ମରଣଯନ୍ତା ପାଲଟିଛି ରାସ୍ତା
ତାଳଚେର, ୫ା୧୦ : ପବିତ୍ର ଦଶହରା ପୂଜା ଅବସରରେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବ ପାଇଁ ତାଳଚେର ବ୍ଲକ ଅନ୍ତର୍ଗତ ସୋଲଡ଼ା ଗ୍ରାମର ନିରଞ୍ଜନ ବେହେରା (୩୭) ସାଉଥବଲଣ୍ଡା ଠାରୁ ଜଗନ୍ନାଥ ଜିଏମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ଡେ଼ରା ଆଡ଼କୁ ଆସୁଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ସେଠାରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସେହି ରାସ୍ତାଟି ଖାଲଖମା ହୋଇ ମରଣାଯନ୍ତା ସାଜିଥିବାବେଳେ ଜଗନ୍ନାଥ ନୋଡ଼ାଲ ଜିଏମ, ବିଧାୟକ, ସାଂସଦ ଓ ପ୍ରଶାସନିକ ଅଧିକାରୀ ସେହି ରାସ୍ତା ଦେଇ ଅହରହ ଯାତାୟତ କରୁଥିବା ବେଳେ କିପରି ଏହି ରାସ୍ତାଟି ପ୍ରତି ତାଙ୍କର ଦୃଷ୍ଟି ପଡ଼ୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଦୁଇଦିନ ପୂର୍ବରୁ ସେହି ରାସ୍ତାରେ ଜଣେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଏଠାରେ କୁହାଯାଇପାରେ ନେତାମାନେ ମୃତ ପରିବାର ବ୍ୟକ୍ତିଙ୍କ ଶବକୁ ରାଜରାସ୍ତାରେ ରଖି ଏମସିଏଲ ଠାରୁ ଆମେ କ୍ଷତିପୂରଣ ବାବଦରେ ଲକ୍ଷାଧିକ ଟଙ୍କା ଅର୍ଥରାଶି ପ୍ରଦାନ କରିଦେଲୁ ବୋଲି କେବଳ ସୋସିଆଲ ମିଡ଼ିଆରେ ବାହାବାହା ନେଉଥିବା ବେଳେ ନେତାମାନେ କାହିଁକି ଯେ, ପ୍ରକୃତ ଘଟଣାକୁ ଏଡ଼ାଉ ଦେଉଛନ୍ତି ତାକୁ ନେଇ ଜନତାଙ୍କ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଛି । ତେଣୁ ନିର୍ବାଚନ ଋତୁ ଆସିଲେ ନେତାମାନେ ଗାଁଗଣ୍ଡାରେ ପଶି ଆମେ ହାତୀ ଦବୁ ଘୋଡ଼ା ଦବୁ କହି ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପରେ ପୁନର୍ବାର ଆଉ ସମସ୍ୟା ପ୍ରତି ଗୁରୁତ୍ୱ ଦେଇନଥାନ୍ତି ବୋଲି ଜନତାଙ୍କ ନିକଟରୁ ଶୁଣିବାକୁ ମିଳେ । ତାଳଚେର ଅଞ୍ଚଳରେ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗ୍ରାମୀଣ ପଞ୍ଚାୟତ ରୋଡ଼ ପିଡବ୍ଲୁଡ଼ି ରୋଡ଼ ଏବଂ ଆରଡି ରୋଡ଼କୁ ଦୃଷ୍ଟିକୁ ନିଆଗଲେ, ଏଠାରେ ଉନ୍ନତି ଓ ବିକାଶ କିପରି ହେଉଛି ତାହା ଏଥିରୁ ସ୍ପଷ୍ଟ ଜଣାପଡେ଼ ।