ବିଦ୍ୟାଳୟକୁ ଫେରିଲେ ୨୮୬ ଡ୍ରପଆଉଟ୍‌ 

ବୌଦ୍ଧ :  ଶିକ୍ଷା ହେଉଛି ଜୀବନର ଏକ ଅମୂଲ୍ୟ ସଂପଦ । ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ପିଲା ଅଧାରୁ ପାଠ ଛାଡୁଛନ୍ତି । ଶିକ୍ଷା ପ୍ରତି ଛାତ୍ରଛାତ୍ରୀ ଦିନକୁ ଦିନ ବିମୁଖ ହେଉଛନ୍ତି । ଏହାର କାରଣ ଅନେକ ରହିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଶିକ୍ଷାକୁ ନେଇ ସଚେତନତାର ଅଭାବର ରହିଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ଚିତ୍ର ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାରେ ୩୧୯୮ ଜଣ ଛାତ୍ରଛାତ୍ରୀ ଡ୍ରପ୍‌ ଆଉଟ ତାଲିକାରେ ଅଛନ୍ତି ।
ସରକାର ପିଲାମାନଙ୍କୁ ଚିହ୍ନଟ କରି ଏବଂ ଯେଉଁମାନେ ଆଦୌ ବିଦ୍ୟାଳୟକୁ ଆସିନାହାନ୍ତି, ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ପୁଣିଥରେ ସାମିଲ କରି ବିଦ୍ୟାଳୟକୁ ସେହି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଆସ ସ୍କୁଲ ଯିବା ଅଭିଯାନ ଆରମ୍ଭ କରିଛନ୍ତି । ବିଭାଗ ପକ୍ଷରୁ ଶିକ୍ଷକଶିକ୍ଷୟିତ୍ରୀମାନେ ଘରକୁ ଘର ବୁଲି ସର୍ଭେ କରି ଜିଲ୍ଲା ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ୩୧୯୮ ଜଣ ଛାତ୍ରଛାତ୍ରୀ ଟ୍ରପ୍‌ଆଉଟ ହୋଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସର୍ବେକ୍ଷଣ ଜଣାପଡିଥିଲା । ବର୍ତ୍ତମାନ ସେହି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷା ପକ୍ଷରୁ ଉଦ୍ୟମ ଜାରି ରହିଛି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୮୬ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରିଥିବା ଜଣାପଡିଛି ।  ଏହି ରିପୋର୍ଟ ଆଧାରରେ ଜିଲ୍ଲାର ୩୧୯୮ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ରହି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ  ୭ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ୪୭୨ଜଣ, ୧୫ରୁ ୧୬ବର୍ଷ ବୟସର ୧୨୯୩ଜଣ,୧୭ରୁ ୧୮ ବର୍ଷ ବୟସର ୧୪୮୭ ଜଣପିଲା ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇନଥିବା ଜଣାପଡିଛି । ୩୧୯୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୮୮ ଜଣ ବାଳିକା ରହିଥିବା ବେଳେ ୨୦୧୦ ଜଣ ବାଳକ ଏବଂ ୧୮୩ ଜଣ ଦିବ୍ୟାଙ୍ଗ ଅଛନ୍ତି । ପିଲାମାନେ ଅଧାରୁ ପାଠ ଛାଡିବା ପଛରେ ପରିବାରର ଆର୍ଥିକ ସମସ୍ୟା, ପାଖରେ ବିଦ୍ୟାଳୟ ନ ଥିବା, ଦାଦନ ସମସ୍ୟା ଆଦି ଅନେକ କାରଣ ରହିଥିବା ଜଣାପଡିଛି । ବର୍ତ୍ତମାନ ଆସ ସ୍କୁଲ ଯିବା ଅଭିଯାନ ମାଧ୍ୟମରେ ଜିଲ୍ଲାସ୍ତରେ ବିଭିନ୍ନ କମିଟିମାନ ଗଠନ କରାଯାଇ ପିଲାଙ୍କୁ ପୁଣିଥରେ ଫେରାଇ ଆଣିବାକୁ ସଚେତନତା କରାଯାଇଛି । ତେବେ ପ୍ରଶାସନର ଏହି ଉଦ୍ୟମ କେତେଦୂର ସଫଳ ହେବା ତାହା ଆଗାମୀ ଦିନରେ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।