ଖାସମାଲ ଉଠାଇ ପଟ୍ଟା ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର
ଚାନ୍ଦବାଲି : ବ୍ରିଟିଶ ଅମଳ ଯୁଗରୁ ଚାନ୍ଦବାଲି ବନ୍ଦର ଅଞ୍ଚଳରେ ବସବାସ କରିଆସୁଥିବା ବାସିନ୍ଦା ଓ ବଣିଜ୍ୟ ଉପରେ ନିର୍ଭର ଦୋକାନ ବଜାରଗୁଡ଼ିକ ଆଜିପର୍ଯ୍ୟନ୍ତ ଖାସମାଲ ଶ୍ରେଣୀଭୁକ୍ତ ଜମିରେ ରହି ଆସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖାସମାଲ ଉଛେଦ କାର୍ଯ୍ୟ ହୋଇଥିବା ସତ୍ତେ୍ୱ ଏକ ସ୍ୱତନ୍ତ୍ର ପରିଚୟ ରଖିଥିବା ଚାନ୍ଦବାଲି ଅଞ୍ଚଳରେ ବାସିନ୍ଦାମାନଙ୍କ ପାଇଁ ଘରବାଡ଼ି ପଟ୍ଟା ଯୋଗାଣ ହୋଇପାରିନାହିଁ । ଫଳରେ ଏହି ବାସିନ୍ଦାମାନେ ଘର ନିର୍ମାଣ, ସରକାରୀ ଋଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସବୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଖାସାମଲ ଉଚ୍ଛେଦ ପାଇଁ ବାରମ୍ବାର ତହସିଲ ଅଫିସକୁ ଅଭିଯୋଗ ଓ ଆବେଦନ ଦେଇଥିଲେ ମଧ୍ୟ ଯଥାର୍ଥ ସମାଧାନ ମିଳିନଥିବାରୁ ସ୍ଥାନୀୟ ଲୋକଙ୍କର ଅସନ୍ତୋଷ ବଢ଼ିଛି । ରାଜ୍ୟ ସରକାରଙ୍କ ରାଜସ୍ୱ ନିୟମ ଅନୁସାରେ ୫ ବର୍ଷ ବସବାସ କରିଥିଲେ ପଟ୍ଟା ଦିଆଯିବା ନିୟମ ରହିଥିଲେ ମଧ୍ୟ, ପୁରୁଷନୁକ୍ରମିକ ଭାବରେ ବସୁଥିବା ଗରିବ ଓ ବାସିନ୍ଦା ଲୋକଙ୍କୁ ଆଜିପର୍ଯ୍ୟନ୍ତ ପଟ୍ଟା ନ ମିଳିବାକୁ ବେଆଇନ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । କେବଳ କିଛି ପ୍ରଭାବଶାଳୀ ବ୍ୟକ୍ତି ପଟ୍ଟା ପାଇଥିବା ଅଭିଯୋଗ ମଧ୍ୟ ଉଠିଛି । ଏହି ସମସ୍ୟାର ପ୍ରତିଶ୍ରିତି ପାଇଁ ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ର ପ୍ରଦାନ କାର୍ଯ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଚାନ୍ଦବାଲି ଓକିଲ ସଙ୍ଘ ସଭାପତି ଉପେନ୍ଦ୍ର କୁମାର ରାଉଳଙ୍କ ନେତୃତ୍ୱରେ ଏନଏସି ସଭାପତି ବିକାଶ କୁମାର ବେହେରା, ସୂର୍ଯ୍ୟକାନ୍ତ ନାୟକ, ଏନଏସି ଯୁବ ନେତା କିଷାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।