ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ : ଢେଙ୍କାନାଳ ଜିଲ୍ଲାରେ ଜାନୁଆରି ୧୨ ରୁ ଧାନ କିଣା ଆରମ୍ଭ
- ୫୬୧୧୨ ଜଣ ଚାଷୀ କରିଛନ୍ତି ପଞ୍ଜିକରଣ
- ୧୦୩୫୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ
ଢେଙ୍କାନାଳ : ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର କୃଷ୍ଣ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ । ଖରିଫ ବିପଣନ ବର୍ଷ ୨୫-୨୬ ପାଇଁ ଜିଲ୍ଲାରେ ଧାନ ସଂଗ୍ରହ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାରେ ୮୮ ଟି ପ୍ୟାକ୍ସ ଓ ୨୪ଟି ସବ-ପିପିସିରେ ଧାନ ସଂଗ୍ରହ କରାଯିବ । ଏଥିସହିତ ଏଥର ଧାନ ବିକ୍ରୟ ପାଇଁ ୫୬୧୧୨ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ପୂର୍ବ ବର୍ଷ ଅର୍ଥାତ ୨୪-୨୫ ବର୍ଷ ପାଇଁ ୫୪୬୯୭ ଜଣ ଚାଷୀ ପଞ୍ଜିକରଣ କରିଥିଲେ ସେଥିମଧ୍ୟରୁ ୫୪୬୫୮ ଜଣ ଯୋଗ୍ୟ ବିବେଚିତ ହେଇଥିଲେ । ଏହି ବର୍ଷ ପଞ୍ଜିକୃତ ଚାଷୀ ମାନଙ୍କ ମଧ୍ୟରୁ ଯୋଗ୍ୟ ଚାଷୀଙ୍କ ତର୍ଜମା ପ୍ରକ୍ରିୟା ଚାଲୁ ରହିଛି ।
ପ୍ରଥମ ପର୍ଯ୍ୟାୟ ରେ ୧୦୩୫୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖା ଯାଇଛି । ଏଥିସହିତ ମଣ୍ଡି ଗୁଡିକର ସୁପରିଚାଳନା ପାଇଁ ସୋସାଇଟି ସ୍ତରରେ ଧାନ ସଂଗ୍ରହ କମିଟି ଗଠନ କରାଯିବ ଓ ମଣ୍ଡି ନୋଡାଲ ଅଫିସର ଓ ସୁପରଭାଇଜର ନିୟୋଜିତ କରାଯିବ । ଏହାସହିତ ଜିଲ୍ଲା ସ୍ତରରେ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡ ଓ ଉପଖଣ୍ଡ ସ୍ତରରେ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯିବ । ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂଗ୍ରହ ହେଇଥିବା ଧାନର ମୂଲ୍ୟ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ପଠାଯିବ । ଏଫଏକ୍ୟୁ ମାନର ଧାନ ସମ୍ପର୍କରେ ସଚେତନତା ପାଇଁ ଚାଷୀ ମାନଙ୍କୁ ସୂଚନା-ଶିକ୍ଷା-ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ । ଧାନ ସଂଗ୍ରହ ପ୍ରଣାଳିକୁ ତ୍ରୁଟିଶୂନ୍ୟ କରିବା ପାଇଁ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର, ଆଡ଼ଭାନ୍ସ ମୋବାଇଲ ପ୍ୟାଡ଼ି କ୍ଲିନର, ଗ୍ରେନ ଆନାଲାଇଜର, ଆଦ୍ରତା ମାପ ଯନ୍ତ୍ର ଆଦି ବ୍ୟବହାର କରାଯିବ ।