ହାଇୱା ଧକ୍କାରେ ଛାତ୍ର ମୃତ : ଶବ ରଖି ରାସ୍ତାରେ ବସିଲେ ଉତ୍ତେଜିତ ଲୋକେ
କବାଟବନ୍ଧ : ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା-ଡଙ୍କାରୀ ଆରଡ଼ି ରାସ୍ତାର କୁରିକଣା ଛକ ନିକଟରେ ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ରମ୍ପେଇ ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ସଂଜୀବ(୧୭) । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଉତ୍ତେଜିତ ୪ ଗୋଟି ହାଇୱାକୁ ନିଅାଁ ଲଗାଇ ପୋଡ଼ି ଦେବା ସହିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ଫଟୋ ଉଠାଇବାକୁ ବିରୋଧ କରି ମୋବାଇଲ ଛଡାଇ ନେଇଥିଲେ । ଏସବୁ କାଣ୍ଡ କାରଖାନା ପୁଲିସ ଉପସ୍ଥିତରେ ଚାଲିଥିଲେ ଖାକିଧାରୀ ଦେଖଣା ହାରି ସାଜିଥିଲେ ।
ଖବର ମତେ ଚଡେ଼ଇଧରା ଜଗନ୍ନାଥ ଜୀୟୁ ମହାବିଦ୍ୟାଳୟର ଛାତ୍ର ଶତ୍ରୁଘନଙ୍କ ପୁଅ ସ୍କୁଟିରେ କଲେଜ ଯାଉଥିବା ସମୟରେ କୁରିକଣା ଛକ ନିକଟରେ ଥିବା ହମ୍ପସ ପାଖରେ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡ଼ିଥିଲେ । ସେହି ସମୟରେ ପଛରୁ ଆସୁଥିବା କଳାପଥର ବୋଝେଇ ହାଇୱା ସଂଜୀବଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳେ ସଂଜୀବଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଘଟଣା ସ୍ଥଳେ ଉତ୍ତେଜନା ଦେଖାଯାଇଥିଲା ଏବଂ ଶବକୁ ରାସ୍ତାରେ ରଖି ଉତେଜିତ ରାସ୍ତା ଅବରୋଧ କରିଥିଲେ । ତେବେ ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଦୁର୍ଘଟଣା ଘଟାଇଥିବା ଗାଡିକୁ ନିଆଁ ଲଗାଇଦେଇଥିଲେ । ପଛେ ପଛେ ଅନ୍ୟ ତିନି ଗୋଟି ଗାଡ଼ି ଗୋଟିଏ କମ୍ପାନୀର ଗାଡ଼ି ହୋଇଥିବାରୁ ଅନ୍ୟ ହାଇୱା ଗାଡ଼ି ଗୁଡିକୁ ଉଦେ୍ଧଶ୍ୟ ମୂଳକ ଭାବରେ ନିଆଁ ଲଗାଇ ଜାଳି ଦେଇଥିଲେ । ଅଗ୍ନୀଶମ ବାହିନୀ ଖବର ପାଇବା ପରେ ଘଟଣାସ୍ତଳରେ ପହଁଚି ନିଆଁ ଲିଭାଇ ଲିଭାଇ ନଥିଲେ । ଦୁର୍ବୃତ୍ତ ସେତିକିରେ ସନ୍ତୁଷ୍ଟ ହୋଇନଥିଲେ । ରାହାଡ଼ପୁର ଠାରେ ଥିବା କମ୍ପାନୀର କ୍ରସର ଭିତରେ ଥିବା ଗାଡ଼ି, ମେସିନ ଭାଙ୍ଗିରୁଜି ଦେଇଥିଲେ । ଶତାଧିକ ଦୁର୍ବୃତ୍ତ ହଙ୍ଗାମା ମଚାଇବା ପୂର୍ବର୍କ କାହାରିକୁ ଉକ୍ତ ରାସ୍ତାରେ ଛାଡି ଦେଇନଥିଲେ । ଘଟଣା ସ୍ଥଳେ ଯାଜପୁର ଏସଡ଼ିପିଓ ପହଁଚି କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ।