଷୁଦ୍ର ଜଳଚର ସଂପୂର୍ଣ୍ଣ ଲୋପ ପାଇଯିବେ।