‘କୋଣାର୍କ ଉତ୍ସବ ସାଂସ୍କୃତିକ ଅସ୍ମିତାର ପରିଚୟ’

‘କୋଣାର୍କ ଉତ୍ସବ ସାଂସ୍କୃତିକ ଅସ୍ମିତାର ପରିଚୟ’

ମା’ମାନଙ୍କ ସାମର୍ଥ୍ୟର ପରିଚୟ ଦେଉଛି ସୁଭଦ୍ରା ଶକ୍ତି ମେଳା: ମୁଖ୍ୟମନ୍ତ୍ରୀ

କୋଣାର୍କ : ଆଜି ୩୬ତମ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପୃଷ୍ଠଭୂମିରେ ଏହି ଉତ୍ସବ ଦେଶ ବିଦେଶର କଳାପ୍ରେମୀମାନଙ୍କ ପାଇଁ  ଆକର୍ଷଣର ଅନ୍ୟତମ କେନ୍ଦ୍ର । ଶାସ୍ତ୍ରୀୟ ନୃତ୍ୟଗୁଡିକ କେବଳ ଏକ ଆର୍ଟ ଫର୍ମ ନୁହେଁ, ଏହା ହେଉଛି କଳା ମାଧ୍ୟମରେ ଆଧ୍ୟାତ୍ମିକତାର ଏକ ମହାନ ଅନୁଭବ । ଇଶ୍ୱର ପ୍ରାପ୍ତିର ଏକ ମାର୍ଗ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।


    ସେ ଆହୁରି କହିଥିଲେଯେ, କୋଣାର୍କ ଉତ୍ସବ ହେଉଛି ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଏକ ଉଜ୍ଜ୍ୱଳ ପରିଚୟ । ଏହି ଉତ୍ସବ କେବଳ ଓଡିଶାର କଳା ନୁହେଁ, ବରଂ ଓଡିଶାର ସାମଗ୍ରିକ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ଓଡିଶୀ ସହିତ ଭାରତନାଟ୍ୟମ, କଥାକଳୀ, ମଣିପୁରୀ ଓ କଥକ ଆଦି ନୃତ୍ୟ ପରିବେଷଣ ହେବ । କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗାଠାରେ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜିର ଏହି ଉତ୍ସବରେ ଆମ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶର ୧୪୩ ବାଲୁକା ଶିଳ୍ପୀ ଯୋଗଦେଇଛନ୍ତି । ଜାପାନ,ସ୍ପେନ୍‌, ୠଷିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କା ଆଦି ଦେଶରୁ ବାଲୁକା ଶିଳ୍ପୀମାନେ ଆସିଛନ୍ତି । ଏହି ସ୍ୱତନ୍ତ୍ର ଆୟୋଜନ ପାଇଁ ବାଲୁକା କଳା ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।  


    ଏହି ଅବସରରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଶକ୍ତି ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ଅର୍ଗାନିକ ଉତ୍ପାଦ ସହିତ ୨ ଶହରୁ ଅଧିକ ସାମଗ୍ରୀ ପ୍ରଦର୍ଶିତ ହେଉଛି । ପ୍ରାୟ ୨ ଶହରୁ ଅଧିକ ଏସଏଚଜିର ମା’ମାନେ ୧୫୦ ଷ୍ଟଲରେ ସେମାନଙ୍କର ସାମଗ୍ରୀ ପ୍ରଦର୍ଶିତ କରୁଛନ୍ତି । ଏହି ମେଳା ଦ୍ୱାରା ମହିଳାମାନଙ୍କ ଉତ୍ପାଦିତ ଦ୍ରବ୍ୟ ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଆଗ୍ରହ ସୃଷ୍ଟି ହେବ । ଆଗାମୀ ଦିନରେ ସୁଭଦ୍ରା ଶକ୍ତି ମା’ମାନେ ନିଜର କଳା, ପରିଶ୍ରମ ଓ ବ୍ୟବସାୟିକ ସାମର୍ଥ୍ୟ ଯୋଗୁ ସ୍ୱଚ୍ଛଳ ହେବା ସହିତ ଉଦ୍ୟୋଗୀ ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।