ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

 ଜୟପୁର : କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ୨୦୨୪ ମସିହାରେ ଘଟିଥିବା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାର ବିଚାର କରି ୧୭ ଜଣ ସାକ୍ଷୀ ପ୍ରମାଣ ଓ ୨୪ଟି ଦସ୍ତାବିଜକୁ ଭିତ୍ତିକରି ଆଜି ମାନ୍ୟବର ସ୍ୱତନ୍ତ୍ର ପୋସ୍କ କୋର୍ଟ ଜୟପୁର କୁସୁମି ଗ୍ରାମର ୩୦ ବର୍ଷୀୟ ନରସିଂହ ଭୁମିଆଁକୁ ଆଇପିସିର ଧାରା ୩୬୬,୩୭୬ଏବି, ୩୨୩ ଏବଂ ପୋସ୍କ ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୩୧ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଟଙ୍କା ଅନାଦେୟେ  ଦୋଷୀକୁ ଅଧିକ ୧୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର ଅଦାଲତ ରାୟରେ ଦର୍ଶାଇଛନ୍ତି । ଆଦାୟ ୩୧ ହଜାର ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପିଡିତା ଶିଶୁକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ମାନ୍ୟବର ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ  ମଇ ମାସ ୨୪ ତାରିଖ ୨୦୨୪ ସନ୍ଧ୍ୟା ସମୟରେ ପିଡିତା ଶିଶୁ ନିଜ ଭଉଣୀ ସହିତ ଦୋକାନ ବାରଣ୍ଡାରେ ଖେଳୁଥିବା ସମୟରେ ନରସିଂହ ଭୁମିଆଁ ଆଇସକ୍ରିମ କିଣି ଦେବି କହି ଡ଼ାକିନେଇ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲା । ପରେ ଶିଶୁ ପିଡିତାଙ୍କୁ ଆଣି ଘର ସାମ୍ନା ରାସ୍ତାରେ ଛାଡି ଚାଲିଯାଇଥିଲା । ପିଡିତାର ଯୌନାଙ୍ଗରେ ଯନ୍ତ୍ରଣା ହେବାରୁ ସେ ମାଆଙ୍କୁ କହିଥିଲା । ଘଟଣାର ପରଦିନ ମାଆ କୋଟପାଡ଼ ଥାନାରେ ଏତଲା ଦାଖଲ କରିଥିଲେ । ଏତଲାକୁ ଭିତ୍ତିକରି କୋଟପାଡ଼ ଥାନା ଆଇଆଇସି ପରମାନନ୍ଦ ଶୁଣାନି ଘଟଣାର ତଦନ୍ତ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଡ଼.ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରୁ ଥିଲେ ଡ ଗାୟତ୍ରୀ ଦେବୀଙ୍କ ମାମଲା ପରିଚାଳନାରେ ଏହି ମାମଲା ସହ ୨୦୨୩ ଠାରୁ ବର୍ତମାନ ପର୍ଯ୍ୟନ୍ତ ମାନ୍ୟବର ଅଦାଲତ ୮ଟି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।