ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ନେଇ ବର୍ଷିଲା ବିଜେଡି

ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର  :  ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ବାତିଲ ହେବାକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା କରାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।  ରାଜ୍ୟରେ ବିଜେପି କ୍ଷମତାସୀନ ହେବାର ଅଠର ମାସରେ ଅଠରରୁ ଉଦ୍ଧ୍ୱର୍ ପରୀକ୍ଷା ବାତିଲ ହୋଇଛି, ଯାହା ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ପଦାରେ ପକାଉଛି । ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରାଜ୍ୟ ବିଜେପି ସରକାର ଏକ ନୂତନ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କ ଏହି ଅଠର ମାସ କେବଳ ପ୍ରଚାର ସର୍ବସ୍ୱ ହୋଇଛି ।  ରାଜ୍ୟର ଯୁବବର୍ଗ ଚାକିରିଟିଏ ହାସଲ କରିବା ଲକ୍ଷ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ପରୀକ୍ଷା ହଲରେ ପହଁଚିଲା ବେଳକୁ ପରୀକ୍ଷା ବାତିଲ ହୋଇଯାଉଛି । ତାହା ପୁଣି ବାରମ୍ୱାର ହେଉଛି ।  ପରୀକ୍ଷା ବିଭ୍ରାଟକୁ ରୋକିବା ପାଇଁ ସରକାର ଆଣିଥିବା ଆଇନ କୁଆଡେ ଗଲା । ବିଜେପିର ବରିଷ୍ଠ ନେତା ମାନେ ଓଡିଶାକୁ ୟୁପି ମଡେଲ କରିବାକୁ ଚାହୁଁଛନ୍ତି । କିନ୍ତୁ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡିଶା ଏବେ ବିହାରକୁ ଟପିବାକୁ ବସିଲାଣି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟର ଯୁବ ବର୍ଗଙ୍କ ସ୍ୱର ହେବ ଓ ଅତି ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ ।