ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ସ୍ୱପ୍ନ
ଖଣ୍ଡପଡ଼ା : ରାଜ୍ୟ ସରକାର ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ଜମି ଜାଗା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବର୍ତ୍ତମାନ ଖଣ୍ଡପଡ଼ା ବ୍ଲକର ୨୨ଟି ପଞ୍ଚାୟତରେ ବହୁ ସଂଖ୍ୟକ ଭୂମିହୀନ ପରିବାର ବେସହରା ହୋଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ବସୁନ୍ଧରା ଯୋଜନା ଏହି ଭୂମିହୀନ ବର୍ଗର ପରିବାରଙ୍କ ପାଇଁ ସାତ ସପନ ପାଲଟିଛିି । ଭୂମିହୀନ ପରିବାର ଗୁଡ଼ିକୁ ବସୁନ୍ଧରା ଯୋଜନାରେ ଜାଗା ଯୋଗାଇ ଦେବାରେ ଖଣ୍ଡପଡ଼ା ତହସିଲ ପ୍ରଶାସନ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂର୍ପକିତ ଆବେଦନପତ୍ର ଗୁଡିକ ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବର୍ଷବର୍ଷ ଧରି ପଡି ରହିଛି । ଭୂମିହୀନ ପରିବାରଗୁଡ଼ିକୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ନିମନ୍ତେ ବିଭିନ୍ନ ସମୟରେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ଯୋଜନା କାର୍ଯ୍ୟକାରୀ ନହୋଇ ପଡି ରହିଛି । ବସୁନ୍ଧରା ଯୋଜନାରେ ସମସ୍ତ ଭୂମିହୀନ ପରିବାରଗୁଡ଼ିକୁ ଜାଗା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ନୟାଗଡ ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି ।